‘ସୁଭଦ୍ରା’ ଯୋଜନା ପାଇଁ ଏସ୍‌ଓପି ଜାରି; ଗୃହରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବହୁ ପ୍ରତୀକ୍ଷିତ ‘ସୁଭଦ୍ରା ‌ଯୋଜନା’ ‌ନେଇ ମୋହନ ସରକାର ମହିଳାମାନଙ୍କୁ ବଡ଼ ଖବର ଦେଇଛନ୍ତି। ପୂର୍ବରୁ ସୁଭଦ୍ରା ଯୋଜନାକୁ କ୍ୟାବିନେଟ ଅନୁମୋଦନ କରିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଏସଓପି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଯୋଜନାରୁ ୨୧ ବର୍ଷରୁ ଊର୍ଦ୍ଧ୍ବ ଓ ୬୦ ବର୍ଷରୁ କମ୍ ବୟସର ମହିଳାମାନେ ଲାଭ ପାଇପାରିବେ। ପ୍ରତିବର୍ଷ ରାକ୍ଷୀପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସ (ମାର୍ଚ୍ଚ ୮) ଅବସରରେ ମହିଳାଙ୍କୁ ଟଙ୍କା ଦିଆଯିବ। ସୁଭଦ୍ରା ଯୋଜନା ପାଇଁ ହିତାଧ୍ୟାକାରୀଙ୍କୁ ଡେବିଟ୍ କାର୍ଡ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ସରକାର ମୋଟ ୫୫ ହଜାର ୮୨୫ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ୧ କୋଟି ମହିଳା ଲାଭ ପାଇବେ। ପ୍ରତିଥର ସେମାନଙ୍କୁ ୫ ହଜାର ଲେଖାଏଁ ଟଙ୍କା ଦିଆଯିବ। ତେଣୁ ପାଞ୍ଚ ବର୍ଷରେ ଜଣେ ଯୋଗ୍ୟ ହିତାଧିକାରୀ ମୋଟ ୫୦ ହଜାର ଟଙ୍କା ପାଇବେ । 

ସୁଭଦ୍ରା ଯୋଜନାରେ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଗ୍ରାମପଞ୍ଚାୟତ ଏବଂ ସହରାଞ୍ଚଳରେ ସର୍ବାଧ‌ିକ ପରିମାଣର କାରବାର କରିଥିବା ୧୦୦ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଅତିରିକ୍ତ ୫ ଶହ ଟଙ୍କାର ପ୍ରୋତ୍ସାହନ ରାଶି ରୂପେ ପ୍ରଦାନ କରାଯିବ। ତେବେ ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥଇବା ମହିଳା ଓ ଆୟକର ପ୍ରଦାନ କରୁଥ‌ିବା ମହିଳାମାନେ ଏହି ଯୋଜନାରେ ସାମିଲ ହେବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ। ଏତଦବ୍ୟତୀତ କୌଣସି ସରକାରୀ ଯୋଜନାରେ ମାସିକ ଦେଢ଼ ହଜାର କିମ୍ବା ବାର୍ଷିକ ୧୮ ହଜାର ଟଙ୍କା ପାଉଥ‌ିବା ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।

ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ମହିଳାମାନେ ଅଙ୍ଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଇତ୍ୟାଦିରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି (ବିଜେପି) ଅନେକଗୁଡ଼ିଏ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲା। ଏହି ନିର୍ବାଚନ ପ୍ରତିଶ୍ରୁତିରେ ସୁଭଦ୍ର ଯୋଜନାର ଶୁଭାରମ୍ଭ ମଧ୍ୟ ସାମିଲ ଥିଲା। ରାଜ୍ୟରେ ବିଜେପି ନିର୍ବାଚନ ଜିତିଲା ପରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଗତ ଜୁନ ୧୨ ତାରିଖରେ ଶପଥ ଗ୍ରହଣ କରିଥିଲେ। ସେହିଦିନ ସନ୍ଧ୍ୟାରେ ସେ ପ୍ରଥମ କ୍ୟାବିନେଟ୍‌ ବୈଠକ ଡାକିଥିଲେ ଏବଂ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା, ଧାନ କୁଇଣ୍ଟାଲ ୩୧୦୦ ଟଙ୍କା କରିବା ଏବଂ ସୁଭଦ୍ରା ଯୋଜନା ଲାଗୁ କରିବା ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ନେଇଥିଲେ । 

Leave a Reply

Your email address will not be published. Required fields are marked *