ହୋଟେଲରେ ସରକାରଙ୍କ ଆଳୁ ମିସନ୍‌: ବଜାରରେ ବିକ୍ରି ହେଉଛି ବସ୍ତା ବସ୍ତା ବିହନ

ବଲାଙ୍ଗୀର/ଦେଓଗାଁ: ରାଜ୍ୟରେ ଆଳୁ ସଂକଟ ବର୍ଷର ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି। ଆଳୁ ଅଭାବ ଦୂର ସହ ଦର ହ୍ରାସ ପାଇଁ ଓଡ଼ିଶାରେ ଆଳୁଚାଷ କରିବାକୁ ଚାଷୀଙ୍କୁ ଉତ୍ସାହିତ କରାଯାଉଛି। କେବଳ ସେତିକି ନୁହେଁ, ରିହାତିରେ ଆଳୁ ବିହନ ମଧ୍ୟ ଯୋଗାଣ ହେଉଛି। ହେଲେ ସରକାରଙ୍କ ଏହି ମିସନ୍‌ ଏବେ ହୋଟେଲ୍‌ରେ। ସିଧା ଅର୍ଥରେ କହିବାକୁ ଗଲେ ଚାଷ ପାଇଁ ଉଦ୍ଦିଷ୍ଟ ଆଳୁ ବିହନ ହୋଟେଲ୍‌ରେ ହିଁ ବ୍ୟବହାର ହେଉଛି। ବଜାରରେ ମଧ୍ୟ ବସ୍ତାବସ୍ତା ବିହନ ଆଳୁ ବିକ୍ରି ଚାଲିଛି। ଖୋଲା ବଜାରରେ ଆଳୁ ଦର ଉଚ୍ଚା ରହିଥିବା ବେଳେ ଉଦ୍ୟାନ ବିଭାଗରୁ ଚାଷ ଉଦ୍ଦେଶ୍ୟରେ ଆଣିଥିବା ବିହନ ଆଳୁ କମ୍‌ ଦରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ବଲଙ୍ଗୀର ଅଞ୍ଚଳରେ। ‘ସମ୍ବାଦ’ ହାତରେ ଏହାର ଠୋସ୍‌ ପ୍ରମାଣ ବି ଲାଗିଛି। ସୂଚନା ମୁତାବକ, ଆଳୁ ମିସନ୍‌ ଯୋଜନାରେ ଗୁଡ଼ଭେଲା ବ୍ଲକ୍‌ରେ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ହେକ୍ଟର ଅର୍ଥାତ୍‌ ୧୨୫ ଏକର ଜମିରେ ଆଳୁ ଚାଷ କରିବା ପାଇଁ ୬୦୦ କ୍ବିଣ୍ଟାଲ୍‌ (୧୨ଶହ ବସ୍ତା) ଆଳୁ ବିହନ ଉଦ୍ୟାନ କୃଷି ବିଭାଗକୁ ଯୋଗାଇ ଦିଆଯାଇଛି। ଅନୁରୂପ ଭାବେ ଦେଓଗାଁ ବ୍ଲକ୍‌କୁ ୧୩ ଶହ ଓ ସଇନ୍ତଳା ବ୍ଲକ୍‌କୁ ୧୨ ଶହ ବସ୍ତା ଆଳୁ ବିହନ ଆସିଥିଲା। କିନ୍ତୁ ଏହି ଆଳୁ ବିହନକୁ ଅଣଚାଷୀଙ୍କୁ ବଣ୍ଟନ କରାଯାଇଛି। ଆଉ ଏହା ସିଧାସଳଖ ଖୋଲା ବଜାରରେ ବିକ୍ରି ହେଉଛି। ଆଳୁଚାଷ ପାଇଁ ଚାଷୀ ପିଛା ୩ ବସ୍ତା ବିହନ ସହିତ ୩ ହଜାର ଟଙ୍କା ରିହାତି ମୂଲ୍ୟରେ ବଣ୍ଟନ କରାଯାଉଛି। ଚାଷର ମାସକ ପରେ ୫୦ ପ୍ରତିଶତ ରିହାତି ବାବଦକୁ ୧୫ ଶହ ଟଙ୍କା ଦିଆଯିବାର ନିୟମ ରହିଛି। କିନ୍ତୁ ଆଳୁ ଚାଷ ନହୋଇ ବଜାରରେ ବିକ୍ରି ହେଉଥିବାରୁ ଚାଷୀଙ୍କ ନାମରେ କିଭଳି ସବ୍‌ସିଡି ଟଙ୍କା ପଡ଼ିବ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗୁଡ଼ଭେଲା, ଦେଓଗାଁ, ସଇନ୍ତଳା, ଟିଟିଲାଗଡ଼ ବ୍ଲକ୍‌ର ବିଭିନ୍ନ ସାପ୍ତାହିକ ବଜାରରେ ଆଳୁ ବିହନ ୨୫ରୁ ୩୦ ଟଙ୍କା ଦରରେ ବିକ୍ରି ହେଉଛି। ଦେଓଗାଁ ବ୍ଲକ୍‌କୁ ଆସୁଥିବା ଆଳୁ ଅଧିକ ମାତ୍ରାରେ ଅଣଚାଷୀ ନେଇଛନ୍ତି। ସେମାନେ ହୋଟେଲ ଓ ବଜାରରେ ତାକୁ ବିକ୍ରି କରୁଛନ୍ତି। ଖୁଚୁରା ବଜାରରେ ଆଳୁ କିଲୋ ପିଛା ୫୦ ଟଙ୍କାରେ ଖାଉଟି କିଣିବା ସମୟରେ ଏହି ସରକାରୀ ଆଳୁ ବିହନ କିଲୋ ୨୫ ଟଙ୍କା ଯାଏ ଉପଲବ୍ଧ ରହିଛି। ବସ୍ତା ବସ୍ତା ବିହନ ଆଳୁକୁ ବେପାରୀମାନେ ଗଚ୍ଛିତ ରଖିଛନ୍ତି। ଜିଲ୍ଲାର ଅନ୍ୟ ବ୍ଲକ୍‌ରେ ବି ଏଭଳି କାରସାଦି ଚାଲିଥିବା ସ୍ପଷ୍ଟ ବାରି ହେଉଛି ।

Leave a Reply

Your email address will not be published. Required fields are marked *