ଜାରି ରହିଛି ଶିବାଜୀଙ୍କ ପ୍ରତିମୂର୍ତ୍ତି ତିଆରି କରିଥିବା ଶିଳ୍ପୀ ଜୟଦୀପଙ୍କୁ ଖୋଜିବା

ନୂଆଦିଲ୍ଲୀ: ସିନ୍ଧୁଦର୍ଗର ମାଲଭାନାର ରାଜକୋଟ ଦୁର୍ଗରେ ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ତିଆରି କରିଥିବା ଶିଳ୍ପୀ ଜୟଦୀପ ଆପ୍‌ତେଙ୍କୁ ଖୋଜିବା ଜାରି ରହିଛି ।

ଗତ ବର୍ଷ ଡିସେମ୍ବରରେ ଭାରତୀୟ ନୌସେନା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିବା ଏହି ପ୍ରତିମୂର୍ତ୍ତି ଅଗଷ୍ଟ ୨୬ ତାରିଖରେ ଭୁଶୁଡ଼ି ପଡ଼ିଥିଲା ।

ତେବେ ଏହି ପ୍ରତିମୂର୍ତ୍ତି ଭୁଶୁଡ଼ି ପଡ଼ିବା ପରେ କଲ୍ୟାଣର ୨୪ ବର୍ଷିୟ ଶିଳ୍ପୀ ଜୟଦୀପ ଆପ୍‌ତେ କେଉଁଆଡ଼େ ନିଖୋଜ ଅଛନ୍ତି। କଲ୍ୟାଣ୍‌ରେ ଏକ ଆର୍ଟ ବା କଳା କମ୍ପାନି ଚଳାଉଥିବା ଜୟଦୀପ ପ୍ରତିମୂର୍ତ୍ତି ନିର୍ମାଣ କରିବାରେ ତାଙ୍କର କୌଣସି ଅଭିଜ୍ଞତା ନଥିବା ସତ୍ତ୍ବେ ସେ ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସୃଷ୍ଟି କରିଥିଲେ ବୋଲି ଅଭିଯୋଗ ହୋଇଛି । 

ଜୟଦୀପ ପ୍ରକାଶ କରିଛନ୍ତି ଯେ ସେ ପୂର୍ବରୁ ଏତେ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନିର୍ମାଣ କରିନଥିଲେ। ତେବେ ପ୍ରଶ୍ନ ଉଠୁଛି ତାଙ୍କ ଅଭିଜ୍ଞତା ଅଭାବ ସତ୍ତ୍ବେ ତାଙ୍କୁ କିପରି ଏହି କାମ ମିଳିଥିଲା । 

ଏନେଇ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ)ର ମୁଖପାତ୍ର ଟ୍ୱିଟ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେଙ୍କ ପରିଚିତ କଲ୍ୟାଣର ଜୟଦୀପଙ୍କୁ ଶିବାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାର ଦାୟିତ୍ବ ଦେଇଥିଲେ। କୌଣସି ଅଭିଜ୍ଞତା ନଥିବା ସତ୍ତ୍ବେ ଜଣେ ୨୪ ବର୍ଷର ଯୁବକକୁ ଏହି କାମ ପ୍ରିୟାପ୍ରୀତି ଯୋଗୁ ମିଳିଛି ବୋଲି ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *