କଂଗ୍ରେସର କଟା ଘା’ରେ ଚୂନ ଦେଲେ କେଜ୍ରିୱାଲ: କହିଲେ, ଅତ୍ୟଧିକ ଆତ୍ମବିଶ୍ୱାସ କ୍ଷତିକାରକ

ଚଣ୍ଡିଗଡ଼: ହରି ୟାନା ବିଧାନସଭା ନିର୍ବାଚନ ୨୦୨୪ର ଫଳାଫଳ ବର୍ତ୍ତମାନ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଛି ଏବଂ ଭାରତୀୟ ଜନତା ପାର୍ଟି(ବିଜେପି) ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବ। କ୍ରମାଗତ ତୃତୀୟ ଥର ପାଇଁ ବିଜେପି ହରିୟାଣାରେ କ୍ଷମତା ଦଖଲ କରିବାକୁ ଯାଉଥିବାବେଳେ କଂଗ୍ରେସର ଆଶା ସମ୍ପୂର୍ଣ୍ଣ ରୂପେ ଧୁଳିସାତ୍ ହୋଇଯାଇଛି। କଂଗ୍ରେସ ଆଶାବାଦୀ ଥିଲା ଯେ ଏଥର ଦଳ କ୍ଷମତାକୁ ଫେରିବ। କିନ୍ତୁ ଜନସାଧାରଣ ଦଳର ଭରସାକୁ ଭାଙ୍ଗି ଦେଇଛନ୍ତି। ସେପଟେ ଆମ୍ ଆଦମୀ ପାର୍ଟି (ଆପ୍) ନେତା ଅରବିନ୍ଦ କେଜ୍ରିୱାଲ କଂଗ୍ରେସର ପରାଜୟକୁ ନେଇ ଏକ କଟାକ୍ଷ କରିଛନ୍ତି। କଂଗ୍ରେସର କଟା ଘା’ରେ ଚୂନ ଦେଇ କେଜ୍ରିୱାଲ କହିଛନ୍ତି ଯେ ନିର୍ବାଚନରେ ଜଣେ କେବେବି ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ଉଚିତ୍ ନୁହେଁ ।

କେଜ୍ରିୱାଲ ତାଙ୍କ ମନ୍ତବ୍ୟରେ କହିଛନ୍ତି, ପ୍ରତ୍ୟେକ ନିର୍ବାଚନର ସବୁଠାରୁ ବଡ ଶିକ୍ଷା ହେଉଛି ଯେ ଆପଣ କେବେବି ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ଉଚିତ୍ ନୁହେଁ।କୌଣସି ନିର୍ବାଚନକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ୍ ନୁହେଁ କାରଣ ପ୍ରତ୍ୟେକ ଆସନ ଏକ ଚ୍ୟାଲେଞ୍ଜ ଅଟେ। କେଜ୍ରିୱାଲଙ୍କ ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ହରିୟାଣାର ୯୦ ଟି ଆସନରୁ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। କେଜ୍ରିୱାଲ ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନ ସଦସ୍ୟଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ହରିୟାଣାରେ ଫଳାଫଳ ଆମେ କ’ଣ ଦେଖିଲେ ? କିନ୍ତୁ ସବୁଠାରୁ ବଡ ଶିକ୍ଷା ହେଉଛି ଯେ କୌଣସି ନିର୍ବାଚନ ସହଜ ନୁହେଁ, ପ୍ରତ୍ୟେକ ଆସନରେ ଲଢ଼େଇ କଠିନ। ସୂଚନାଯୋଗ୍ୟ, ହରିୟାଣା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟକୁ ନେଇ ଅନେକ ଆଲୋଚନା ହୋଇଥିଲା। କିନ୍ତୁ ଶେଷରେ ଏହି ମେଣ୍ଟ ଗଠନ ହୋଇପାରିଲା ନାହିଁ। ଏହା ପରେ କେବଳ ଆପ୍ ନିଜ ପ୍ରାର୍ଥୀଙ୍କୁ୮୯ ଟି ଆସନରେ ଛିଡ଼ା କରାଇଥିଲା ।

କିନ୍ତୁ ଅଧିକାଂଶ ଆସନରେ ଏହାର ପ୍ରାର୍ଥୀମାନେ ବିଜେପି ଏବଂ କଂଗ୍ରେସଠାରୁ ପଛରେ ରହିଥିଲେ। ନିର୍ବାଚନ ପ୍ରଚାର ସମୟରେ କେଜ୍ରିୱାଲ ଦାବି କରିଥିଲେ ଯେ ହରିୟାଣାରେ ସରକାର ଆପ୍‌ର ସମର୍ଥନ ବିନା ଗଠନ ହେବ ନାହିଁ, କିନ୍ତୁ ଫଳାଫଳ ମଧ୍ୟ ଏହି ଦାବି ଭୁଲ୍ ହୋଇଥିବା ପ୍ରମାଣିତ କରିଛି।କେଜ୍ରିୱାଲଙ୍କ ଏହି ବିବୃତ୍ତି କଂଗ୍ରେସର ପରାଜୟ ପରେ ଏକ ଅପମାନଜନକ ପରି ଦେଖାଯାଉଛି, କାରଣ ଏହି ନିର୍ବାଚନ ଫଳାଫଳ କଂଗ୍ରେସ ପାଇଁ ଏକ ବଡ ଝ ଟକା ବୋଲି ପ୍ରମାଣିତ ହୋଇଛି। ତେବେ କେଜ୍ରିୱାଲ ନିଜେ କହିଛନ୍ତି ଯେ ଯଦି ତାଙ୍କୁ କିଛି ଦିନ ପୂର୍ବରୁ ଜେଲରୁ ମୁକ୍ତ କରାଯାଇଥାନ୍ତା ତେବେ ହରିୟାଣାରେ ଆପ୍ ସରକାର ଗଠନ କରିଥାନ୍ତେ, କିନ୍ତୁ ତାଙ୍କର ଅଧିକାଂଶ ପ୍ରାର୍ଥୀଙ୍କ ଜମା ମଧ୍ୟ ଜବତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *