ଆମ୍ବଟାକୁଆ ଜାଉ ଖାଇ ଦୁଇଜଣଙ୍କ ମୃତ୍ୟୁ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍‌ଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଅନ୍ୟ ଜଣ ଅସୁସ୍ଥ ‌ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଏବେ ବି କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅଛନ୍ତି। ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଗୋଟିଏ ପରିବାରର ଗତ ୩୦ତାରିଖ ଦିନ ଆମ୍ବଟାକୁଆରେ ପ୍ରସ୍ତୁତ ଖାଦ୍ୟ ଖାଇଥିଲେ । ଆମ୍ବଟାକୁଆ ଜାଉ ଖାଇବାର କିଛି ସମୟ ପରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା ।

ଅନ୍ୟ ୬ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ତାନାନ୍ତରିତ କରାଯିବା ସମୟରେ କୁମ୍ଭାରା ମାଝୀଙ୍କ ଝିଅ ରୁନି ମାଝୀ (୩୦) ଓ ଅନିଲ ପାଟମାଝୀଙ୍କ ଝିଅ ରମିତା ପାଟମାଝୀ(୨୮)ଙ୍କ ବାଟରେ ମୃତ୍ୟୁ ହୋଇଥିଲା।ଗୁରୁତରମାନେ ହେଲେ ପ୍ରଭାତୀ ମାଝୀ(୩୨), ସୁସନା ମାଝୀ( ୩୫), ଦିଶ ମାଝୀଙ୍କ ପତ୍ନୀ ଜିତା ମାଝୀ (୩୦), କୁପିସା ପାଟମାଝୀଙ୍କ ସ୍ତ୍ରୀ ଦ୍ରେଙ୍ଗାଲୁ ପାଟମାଝୀ (୫୫), କୁମ୍ଭାରା ମାଝୀଙ୍କ ପତ୍ନୀ ଜୀବନ୍ତି ପାଟମାଝୀ (୩୦) ଓ ସୁବୋଧ ମାଝୀଙ୍କ ପତ୍ନୀ ଟୁନି ମାଝୀ(୪୫)। ମୃତକ ଓ ୬ ଗୁରୁତର ସମସ୍ତେ ମହିଳା। ଏଥିରୁ ୨ ଜଣ ଗୁରୁତର ଥିବାରୁ ଏସ୍‌ସିବିରେ ଚିକିତ୍ସାଧୀନ ଅଛନ୍ତି। କନ୍ଧମାଳ ଜିଲ୍ଲା ପ୍ରଶାସନ ମଧ୍ୟ ଏହି ଘଟଣାକୁ ଗୁରୁତ୍ବର ସହ ନେଇ କାର୍ଯ୍ୟ କରୁଛି। କନ୍ଧମାଳ ସିଡିଏମ୍‌ଓ ଡାକ୍ତର ସନ୍ତୋଷ ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ଏମ୍‌ଏଚ୍‌ୟୁ ଟିମ୍‌ ଓ ଆଇଡିଏସ୍‌ପି ଟିମ୍‌ ଓ ଅତିରିକ୍ତ ସିଡିଏମ୍‌ଓ (ଜନସ୍ବାସ୍ଥ୍ୟ) ଡାକ୍ତର କଲ୍ୟାଣୀ ମିଶ୍ରଙ୍କ ନେତୃତ୍ବରେ ଅନ୍ୟ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆମ୍ବଟାକୁଆର ଖାଦ୍ୟ ମାନ ପରୀକ୍ଷଣ ପାଇଁ ଫରେନ୍‌ସିକ୍‌ ଲ୍ୟାବ୍‌କୁ ନମୁନା ପଠାଯିବ ବୋଲି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପାଢ଼ୀ ପୂର୍ବରୁ ସୂଚନା ଦେଇଛନ୍ତି। କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ସିଡିଏମ୍‌ଓ ଓ ଅତିରିକ୍ତ ସିଡିଏମ୍‌ଓଙ୍କୁ ନେଇ ଏକ ସମୀକ୍ଷା ବୈଠକ କରି ସର୍ବଶେଷ ସ୍ଥିତି ଉପରେ ଆଲୋଚନା କରିଥିଲେ। ତହସିଲଦାର ଶରତ ଶବର ଗାଁରେ ପହଞ୍ଚି ମୃତକ ପରିବାରକୁ ୨୦ ହଜାର ଓ ଆକ୍ରାନ୍ତଙ୍କ ପରିବାରକୁ ୧୦ ହଜାର ଟଙ୍କା ଚିକିତ୍ସା ସହାୟତା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *