ଆଜିଠାରୁ ହକି ଇଣ୍ଡିଆ ଲିଗ୍‌ ଆରମ୍ଭ

ରାଉରକେଲା: ଆଜିଠାରୁ ହିରୋ ହକି ଇଣ୍ଡିଆ ଲିଗ୍‌ର ବହୁ ପ୍ରତିକ୍ଷୀତ ଐତିହାସିକ ପ୍ରତ୍ୟାବର୍ତ୍ତନ ଘଟିବାକୁ ଯାଉଛି। ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଶନିବାରଠାରୁ ଆରମ୍ଭ ହେବ ଏହି ଲିଗ୍‌। ଟିମ୍‌ ଗୋନାସିକ ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ‌୍ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ।ସାତ ବର୍ଷର ବ୍ୟବଧାନପରେ ଫେରୁଥିବା ଏହି ଲିଗ୍‌, ପୂର୍ବାପେକ୍ଷା ଅଧିକ ଦମ୍‌ଦାର ଓ ଆକର୍ଷଣୀୟ ହେବ। ଏନେଇ ଆୟୋଜକ ହକି ଇଣ୍ଡିଆ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇସାରିଛି। ହକିର ଅନ୍ତୁଡ଼ିଶାଳଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାରେ ଏହି ହକି ମହାକୁମ୍ଭ ଆୟୋଜିତ ହେଉଥିବାରୁ, ଏହାକୁ ନେଇ ହକିପ୍ରେମୀ ମହଲରେ ଉତ୍ସାହ ସ୍ପଷ୍ଟ ବାରି ହୋଇପଡ଼ୁଛି ।

ଏଥର କେବଳ ପୁରୁଷ ନୁହେଁ, ବରଂ ପ୍ରଥମଥର ପାଇଁ ମହିଳା ଲିଗ୍‌ ମଧ୍ୟ ଆୟୋଜନ କରାଯାଉଛି। ପୁରୁଷ ଲିଗ୍‌ ରାଉରକେଲାରେ ଖେଳାଯିବାକୁ ଥିବାବେଳେ ରାଞ୍ଚିରେ ମହିଳା ଲିଗ୍‌ ଖେଳାଯିବ।ପୁରୁଷ ଲିଗ୍‌ରେ ୮ଟି ଓ ମହିଳାରେ ୪ଟି ଦଳ ନିଜର କଳାକୌଶଳ ପ୍ରଦର୍ଶନ କରିବେ। ପୁରୁଷ ଲିଗ୍‌ ମୋଟ୍‌ ଦୁଇଟି ପର୍ଯ୍ୟାୟରେ ଖେଳାଯିବ। ଡିସେମ୍ବର ୨୮ ତାରିଖରୁ ଜାନୁଆରି ୧୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁଥିବା ପ୍ରଥମ ପର୍ଯ୍ୟାୟରେ ସମସ୍ତ ୮ଟି ଦଳ ପରସ୍ପର ମଧ୍ୟରେ ଖେଳିବେ। ଜାନୁଆରି ୧୯ ତାରିଖରୁ ଆରମ୍ଭ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟରେ ଦଳଗୁଡିକୁ ଦୁଇଟି ପୁଲ୍‌ରେ ବିଭକ୍ତ କରାଯାଇଛି।Hockey India League 1ପୁଲ୍‌ ଏ’ରେ ଦିଲ୍ଲୀ ଏସ୍‌ଜି ପାଇପ୍‌ର୍ସ୍‌, ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ‌୍, ସୂରମା ହକି କ୍ଲବ ଓ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ‌୍ ଏବଂ ପୁଲ୍‌ ବି’ରେ ଟିମ୍‌ ଗୋନାସିକା, ହାଇଦ୍ରାବାଦ ତୁଫାନ୍ସ, ତାମିଲନାଡୁ ଡ୍ରାଗନ୍ସ ଓ ୟୁପି ରୁଦ୍ରସ୍‌ ସ୍ଥାନିତ ହୋଇଛନ୍ତି।ପୁଲ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ଅନ୍ୟ ତିନି ଦଳ ସହ ମୁହାଁମୁହିଁ ହେବେ। ଉଭୟ ପୁଲ୍‌ର ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ଜାନୁଆରି ୩୧ରେ ଉଭୟ ସେମିଫାଇନାଲ ଓ ଫେବ୍ରୁଆରି ୧ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ସେହିଭଳି ମହିଳା ଲିଗ୍‌ ରାଞ୍ଚିସ୍ଥ ମାରଙ୍ଗ ଗୋମ୍‌କେ ଜୟପାଲ ସିଂହ ମୁଣ୍ଡା ଷ୍ଟାଡିୟମରେ ଜାନୁଆରି ୧୨ରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।Hockey India League 2ଏଥିରେ ମୋଟ୍‌ ୪ଟି ଦଳ, ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ‌୍, ଦିଲ୍ଲୀ ଏସ୍‌ଜି ପାଇପର୍ସ‌୍, ସୂରମା ହକି କ୍ଲବ ଓ ଓଡ଼ିଶା ୱାରିଅର୍ସ‌୍।

ପ୍ରତ୍ୟେକ ଦଳ ଅନ୍ୟମାନଙ୍କ ବିପକ୍ଷରେ ଦୁଇଥର ଲେଖାଏ ଖେଳିବେ। ପୁଲ୍‌ ପର୍ଯ୍ୟାୟପରେ ଶ୍ରେଷ୍ଠ ଦୁଇ ଦଳ ଜାନୁଆରି ୨୬ ତାରିଖରେ ଫାଇନାଲ ମ୍ୟାଚ୍‌ରେ ମୁହାଁମୁହିଁ ହେବେ। ଦେଶର ସମସ୍ତ ଭାଷାଭାଷୀ ଦର୍ଶକଙ୍କ ପାଖରେ ପହଞ୍ଚିବାକୁ ହକି ଇଣ୍ଡିଆ ପକ୍ଷରୁ ଅଭିନବ ବ୍ୟବସ୍ଥା କରାଯାଇଛି।ଏକାଧିକ ଚ୍ୟାନେଲ୍‌ ଓ ଭାଷାରେ ମ୍ୟାଚ୍‌ର ସିଧାପ୍ରସାରଣ ହେବ। ଦୂରଦର୍ଶନ ଡିଡି ସ୍ପୋର୍ଟସ୍ ସମେତ ସୋନି ସ୍ପୋର୍ଟସ୍ ନେଟୱାର୍କ-ସୋନି ଟେନ୍ ୧, ୩, ୪, ଓଡିଟି ପ୍ଲାଟ୍‌ଫର୍ମ, ଯଥା-ସୋନୀ ଲିଗ୍‌ ଓ ପ୍ରସାର ଭାରତୀର ୱେଭ୍‌ସରେ ପ୍ରସାରିତ ହେବ। ଉଲ୍ଳେଖଯୋଗ୍ୟ, ବଲିଉଡ୍‌ ତାରକାଙ୍କୁ ନେଇ ରଙ୍ଗାରଙ୍ଗ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିଲା। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନିଧନରେ ଦେଶ ରାଷ୍ଟ୍ରୀୟ ଶୋକ ପାଳନ କରୁଥିବାରୁ ଏହାକୁ ସ୍ଥଗିତ ରଖାଯାଇଛି।ପ୍ରତିଯୋଗିତା ଅବ୍ୟବହତି ପୂର୍ବରୁ ଷ୍ଟାଡିୟମ ପରିସରରେ ୬ଟି ଦଳର ଅଧିନାୟକ ଗଣମାଧ୍ୟମର ସମ୍ମୁଖୀନ ହୋଇଥିଲେ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂର୍‌ମା ହକି କ୍ଲବର ଅଧିନାୟକ ହର୍ମନପ୍ରୀତ ସିଂହ, ୟୁପି ରୁଦ୍ରସ୍‌ର ହାର୍ଦ୍ଦିକ ସିଂହ, ଟିମ୍‌ ଗୋନାସିକାର ମନପ୍ରୀତ ସିଂହ, ହାଇଦ୍ରାବାଦ ତୁଫାନ୍ସର ସୁମିତ ବାଲ୍ମିକୀ, କଳିଙ୍ଗ ଲାନ୍‌ସର୍ସ‌୍‌ର କ୍ରିଷନ ବାହାଦୂର ପାଠକ, ଦିଲ୍ଲୀ ଏସ୍‌ଜି ପାଇପର୍ସ‌୍‌ର ସମଶେର୍‌ ସିଂହ ଓ ଜ୍ୟାକବ୍‌ ହ୍ବିଟନ୍‌ ପ୍ରମୁଖ ରାଉରକେଲା ଷ୍ଟାଡିୟମ ତଥା ଏଠାକାର ଦର୍ଶକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ହର୍ମନପ୍ରୀତ ସିଂହ କହିଲେ, ଘରୋଇ ଷ୍ଟାଡିୟମ୍‌ରେ ଖେଳିବାର ମଜା ନିଆରା। ପୂର୍ବରୁ ଏଠାରେ ଭାରତୀୟଦଳ ପକ୍ଷରୁ ଏକାଧିକ ମ୍ୟାଚ୍‌ ଖେଳିଥିବାବେଳେ ପ୍ରତିଟି ମ୍ୟାଚ୍‌ରେ ଦର୍ଶକଙ୍କ ଭଲପାଇବା ଓ ଆକୁଣ୍ଠ ସମର୍ଥନ ମିଳିଛି ।

ଏଥର ମଧ୍ୟ ଏହା ଅବ୍ୟାହତ ରହିବବୋଲି ଆଶା ରହିଛି। ଯେଉଁମାନଙ୍କ ସହ ମିଶିକି ଖେଳୁଥିଲୁ, ଏଥର ସେମାନଙ୍କ ବିପକ୍ଷରେ ଖେଳିବୁ। ପ୍ରତ୍ୟେକ ମ୍ୟାଚ୍‌ ଏକ ଚାଲେଞ୍ଜ୍‌ ହେବ। ଭଲ ଅଭ୍ୟାସ ସହ ଦଳ ଉତ୍କର୍ଷ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛି। ସେହିଭଳି ୟୁପି ରୁଦ୍ରସ୍‌ର ଅଧିନାୟକ ହାର୍ଦ୍ଦିକ ସିଂହ କହିଲେ, ସମସ୍ତ ଦଳରେ ଅଭିଜ୍ଞ ଖେଳାଳି ଅଛନ୍ତି। ଏଣୁ ସମସ୍ତ ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ। ଲିଗ୍‌ରେ ଉଦୀୟମାନ ଖେଳାଳି ବରିଷ୍ଠଙ୍କ ପାଖରୁ ବହୁତ କିଛି ଶିକ୍ଷା ଲାଭ କରିବାର ସୁଯୋଗ ପାଇବେ, ଯାହାକି ତାଙ୍କୁ ଆହୁରି ପରିପକ୍ବ କରିବ। ୭ ବର୍ଷପରେ ଲିଗ୍‌ ଫେରିଥିବାରୁ ବହୁତ ଖୁସି ଓ ପ୍ରସ୍ତୁତ ମଧ୍ୟ ।

Leave a Reply

Your email address will not be published. Required fields are marked *