୨୮୨୨୪ ଭୋଟ୍ ବ୍ୟବଧାନରେ ସୋରଡା ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଶୋଇ ନିର୍ବାଚିତ

ବେଲଗୁଣ୍ଠା (ବିନାୟକ ଗୌଡ, ଓଡିଶା ଟୁଡେ): ସୋରଡା ବିଧାନସଭା ଆସନରୁ ବିଜେପିରୁ ନୀଳମଣି ବିଶୋଇ ୨୮୨୨୪ ଭୋଟ୍ ରେ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ସଂଘମିତ୍ରା ସ୍ବାଇଁଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ୤ ୨୦୦୪ ମସିହାରେ ଏହି ଆସନରେ ଶେଷ ଥର ପାଇଁ ବିଜେପି ଜିତିଥିଲା ୤ ସେତେବେଳେ କିଶୋର ଚନ୍ଦ୍ର ସିଂ ଦେଓ ଏହି ଆସନରୁ ଜିତିଥିଲେ ୤ ୨୦୦୯ ମସିହା ଠାରୁ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ବିଜେଡିରୁ ଏହି ଆସନରୁ ୩ ଥର ନିର୍ବାଚିତ ହୋଇଛନ୍ତି ୤ ୨୦୨୪ ନିର୍ବାଚନରେ ତାଙ୍କ ପତ୍ନୀ ସଂଘମିତ୍ରା ସ୍ବାଇଁ ଏଠାରୁ ପ୍ରତିଦ୍ବନ୍ଦିତା କରୁଥିଲେ ମଧ୍ୟ ପରାଜିତ ହୋଇଛନ୍ତି ୤ ଦୀର୍ଘ ୭୦ ବର୍ଷ ପରେ ବେଲଗୁଣ୍ଠା ବ୍ଲକ୍ ରୁ ଜନ ପ୍ରତିନିଧି ବିଧାନସଭାକୁ ଯିବାକୁ ସୁଯୋଗ ମିଳିଛି ୤ ଏହା ପୂର୍ବରୁ ବେଲଗୁଣ୍ଠା ବ୍ଲକ୍ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ଥିବା ସମୟରେ ନାଟଙ୍ଗା ପଞ୍ଚାୟତ ରତନପୁର ଗ୍ରାମରୁ ଦୀନବନ୍ଧୁ ବେହେରା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ୧୯୬୭ ମସିହାରେ ନିର୍ବାଚିତ ହୋଇଥିଲେ ୤ ୨୦୦୯ ମସିହାରେ ସୋରଡା ବିଧାନସଭା ଆସନ ପୁନର୍ଗଠିତ ହେବା ପରେ ବେଲଗୁଣ୍ଠା ବ୍ଲକ୍ ସୋରଡା ନିର୍ବାଚନ ମଣ୍ଡଳୀ ଅଧୀନକୁ ଚାଲିଯାଇଥିଲା ୤ ୨୦୧୯ ମସିହାରେ ମଧ୍ୟ ବିଜେପି ଶ୍ରୀ ବିଶୋଇଙ୍କୁ ସୋରଡାରୁ ଟିକେଟ୍ ଦେଇଥିଲା, ୧୩,୯୯୬ ଭୋଟ୍ ରେ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ଠାରୁ ପରାଜୟ ବରଣ କରିଥିଲେ ସେ ୤ ନୀଳମଣି ବିଜୟୀ ହେବା ପରେ କର୍ମୀ ଏବଂ ସମର୍ଥକ ମହଲରେ ଉତ୍ସାହ ଖେଳି ଯାଇଛି ୤

Leave a Reply

Your email address will not be published. Required fields are marked *