
ଭଞ୍ଜନଗର (ଓଡ଼ିଶା ଟୁଡେ): ସରସ୍ଵତୀ ଶିଶୁ ମନ୍ଦିର ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ବିପ୍ଲବ ଅଟେ । ଭାରତୀୟ ପଦ୍ଧତି ଓ ମୂଲ୍ୟବୋଧ ଆଧାରିତ ଶିକ୍ଷା, ଗୁଣାତ୍ମକ ଶିକ୍ଷା ଓ ସାଧାରଣ ଲୋକଙ୍କ ପାଇଁ ଶିକ୍ଷା ପ୍ରଦାନ ସହ ଏକ ନୂଆ ପିଢ଼ି ଗଢ଼ିବାରେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଦ୍ଵାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଭୂମିକା ସବୁଠୁ ବଡ଼ ବୋଲି କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୁରୁବାର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଡିହପଢ଼ାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ଭବନ ଉଦ୍ଘାଟନ ଉତ୍ସବରେ ଯୋଗଦେଇ ସେ କହିଛନ୍ତି, ନିଜ ଧର୍ମ ଓ ରାଷ୍ଟ୍ରକୁ ଭଲ ପାଇବା ତଥା ଏହାପାଇଁ ଆନୁଗତ୍ୟ ଦେଖାଇବାରେ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ସବୁବେଳେ ଆଗରେ ରହି ଆସିଛନ୍ତି । ଓଡ଼ିଶାରେ ପ୍ରାୟ ୬୧ ହଜାର ସ୍କୁଲ ମଧ୍ୟରୁ ଶିଶୁ ମନ୍ଦିରର ସଂଖ୍ୟା ହେଉଛି ପ୍ରାୟ ୧ ହଜାର । ଓଡ଼ିଶାରେ ୭୬ ଲକ୍ଷ ଛାତ୍ରଛାତ୍ରୀ ସ୍କୁଲରେ ପାଠ ପଢୁଥିବା ବେଳେ ଶିଶୁ ମନ୍ଦିରରେ ପ୍ରାୟ ୩ ଲକ୍ଷ ୭୦ ହଜାର ପିଲା ପାଠ ପଢୁଛନ୍ତି । ଗଞ୍ଜାମର ନୀଳକଣ୍ଠ ନଗର ଶିଶୁ ବିଦ୍ୟା ମନ୍ଦିର ରାଜ୍ୟର ଅଗ୍ରଣୀ ବିଦ୍ୟାଳୟ ଭାବେ ଉଭା ହୋଇଛି । ତେବେ ଶିଶୁ ମନ୍ଦିର ପାଖରେ ଏକ ଯାଦୁ ଅଛି । ଛାତ୍ରଛାତ୍ରୀମାନେ ଏଠାରୁ ପାଠ ପଢି କେବଳ ଡିଗ୍ରୀ ଓ ସାର୍ଟିଫିକେଟ୍ ପାଇ ନାହାଁନ୍ତି , ଜ୍ଞାନ ଆହରଣ କରି ସମାଜରେ ଜଣେ ଉତ୍ତମ ନାଗରିକ ହେଉଛନ୍ତି । ଏହି ଶିକ୍ଷା ରୂପକ ମନ୍ଦିରରୁ ପାଠ ପଢୁଥିବା ପିଲାମାନେ ସମାଜରେ ଜଣେ ସଫଳ ଓ ଦାୟିତ୍ବବାନ ନାଗରିକ ଭାବେ ପରିଚିତ ହେଉଛନ୍ତି, ଯାହା ଆମ ପାଇଁ ଗର୍ବର ବିଷୟ ।
୧୯୯୦ରୁ ସ୍ଥାପିତ ଡିହପଢ଼ାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୩୫ ବର୍ଷ ଧରି ଉପାନ୍ତ ଅଞ୍ଚଳରେ ନିରନ୍ତର ଶିକ୍ଷା ପ୍ରଦାନ କରିଚାଲିଛି । ଭାରତୀୟ ଶିକ୍ଷା ପ୍ରଣାଳୀରେ ଲୋକମାନଙ୍କୁ ଯୋଡ଼ିବା ପାଇଁ ଭଞ୍ଜ ମାଟିରେ ପ୍ରତିଷ୍ଠିତ ଏହି ଶିଶୁ ମନ୍ଦିରରୁ ପାଠ ପଢି ଅନେକ ଛାତ୍ରଛାତ୍ରୀ ଆଇଆଇଟି ଓ ଏନ୍ଆଇଟିରେ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି । ଅନେକ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ଅନେକ ଛାତ୍ରଛାତ୍ରୀ ପ୍ରଶାସନିକ ପରୀକ୍ଷାରେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି, ଯାହା ପ୍ରଶଂସନୀୟ । ବଣମଲ୍ଲୀଙ୍କୁ ଲୋକଲୋଚନକୁ ଆଣିବାରେ ଏହି ଶିଶୁ ମନ୍ଦିର ଅଗ୍ରଣୀ ଭୂମିକା ନେଉଛି । ଏହି ବିଦ୍ୟା ମନ୍ଦିରର ବିକାଶ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି । ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଓଡ଼ିଶା ସମେତ ଦେଶରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ ହୋଇଛି । ନିଜ ପାଇଁ ନୁହେଁ, ଜାତି, ସମାଜ ଏବଂ ଆମ ସଂସ୍କୃତିର ଉତ୍ଥାନ ପାଇଁ ନିରନ୍ତର କାମ କରିବାର ବିଚାର ଏହି ଶିକ୍ଷା ନୀତିରେ ଅନ୍ତର୍ନିହିତ । ଏହି ବିଚାର ଉତ୍ପନ୍ନ ହୋଇଛି ବିଦ୍ୟା ଭାରତୀ, ଶ୍ରୀଅରବିନ୍ଦ ସ୍କୁଲ, ସତ୍ୟସାଇ ସ୍କୁଲ ଓ ଚିନ୍ମୟ ମିଶନ ଭଳି ଅନୁଷ୍ଠାନମାନଙ୍କରୁ । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତକୁ ସାମାଜିକ ଓ ଆର୍ଥିକ ସ୍ତରରେ ପରାଧୀନ ରଖିବା ପାଇଁ ଟି.ବି.ମାକାଉଲେ ପ୍ରଚଳନ କରିଥିବା ଶିକ୍ଷା ପଦ୍ଧତି, ଷଡ଼ଯନ୍ତ୍ର ଏବଂ ଶିକ୍ଷା ପ୍ରଣାଳୀକୁ ବଜାୟ ରଖିଥିବା ଦେଶର ମହାପୁରୁଷଙ୍କ ଉପରେ ଆଲୋକପାତ କରିଥିଲେ । ସେ ଆହୁରି କହିଥିଲେ ୱିଲିୟମ ସେକ୍ସପିୟରଙ୍କ କାବ୍ୟଠୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ‘ବୈଦେହୀଶ ବିଳାସ’ କେଉଁ ଗୁଣରେ କମ୍ ନଥିଲା । ଏହା ଭାରତୀୟତାର ମୂଳ ଚରିତ୍ର । ଏହିପରି ଅନେକ ମହାପୁରୁଷଙ୍କ କାରଣରୁ ବ୍ରିଟିଶମାନେ ଭାରତୀୟ ଶିକ୍ଷା ପ୍ରଣାଳୀକୁ ନଷ୍ଟ କରିପାରିନଥିଲେ । ଏହି ପରମ୍ପରାକୁ ବଜାୟ ରଖି ଭାରତୀୟ ଶିକ୍ଷା ସହ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ପାଇଁ ଆମ ସମସ୍ତଙ୍କ ସାମୂହିକ ଦାୟିତ୍ଵ । ସେ କହିଛନ୍ତି ଯେ ଓଡ଼ିଶାକୁ ସମୃଦ୍ଧ କରିବାକୁ ପଡ଼ିବ । ଭଞ୍ଜ ସାହିତ୍ୟକୁ ବଞ୍ଚାଇବା ପାଇଁ ପଡ଼ିବ । ୨୦୩୬ ସୁଦ୍ଧା ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ଗଠନର ଶତ ବାର୍ଷିକୀ ପୂରଣ କରୁଥିବା ବେଳେ ଗଞ୍ଜାମ ଓ ଓଡ଼ିଶାକୁ ବିକଶିତ କରିବା ପାଇଁ ହେବ । ଏହି ଭଞ୍ଜ ଭୂମିରୁ ବାହାରୁ ଥିବା ପିଲାମାନେ ବିଶ୍ଵ ସମସ୍ୟାର ସମାଧାନ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ।
ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ. ପ୍ରଦୀପ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ସଂଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସମେତ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସିକା ବିଧାୟକ ସରୋଜ ପାଢ଼ୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବ୍ଲକ୍ ଅଧ୍ୟକ୍ଷ ନରୀସଭା ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ବିଶ୍ଵ ପ୍ରସିଦ୍ଧ ବେଲଗୁଣ୍ଠା ପିତ୍ତଳ ମାଛ କେନ୍ଦ୍ର ମନ୍ତ୍ରୀଙ୍କୁ ଉପହାର ଦିଆଯାଇଥିଲା । ବିଶିଷ୍ଟ ଭଞ୍ଜ ଗବେଷକ ପ୍ରାକ୍ତନ ବିଡିପୁର କଲେଜ ଅଧ୍ୟକ୍ଷ ଡ. କମ୍ବୁପାଣି ସାମନ୍ତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଡ଼. ପ୍ରଦୀପ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ନୀଳମାଧବ ପାତ୍ର ଓ ସୁଶାନ୍ତ ବେହେରା ସଂଯୋଜନା କରିଥିଲେ । ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଙ୍କ ସହ ଗୁରୁଜୀ ଗୁରୁମା ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ ।