
ଭୁବନେଶ୍ବର: ଏମ୍ବିକେ, ସିଆର୍ପି ଓ ବ୍ୟାଙ୍କ ମିତ୍ରମାନଙ୍କୁ ବକେୟା ଦରମା ପ୍ରଦାନ ଓ ଚୁକ୍ତିର ନବୀକରଣ ପ୍ରସଙ୍ଗ ଆଜି ପୁଣି ବିଧାନସଭାରେ ଉଠିଛି। ଏହି ପ୍ରସଙ୍ଗ ଉଠାଇ ପ୍ରଶ୍ନକାଳରେ ବିଜେଡି ଓ କଂଗ୍ରେସ ସଭ୍ୟମାନେ ହୋହଲ୍ଲା କରିବାରୁ ବାଚସ୍ପତି ଗୃହକୁ ଏକ ଘଣ୍ଟା ମୁଲତବୀ ରଖିଥିଲେ। ଶୂନ୍ୟକାଳରେ ଏହି ପ୍ରସଙ୍ଗରେ ବିଜେଡି ଓ ବିଜେପି ପରସ୍ପରକୁ ଆକ୍ଷେପ କରିଥିଲେ। କଂଗ୍ରେସ ସଭ୍ୟମାନେ ଉଭୟ ଦଳକୁ ଟାର୍ଗେଟ୍ କରିଥିଲେ। ଗୃହ ବାହାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ, ମିସନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିବାକୁ ରାଜ୍ୟ ବିଜେପି ସରକାର ଷଡ଼ଯନ୍ତ୍ର କରୁଛନ୍ତି। ମିସନ ଶକ୍ତି କର୍ମୀଙ୍କ ପ୍ରତି ବିଜେଡିର ସମର୍ଥନ ଜାରି ରହିବ।ଶୂନ୍ୟକାଳରେ ପ୍ରଥମେ ଏହି ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ କହିଲେ, ବିଧାନସଭା ସାମ୍ନାରେ ଏମ୍ବିକେ, ସିଆର୍ପି ଓ ବ୍ୟାଙ୍କ ମିତ୍ରମାନଙ୍କ ଆନ୍ଦୋଳନ ଚାଲିଛି। ମା’ ଭଉଣୀମାନେ ଖରା, କାକରରେ ରାଜରାସ୍ତାରେ ପଡ଼ିଛନ୍ତି। ୮ ମାସ ହେଲା ସେମାନେ ଦରମା ପାଇ ନାହାନ୍ତି। ଗୋଟିଏ ପଟେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିଦେଲେ ବୋଲି କହୁଛନ୍ତି। ଅନ୍ୟ ପଟେ ମା’ଭଉଣୀମାନଙ୍କୁ ଦରମା ନ ଦେଇ ହନ୍ତସନ୍ତ କରୁଛନ୍ତି। ୬ ମାସ ହେଲା ଏହି ସରକାର ଆସିଲାଣି। ସେମାନଙ୍କ ଚୁକ୍ତିକୁ ନବୀକରଣ କରାଯାଉ ନାହିଁ କାହିଁକି? ମିସନ ଶକ୍ତି ବନ୍ଦ କରିବାକୁ ଷଡ଼ଯନ୍ତ୍ର ନ କରି ସେମାନଙ୍କ ଦୁଃଖ ବୁଝିବା ଦରକାର। ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, ସରକାର ଏମ୍ବିକେ, ସିଆର୍ପି ଓ ବ୍ୟାଙ୍କ ମିତ୍ରମାନଙ୍କ କଥା ତୁରନ୍ତ ବୁଝନ୍ତୁ। ଏବର ସରକାର ମହିଳା ସଶକ୍ତୀକରଣ କଥା ବାରମ୍ବାର କହୁଛନ୍ତି। କିନ୍ତୁ ଅନ୍ୟ ବିଜେପି ଶାସିତ ରାଜ୍ୟରେ ମହିଳାମାନଙ୍କୁ ମାସିକ ଅଧିକ ଅର୍ଥରାଶି ଦିଆଯାଉଥିଲା ବେଳେ ଓଡ଼ିଶାରେ ସୁଭଦ୍ରା ଯୋଜନାରେ ମାସକୁ ମାତ୍ର ୮୩୩ ଟଙ୍କା ଦିଆଯାଉଛି। ଏଥିରେ ମହିଳା ସଶକ୍ତୀକରଣ କିପରି ହେବ? ଇଏ ଡବଲ୍ ଷ୍ଟାଣ୍ଡାର୍ଡ ସରକାର। ନିରଞ୍ଜନ ପୂଜାରୀ କହିଲେ, ଏମ୍ବିକେ, ସିଆର୍ପି ଓ ବ୍ୟାଙ୍କ ମିତ୍ରମାନଙ୍କୁ ତ ଚାକିରୁ ନିବୃତ୍ତ କରାଯାଇନି। ସେମାନଙ୍କୁ ସରକାର କାମରେ ଲଗାଇଛନ୍ତି। ତେଣୁ ଦରମା କାହିଁକି ଦିଆଯିବନି? ଶାରଦା ଜେନା କହିଥିଲେ, ମା’ମାନେ ଏତେ ସଂଖ୍ୟାରେ ରାଜରାସ୍ତାରେ ବସିବା ଓଡ଼ିଶା ପ୍ରତି ଲଜ୍ଜା ।
ମା’ମାନଙ୍କୁ ରାଜରାସ୍ତାରେ ପଡ଼ିବାକୁ ସରକାର ବାଧ୍ୟ କରୁଛନ୍ତି: ବିଜେଡି ଏହି ଦୁର୍ଦ୍ଦଶା ପାଇଁ ଉଭୟ ବିଜେଡି ଓ ବିଜେପି ଦାୟୀ: କଂଗ୍ରେସ ବିଜେଡି ସରକାର ସେମାନଙ୍କୁ ମଝି ଦରିଆକୁ ଠେଲି ଦେଇଛି: ଶାସକ ଦଳକଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଥିଲେ, ଶୀତ କାକରରେ ମା’ମାନେ ବସିଛନ୍ତି। ନିର୍ବାଚନ ଆଗରୁ ବିଜେଡି ସରକାର ସେମାନଙ୍କ ଦରମା ୩ ମାସ ବନ୍ଦ କରିଦେଲେ। ଏବେ ଏ ସରକାର ବି ଦରମା ଦେଉନାହାନ୍ତି। ମହିଳାମାନଙ୍କ ପ୍ରତି ସରକାର ସମ୍ବେଦନଶୀଳ ନଥିବା ପ୍ରମାଣିତ ହେଉଛି। ଅଶୋକ ଦାସ କହିଲେ, କେବଳ ଆକ୍ଷେପ ପ୍ରତି ଆକ୍ଷେପ କରା ନଯାଇ ସେମାନଙ୍କ ସମସ୍ୟାର ସମାଧାନର ବାଟ ବାହାରୁ। ସୋଫିଆ ଫିର୍ଦୋସ କହିଥିଲେ, ମିସନ ଶକ୍ତି ବ୍ୟବସ୍ଥାରେ ତଳୁ ଉପର ଯାଏ ସମସ୍ତଙ୍କୁ ପୂର୍ବ ସରକାର ରାଜନୈତିକ କାମରେ ବ୍ୟବହାର କରୁଥିଲେ। ନିର୍ବାଚନ ବେଳେ ଟଙ୍କା ବାଣ୍ଟିବା ଓ ଧମକଚମକ ଦେବାକୁ ସେମାନଙ୍କୁ କୁହାଯାଇଥିଲା। ସେଥି ପାଇଁ ତ ଲୋକମାନେ ବିଜେଡିକୁ ଶିକ୍ଷା ଦେଲେ। କିନ୍ତୁ ବର୍ତ୍ତମାନର ସରକାର ବି ସେମାନଙ୍କ କଥା ଚିନ୍ତା କରୁ ନାହାନ୍ତି। ମହିଳାମାନେ ରାଜରାସ୍ତାରେ ଶୋଉଛନ୍ତି। ପିଇବା ପାଣି, ଟଏଲେଟ୍ ସୁବିଧା ନାହିଁ। କେହି ରାସ୍ତାରେ ଖୁସିରେ ଶୁଅନ୍ତି ନାହିଁ। ସେମାନଙ୍କ କଥା ତୁରନ୍ତ ବିଚାର କରାଯାଉ ।
ଶାସକ ଦଳ ସଭ୍ୟ ଟଙ୍କଧର ତ୍ରିପାଠୀ କହିଲେ, ଗୃହ ଭିତରେ ଓ ବାହାରେ ବିଜେଡି ନେତାମାନେ ନାଟକବାଜି କରୁଛନ୍ତି। ମହିଳାମାନଙ୍କୁ ସେମାନେ ରାଜନୈତିକ ହତିଆର ଭାବେ ବ୍ୟବହାର କରୁଛନ୍ତି। ମିସନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିଦେଲେ ବୋଲି ସେମାନେ ଡିଣ୍ଡିମ ପିଟୁଛନ୍ତି। ବିଜେପି ସରକାର ତ ୫ ମାସ ହେଲା କ୍ଷମତାକୁ ଆସିଲା। ତାହା ପୂର୍ବ ତିନି ମାସ ସେମାନଙ୍କ ଦରମା କାହିଁକି ବନ୍ଦ ହୋଇଥିଲା। ମା’ମାନଙ୍କୁ ରାଜନୀତିରେ ବ୍ୟବହାର କରା ନଯାଉ। ବିଜେଡି ସରକାର ମହିଳାମାନଙ୍କୁ ସଶକ୍ତ କରୁ ନଥିଲା, ବରଂ ମଝି ଦରିଆରେ ଭସାଇ ଦେଇଥିଲା। ସେଥି ପାଇଁ ମହିଳାମାନେ ସେମାନଙ୍କୁ ଶାସ୍ତି ଦେଇ କ୍ଷମତାରୁ ହଟାଇ ଦେଇଛନ୍ତି। ବିଜେପି ସରକାର ନିଶ୍ଚିତ ଭାବେ ସେମାନଙ୍କୁ ନ୍ୟାୟ ଦେବ। ସନାତନ ବିଜୁଳି ମଧ୍ୟ ଏହି ପ୍ରସଙ୍ଗରେ ପୂର୍ବ ସରକାରଙ୍କୁ ସମାଲୋଚନା କରିଥିଲେ। ଓମ୍ ପ୍ରକାଶ ସାହୁ କହିଲେ, ଏସ୍ଏଚ୍ଜି ଗ୍ରୁପ୍ମାନଙ୍କୁ ସଶକ୍ତ କରାଯାଉ ନଥିଲା, ବରଂ ବିଜେଡି ପାଇଁ କାମ କରିବାକୁ ଦଳୀୟ ପତାକା ଧରାଇ ଦିଆଯାଉଥିଲା। ଉପାସନା ମହାପାତ୍ର କହିଥିଲେ, ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ମା’ମାନଙ୍କୁ ବିଜେଡି ବ୍ୟବହାର କରୁଥିଲା। ଆଜି ସେମାନେ ରାଜରାସ୍ତାରେ ବସିଥିବାରୁ ଆମେ ଦୁଃଖିତ। କିନ୍ତୁ ପୂର୍ବ ସରକାରର ଭୁଲ୍ ପାଇଁ ଏପରି ସ୍ଥିତି ହୋଇଛି। ଈରାଶିଷ ଆଚାରର୍ଯ୍ୟ କହିଥିଲେ, ୨୪ ବର୍ଷର ଶାସନ ଭିତରେ ମହିଳାଙ୍କୁ ସ୍ବାବଲମ୍ବୀ ନ କରି ବିଜେଡି ସଭ୍ୟମାନେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।