ସଡ଼କ ଦୁର୍ଘଟଣାରେ ଜଣେ ମୃତ: କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ରାସ୍ତାରୋକ

ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଭବାନୀପାଟଣା – ରାୟପୁର ୧୬ ନମ୍ବର ରାଜ୍ୟ ରାଜପଥର ଚାନ୍ଦୋତରା ଛକରେ ସଡ଼କ ଦୁର୍ଘଟଣାକୁ ନେଇ କାର୍ଯ୍ୟନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ରାସ୍ତାରୋକ କରାଯାଇଛି।ଘଟଣାନୁଯାୟୀ ୨୨ ତାରିଖ ଭୋର ସକାଳୁ ଚାନ୍ଦୋତରା ଗ୍ରାମର ପୀତବାସ ବେହେରା (୪୨) ୧୬ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ପୋଖରୀକୁ ଶୌଚ ହେବାପାଇଁ ଯାଇ ଘରକୁ ଫେରୁଥିବା ସମୟରେ ରୋଡ ଓ୍ବେଜ ନାମକ ଏକ ଘରୋଇ ବସ୍ ରାୟପୁରରୁ ଭବାନୀପାଟଣା ଯାଉଥିବା କୌଣସି କାରଣରୁ ପଛପଟୁ ଧକ୍କା ଦେବା ଫଳରେ ପୀତବାସ ଛିଟିକି ଯାଇଥିଲେ ।

ଗୁରୁତର ପୀତବାସଙ୍କୁ ଘଟଣାସ୍ଥଳରୁ ପ୍ରଥମେ ସିନ୍ଧେକେଲା ହସ୍ପିଟାଲକୁ ଆଣି ପ୍ରାଥମିକ ଚିକିତ୍ସାପରେ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେଠାରେ ପୁଣି ଅବସ୍ଥା ସଙ୍କଟାପନ୍ନ ଥିବାରୁ ରାୟପୁର ସ୍ଥାନାନ୍ତରିତ କରାଯାଇଥିଲା। ରାୟପୁରରେ ଚିକିତ୍ସାଧୀନ ଅବସ୍ଥାରେ ପୀତବାସଙ୍କ ମୃତ୍ୟୁ ୨୬ ତାରିଖରେ ହୋଇଥିବା ଖବର ପାଇବା ପରେ ଆଜି ରବିବାର ସକାଳୁ ଚାନ୍ଦୋତରା ଛକରେ ତାଙ୍କ ପରିବାର ଓ ଗ୍ରାମବାସୀ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଫଳରେ ୧୬ ନମ୍ବର ରାଜ୍ୟ ରାଜପଥରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳିଛି।ପରେ ସିନ୍ଧେକେଲା ପୁଲିସ ପହଞ୍ଚି ବୁଝାସୁଝା କରି ବଙ୍ଗୋମୁଣ୍ଡା ତହସିଲଦାରଙ୍କ ନିର୍ଦ୍ଦେଶରେ ସିନ୍ଧେକେଲା ଆରଆଇ ପହଞ୍ଚି ରେଡକ୍ରସ ଫଣ୍ଡରୁ ୧୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ସହାୟତା ଦିଆଯାଇଛି ଏବଂ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ପାଇବାପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଯାଇଥିବା ସିନ୍ଧେକେଲା ଆଇଆଇସି ବସନ୍ତ କୁମାର ଦଲାଇଙ୍କ ଠାରୁ ସୁଚନା ମିଳିଛି ।

Leave a Reply

Your email address will not be published. Required fields are marked *