
କଟକ: ସାରା ବିଶ୍ୱରେ ପ୍ରତିବର୍ଷ ଯେତିକ ଲୋକ ଆତ୍ମହତ୍ୟା କରୁଛନ୍ତି ତାହାର ୧୭ ପ୍ରତିଶତ କେବଳ ଭାରତରେ ଘଟୁଛି। ଗଲା ୧୦ ବର୍ଷ ଭିତରେ ଭାରତରେ ଆତ୍ମହତ୍ୟା କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଫଳ ସ୍ୱରୂପ ଭାରତକୁ ଏବେ ବିଶ୍ୱର ଆତ୍ମହତ୍ୟାର ରାଜଧାନୀ ବୋଲି କୁହାଯାଉଛି। ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋର ୨୦୨୨ ରିପୋର୍ଟ ଅନୁସାରେ ଭାରତରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଆତ୍ମହତ୍ୟାର ହାର ୧୨.୪। ଦେଶରେ ଅଧିକ ଆତ୍ମହତ୍ୟା ପ୍ରବଣ ରାଜ୍ୟ ମଧ୍ୟରେ ଅଛନ୍ତି ମହାରାଷ୍ଟ୍ର (୧୩.୩), ତାମିଲନାଡୁ (୧୧.୬), ମଧ୍ୟପ୍ରଦେଶ (୯), କର୍ଣ୍ଣାଟକ(୮) ଓ ପଶ୍ଚିମବଙ୍ଗ (୭.୪)। ଦେଶରେ ଯେତିକି ଲୋକ ପ୍ରତିବର୍ଷ ଆତ୍ମହତ୍ୟା କରୁଛନ୍ତି, ସେମାନଙ୍କ ମଧ୍ୟରେ ୬୬ ପ୍ରତିଶତ ହେଉଛନ୍ତି ୧୮ ରୁ ୪୫ ବର୍ଷ ବୟସର ଲୋକ। ଅନ୍ୟପଟେ ୨୦୨୨ରେ ମୋଟ ୧୦ ହଜାର ୨୦୫ ଜଣ ୧୮ ବର୍ଷ ବୟସରୁ କମ ବୟସ୍କ ପିଲା ଆତ୍ମହତ୍ୟା କରିଛନ୍ତି। ପିଲାମାନଙ୍କର ଆତ୍ମହତ୍ୟାର ପ୍ରମୁଖ କାରଣ ହେଲା ପରୀକ୍ଷାରେ ବିଫଳତା, ପାରିବାରିକ କଳହ ଓ ପ୍ରେମ ସମ୍ପର୍କରେ ବିଫଳତା। ସେହିଭଳି ୧୩ ହଜାର ୪୪ ଜଣ ଛାତ୍ରଛାତ୍ରୀ ୨୦୨୨ ମସିହାରେ ଆତ୍ମହତ୍ୟା କରିଛନ୍ତି। ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ ଅଭିଭାବକ ମାନଙ୍କର ଚାପ ଯୋଗୁଁ ପିଲାମାନେ ମାନସିକ ଦୁଶ୍ଚିନ୍ତାର ସମ୍ମୁଖୀନ ହୋଇ ଆତ୍ମହତ୍ୟା କରୁଛନ୍ତି ।
ଦେଶର ମୋଟ ଆତ୍ମହତ୍ୟା ମଧ୍ୟରୁ ୩.୬% ଓଡିଶାରେ ଘଟୁଛି। ଓଡିଶାରେ ୨୦୨୨ ମସିହାରେ ୬୧୪୦ ଜଣ ଆତ୍ମହତ୍ୟା କରିଛନ୍ତି। ୨୦୨୨ରେ ୩୯୯୦ ଜଣ ମହିଳା ଆତ୍ମହତ୍ୟା କରିଥିବା ବେଳେ ୨୧୫୦ ଜଣ ପୁରୁଷ ଆତ୍ମହତ୍ୟା କରିଛନ୍ତି। ଓଡ଼ିଶାରେ ପ୍ରତି ୧ ଲକ୍ଷ ଲୋକରେ ୧୩.୩ ଜଣ ଆତ୍ମହତ୍ୟା କରୁଥିବା ବେଳେ ଏହା ଜାତୀୟ ହାର (୧୨.୪) ଠାରୁ ଅଧିକ। ପୂର୍ବବର୍ଷ ତୁଳନାରେ ୨୦୨୨ରେ ଓଡ଼ିଶାରେ ଆତ୍ମହତ୍ୟା ସଂଖ୍ୟା ୮.୭ ପ୍ରତିଶତ ବୃଦ୍ଧି ପାଇଛି। ରାଜ୍ୟରେ ଆତ୍ମହତ୍ୟାର ପ୍ରମୁଖ କାରଣ ମଧ୍ୟରେ ରହିଛି ପାରିବାରିକ କଳହ (୪୯ ପ୍ରତିଶତ)। ଅନ୍ୟ ପ୍ରମୁଖ କାରଣ ଗୁଡିକ ହେଲା ବୈବାହିକ ସମ୍ପର୍କରେ ତିକ୍ତତା, ପ୍ରେମ ସମ୍ପର୍କରେ ବିଫଳତା, ଆର୍ଥିକ ସଙ୍କଟ, ବେରୋଜଗାର, ପରୀକ୍ଷାରେ ଖରାପ ପ୍ରଦର୍ଶନ, ଚାକିରି ଜନିତ ସମସ୍ୟା, ବିଭିନ୍ନ ରୋଗ (ମାନସିକ ରୋଗ, ବିଭିନ୍ନ ଦୁରାରୋଗ୍ୟ), ନିଶାଦ୍ରବ୍ୟ ସେବନ ଓ ଆତ୍ମୀୟ ଲୋକର ହଠାତ୍ ମୃତ୍ୟୁ ଇତ୍ୟାଦି।
ଯଦି ନିଜ ପରିବାର କିମ୍ବା ନିଜର କୌଣସି ନିକଟତର ବ୍ୟକ୍ତିଙ୍କଠାରେ ଆତ୍ମହତ୍ୟା ପ୍ରବଣତା ଦେଖା ଯାଉଥାଏ ତାହେଲେ ତାଙ୍କ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ତାଙ୍କୁ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ନେବା ସହିତ ତାଙ୍କୁ ଏକୁଟିଆ ଛାଡ଼ିବା ଅନୁଚିତ। ଦରକାର ପଡ଼ିଲେ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବା ଉଚିତ। ଯେଉଁ ବ୍ୟକ୍ତିମାନେ ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଏବଂ ଯେଉଁମାନଙ୍କଠାରେ ଆତ୍ମହତ୍ୟା ପ୍ରବଣତା ଦେଖାଯାଉଛି ସେମାନଙ୍କୁ ଉଚ୍ଚମାନର ମାନସିକ ଚିକିତ୍ସା ପ୍ରଦାନ କରିବା ଜରୁରୀ। ଏହା ସହିତ ମନସ୍ତାତ୍ତ୍ବିକ ଚିକିତ୍ସା ବା କାଉନସେଲିଂ, ପରିବାର ଓ ପ୍ରିୟଜନମାନଙ୍କର ସାହାଯ୍ୟ ଓ ସହଯୋଗ ବ୍ୟକ୍ତି ପାଇଁ ଲାଭଦାୟକ ହୋଇଥାଏ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ତର୍ଜାତୀୟ ଆତ୍ମହତ୍ୟା ନିରୋଧକ ସଂଘର ମିଳିତ ଆନୁକୂଲ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖରେ ବିଶ୍ୱ ଆତ୍ମହତ୍ୟା ନିରୋଧକ ଦିବସ ପାଳନ କରାଯାଉଛି। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକମାନଙ୍କ ମଧ୍ୟରେ ଆତ୍ମହତ୍ୟା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା। ଜନସଚେତନତା ଓ ଜନ ଜାଗରଣ ସୃଷ୍ଟି ଦ୍ବାରା ଆତ୍ମହତ୍ୟାକୁ ସମ୍ପୂର୍ଣ୍ଣ ଭାବେ ପ୍ରତିରୋଧ କରାଯାଇ ପାରିବ ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର ।