ଚାଲାଣ ପୂର୍ବରୁ ୪୦୪ ଗ୍ରାମ୍‌ ଧଳାଜହର ଜବତ; ୨ ମହିଳାଙ୍କ ସମେତ ୩ ଗିରଫ

ପୁରୀ: ବିଶ୍ବ ପ୍ରସିଦ୍ଧ ହିନ୍ଦୁ ଧାମ ‘ଶ୍ରୀକ୍ଷେତ୍ର’ରେ ବ୍ୟାପକ ନିଶା ବେପାର ଚାଲିଛି। ଗଂଜେଇ ଓ ଧଳାଜହର କାରବାର ବୃଦ୍ଧି ପାଇଛି। ନିଶା ବେପାରୀଙ୍କୁ ଧରିବା ପାଇଁ ପୁଲିସ ସ୍ବତନ୍ତ୍ର ଅଭିଯାନ ଚଲାଇଛି। ତଥାପି ବେଆଇନ ଭାବେ ବେପାର କରୁଥିବା ଅସାମାଜିକ ବ୍ୟକ୍ତିମାନେ ପୁଲିସକୁ ଆଦୌ ଖାତିର କରୁନାହାନ୍ତି। ଫଳ ସ୍ବରୂପ ପୁରୀ ପୁଲିସ ଆଜି ସ୍ବତନ୍ତ୍ର ଅଭିଯାନ ‌ବେଳେ ନିଶା ବେପାରୀମାନଙ୍କ ଠାରୁ ୪୦୪ ଗ୍ରାମ ଧଳାଜହର ଜବତ କରିଛି। ଏହି କାରବାର ସହିତ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗିରଫମାନଙ୍କ ମଧ୍ୟରେ ୨ ଜଣ ମହିଳା ମଧ୍ୟ ଅଛନ୍ତି।ପୁରୀ ପୁଲିସ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ କହିଛି, ବାସେଳିସାହି ଥାନାର ଏକ ଟିମ୍‌ ସ୍ବତନ୍ତ୍ର ଅପରେସନ ବେଳେ ୩୧୬ ନମ୍ବର ଜାତୀୟ ରାଜପଥର ଶ୍ରୀ ସେତୁ ନିକଟରେ ଆଜି ଦୁଇ ଜଣ ମହିଳାଙ୍କ ସମେତ ମୋଟ୍‌ ୩ ଜଣଙ୍କୁ ଗିରଫ କରାଯାଇଛି। ବାସେଳିସାହି ଥାନା ଅଧୀନ କଣିଆ ପୋଖରୀ ନିକଟ ଗୋଖାସାହିର ସ୍ବର୍ଗତ ଦିଲୀପ ପଣ୍ଡାଙ୍କ ପୁଅ ରାଜେଶ ପଣ୍ଡା ଓରଫ ରାଜା (୨୫), ଦିଲୀପ ପଣ୍ଡାଙ୍କ ସ୍ତ୍ରୀ ଝରଣା ପଣ୍ଡା ଓରଫ ଗୀତା ବେହେରା (୪୨) ଓ କାଳିଆ ପାଢ଼ୀଙ୍କ ସ୍ତ୍ରୀ ଦୁର୍ଗା ପଣ୍ଡା (୨୪) ବ୍ରାଉନସୁଗାର ବିକ୍ରି ପାଇଁ ନିଜ ପାଖରେ ୪୦୪ ଗ୍ରାମ ବ୍ରାଉନସୁଗାର ମହଜୁଦ ରଖିଥିଲେ।ପବିତ୍ର ଶ୍ରୀକ୍ଷେତ୍ର ଉପରେ ଭକ୍ତମାନଙ୍କର ଆସ୍ଥା ରହିଛି। କିନ୍ତୁ କ୍ଷୋଭର କଥା ଯେ, ଏଠାରେ ଚୋରି, ଠକେଇ, ଲୁଟ୍‌, ରାହାଜାନୀ, ହତ୍ୟା, ନିଶାକାର ଘଟଣା ଘଟୁଛି। ଏହିଭଳି ଘଟଣା ଭକ୍ତମାନଙ୍କୁ ଘୋର ଆଘାତ ଦେଉଛି। ପୁଲିସ ଉପରୋକ୍ତ ୩ ଅଭିଯୁକ୍ତମାନଙ୍କ ଠାରୁ ବ୍ରାଉନସୁଗାର ସହିତ ନଗଦ ୮୯୦ ଟଙ୍କା, ୫ଟି ଆଣ୍ଡରାଏଡ ମୋବାଇଲ ଫୋନ୍‌, ଏକ ବୁଲେଟ୍‌ (ଓଡି ୧୩ଭି ୦୫୫୦), ଏକ ଲାପଟପ୍‌ (ଲିନୋଭୋ) ଓ ଏକ ଟେବ୍‌ଲେଟ୍‌ (ୱାନ୍‌ପ୍ଲସ୍‌) ଜବତ କରିଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *