ଡିସେମ୍ବର ୧୫ରୁ କୋଣାର୍କ ଇକୋ ରିଟ୍ରିଟ୍‌

ଓଡ଼ିଶା ଟୁଡେ: ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଇକୋ ରିଟ୍ରିଟ୍‌ ଆୟୋଜନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପର୍ଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ ଓ ଇ-ଫ୍ୟାକ୍ଟରର ମିଳିତ ସହଯୋଗରେ ପର୍ଯ୍ୟଟକଙ୍କ ପାଇଁ ଏଭଳି ଏକ ନିଆରା ଭେଟି ପ୍ରସ୍ତୁତ କରାଯିବ। ଏହି ସମୟ ମଧ୍ୟରେ ଉକ୍ତ ଅଞ୍ଚଳକୁ ଆକର୍ଷଣୀୟ କରିବା ସହିତ ସମସ୍ତ ସୁବିଧା ଯୋଗାଇ ଦେବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଚନ୍ଦ୍ରଭାଗାଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ରାସ୍ତା ଆଲୋକୀକରଣ କରାଯିବ। ୨୪ ଘଣ୍ଟିଆ ଲାଇଫଗାର୍ଡ ବ୍ୟବସ୍ଥା ସହ ପାର୍କିଂ ଏବଂ ସୁରକ୍ଷା ବ୍ୟବସ୍ଥା କରାଯିବ। ଡିସେମ୍ବର ୧ ତାରିଖରୁ ଏନେଇ ପ୍ରସ୍ତୁତି ଆରମ୍ଭ ହେବ। ଭିତ୍ତିଭୂମି କାର୍ଯ୍ୟ ସହ ବିଭିନ୍ନ ବିଭାଗ ଏନେଇ ସେବା ଯୋଗାଇ ଦେବାର ପ୍ରକ୍ରିୟା ଆରମ୍ଭ କରିବେ ।

ପୂର୍ବ ବର୍ଷର ଅଭିଜ୍ଞତା ଆଧାରରେ ଏଥରର ଇକୋ ରିଟ୍ରିଟ୍‌କୁ ଆହୁରି ପର୍ଯ୍ୟଟକ ଅନୁକୂଳ କରିବା ସହ ପର୍ଯ୍ୟଟକମାନେ ଯେପରି ସୁଖଦ ଅନୁଭବ ନେଇ ଲେଉଟିବେ ସେନେଇ ଗୁରୁତ୍ବ ଦେବାକୁ ଜିଲ୍ଳାପାଳ ଶ୍ରୀ ସ୍ବାଇଁ ପରାମର୍ଶ ଦେଇଛନ୍ତି। ପର୍ଯ୍ୟଟନ ସହକାରୀ ନିର୍ଦେଶକ ସରୋଜକାନ୍ତ ପ୍ରଧାନ କହିଛନ୍ତି, ଇକୋ ରିଟ୍ରିଟ୍‌ ଧୀରେଧୀରେ ପର୍ଯ୍ୟଟକଙ୍କ ପ୍ରିୟଭାଜନ ହେବାରେ ଲାଗିଛି। ପର୍ଯ୍ୟଟକମାନେ ନିଆରା ଅନୁଭବ ନେବାକୁ ଚାହୁଁଥିବା ବେଳେ ଇକୋ ରିଟ୍ରିଟ ସେହିଭଳି ଅନୁକୂଳ ପରିବେଶ ଭେଟି ଦେଉଥିବାରୁ ଚାହିଦା ବୃଦ୍ଧି ପାଉଛି। ଏନେଇ ବୁକିଂ ଆରମ୍ଭ ହୋଇଯାଇଛି। ଅନ୍‌ଲାଇନ୍‌ରେ ଓଡ଼ିଶା ଇକୋ ରିଟ୍ରିଟ୍‌ ସାଇଟ୍‌କୁ ଯାଇ ପର୍ଯ୍ୟଟକମାନେ ବୁକିଂ କରିପାରିବେ ବୋଲି ସେ କହିଛନ୍ତି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡିଏଫ‌୍ଓ ବିବେକ କୁମାର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି,ସିଡ଼ିଏମଓ ଡା ରୂପଭାନୁ ମିଶ୍ର, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ, ଅନ୍ୟାନ୍ୟ ବିଭାଗ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ ଇକୋ ରିଟ୍ରିଟ ଆୟୋଜନ କରୁଥିବା ଏଜେନ୍ସିର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *