ବୌଦ୍ଧରେ ମାଓ ଦମନ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କଲେ ପୁଲିସ ଡିଜି

ବୌଦ୍ଧ: ପୁଲିସ ଡିଜି ୱାଇ. ବି. ଖୁରାନିଆ ବୌଦ୍ଧ ଗସ୍ତରେ ଯାଇ ମାଓ ଦମନ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି ପୁଲିସ ଡିଜି। ତାଙ୍କ ସହ ଆଇଜି ଅପରେସନ୍ ଜୟନାରାୟଣ ପଙ୍କଜ, ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ, ବୌଦ୍ଧ ଏସପି ନାଗରାଜ ଦେବାରକୋଣ୍ଡାଙ୍କ ସମେତ ବିଭିନ୍ନ ଥାନା ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।ପୁଲିସ ଡିଜି ୱାଇ. ବି. ଖୁରାନିଆ ମାଓ ସମୀକ୍ଷା ପାଇଁ ଗତକାଲି କନ୍ଧମାଳରେ ପହଞ୍ଚିଥଲେ। ଏହାପରେ ସେ ବୌଦ୍ଧ ଗସ୍ତରେ ଆସି ସର୍କିଟ୍ ହାଉସରେ ରହଣି କରିଥିଲେ। ଆଜି ସକାଳେ ସେ ସମୀକ୍ଷା ବୈଠକ କରିଥିଲେ।ସୂଚନାଯୋଗ୍ୟ, ଗତକାଲି ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଦୁଇଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ପୁଲିସର ମାଓଦମନ ଅପରେସନ୍ ସମୀକ୍ଷା କରିଥିଲେ। ଫୁଲବାଣୀସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ରୁଦ୍ଧଦ୍ବାର ସମୀକ୍ଷା ବୈଠକରେ କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ କରିବା ନେଇ ସେ ଗୁରୁତ୍ବାରୋପ କରିଥିଲେ। କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ନକ୍ସଲ କାର୍ଯ୍ୟକଳାପର ସମୀକ୍ଷା କରିବା ସହିତ ମାଓଦମନ ନେଇ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି। ଏହା ସହ କନ୍ଧମାଳ, ବୌଦ୍ଧ ଏବଂ କଳାହାଣ୍ଡି ଜିଲ୍ଲାରେ ମାଓବାଦୀଙ୍କ ପ୍ରୋତ୍ସାହନରେ ଚାଲିଥିବା ଗଞ୍ଜେଇ ଚାଷର ମୂଳୋତ୍ପାଟନ ନେଇ ମଧ୍ୟ ଡିଜି ଗୁରୁତ୍ବାରୋପ କରିଛନ୍ତି। ମାଓବାଦୀମାନେ ହିଂସା ପଥ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଡିଜି ସମସ୍ତ ମାଓବାଦୀମାନଙ୍କୁ ଆହ୍ବାନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *