ଆଦିବାସୀସାହିରେ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ

ବାରଙ୍ଗ/ତ୍ରିଶୁଳିଆ: ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝୀ ବାରଙ୍ଗସ୍ଥିତ ଏକ ଆଦିବାସୀସାହିରେ ପଖାଳ ଖାଇବା ସାଙ୍ଗକୁ ତୋରାଣି ପିଇବା ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ଅତିଥିଭାବେ ତାଙ୍କୁ ଅରୁଆ ଅନ୍ନ ସାଙ୍ଗକୁ ୨୨ ପ୍ରକାର ବ୍ୟଞ୍ଜନ ବଢ଼ାଯାଇଥିଲେ ମଧ୍ୟ ସେ ଓଡ଼ିଆଙ୍କ ସବୁଦିନିଆ ପଖାଳ ଓ ତୋରାଣିକୁ ଅଧିକ ପସନ୍ଦ କରିଥିଲେ। ଗରିବ ଆଦିବାସୀଙ୍କ ଘରେ ସବୁଦିନିଆ ଖାଦ୍ୟ ଗ୍ରହଣ କରିବାକୁ ଗୁରୁତ୍ବ ଦେଇଥିଲେ ।

ଆସନ୍ତା କାଲି ବିଜେପି ର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବାରଙ୍ଗ ବ୍ଲକ୍‌ ଦାଢ଼ାପାଟଣା ପଞ୍ଚାୟତ ଗସ୍ତ କରିଥିଲେ। ଏହି ଅବସରରେ ସେ ୧୨୯ ନମ୍ବର ବୁଥ୍ ଆଦିବାସୀସାହିରେ ପହଞ୍ଚିଥିଲେ। ସେହି ସାହିର ବାସିନ୍ଦା ତଥା କୁହ୍ନେଇପଡ଼ା ପଞ୍ଚାୟତର ପୂର୍ବତନ ସମିତିସଭ୍ୟା କୁନ୍‌ମୁନ୍‌ ସିଂଙ୍କ ଘରେ ତାଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା। ଅରୁଆ ଅନ୍ନ ସହିତ ଡାଲମା, ଶାଗ, ବାଇଗଣ ଭଜା, କାଙ୍କଡ଼ ଭଜା, ସଜନାଛୁଇଁ ଭଜା, ଛତୁ, ପନିର୍‌, ପୋଦିନ ଚଟଣି, କଲରା ଚିପ୍‌ସ ଭଳି ୨୨ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଖାଳ ମାଗିଥିଲେ। ସମସ୍ତେ ବିସ୍ମିତ ହୋଇଥିଲେ ହେଁ ସେ ପଖାଳ ମାଗିଥିଲେ। ତେଣୁ କୁନ୍‌ମୁନ୍‌ ପଖାଳ ବାଢ଼ିଦେଇଥିଲେ। ମୁଖ୍ୟମନ୍ତ୍ରୀ ପଖାଳ ଖାଇବା ପରେ ତୋରାଣି ପିଇଥିଲେ। ଏହି ଅବସରରେ ତାଙ୍କ ସହିତ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, କଟକ ସଦର ବିଧାୟକ ପ୍ରକାଶ ସେଠୀ, ବିଜେପି ନେତା ଗୋଲକଚନ୍ଦ୍ର ମହାପାତ୍ର, ରାମନାରାୟଣ ମହାନ୍ତି, ତୁଷାରକାନ୍ତ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ନେତା ସୁଭାୟ କୁମାର ସାହୁ, ମନୋଜ କୁମାର ବେହେରା, ମଧୁପୁର ସମିତିସଭ୍ୟ କିଶନ କୁମାର ଜେନା, ଶ୍ରୀବନ୍ତପୁର ସମିତି ସଭ୍ୟ ସଞ୍ଜୟ ପାଣି ଓ ଦେବେନ୍ଦ୍ର ବେହେରା ପ୍ରମୁଖ ଆଜିର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *