ଭଞ୍ଜନଗର ରେ ବାର୍ଦ୍ଧକ୍ୟ ଏବଂ ଭିନ୍ନକ୍ଷମ ଭତ୍ତା ପ୍ରଦାନ କଲେ ବିଧାୟକ

ଭଞ୍ଜନଗର (ଓଡ଼ିଶା ଟୁଡେ) : ଭଞ୍ଜନଗର ପଞ୍ଚାୟତ ସମିତି ପକ୍ଷରୁ ଶୁକ୍ରବାର ବ୍ଲକ ପରିସରରେ ବ୍ଲକ ଅଧିନ ୨୨ଟି ପଞ୍ଚାୟତର ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ପୁର୍ଣ୍ଣଚନ୍ଦ୍ର ପାଢୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ୬୨୮ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଛନ୍ତି। । ରାଜ୍ୟ ସରକାରଙ୍କ ମଧୁବାବୁ ପେନ୍‌ସନ ଯୋଜନାରେ ୩୦୨ ଜଣ ଓ କେନ୍ଦ୍ରୀୟ ଭତ୍ତା ଯୋଜନାରେ ୩୨୬ ଜଣଙ୍କୁ ବାଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ସମେତ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ବିଧାୟକ ଶ୍ରୀ ନାୟକ ଭତ୍ତା ପ୍ରଦାନ କରିଥିଲେ । ସରକାରଙ୍କ ଭତ୍ତା ଯୋଜନାରୁ ବଞ୍ଚିତ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆଗାମୀ ଦିନରେ ଭତ୍ତା ପ୍ରଦାନ କରାଯିବ ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି । ସେହିପରି ବ୍ଳକର ୬ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ଓ ୨ ଜଣ ଦିବ୍ୟାଙ୍ଗଙ୍କୁ ହୁଇଲ୍ ଚେୟାର ପ୍ରଦାନ କରାଯାଇଛି। ବଣ୍ଟନ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସବୁଜ୍ ନାୟକ, ବ୍ଳକ ସାଂସଦ ପ୍ରତିନିଧି ରବିନ୍ଦ୍ର କୁମାର ଗୌଡ, ସାଂସଦଙ୍କ ଡିଆରଡିଏ ପ୍ରତିନିଧି ଶିବଶଙ୍କର ପ୍ରଧାନ, ମୁଜାଗଡ ମଣ୍ଡଳ ସଭାପତି ଧୋବା ଗୌଡ, ସାଧାରଣ ସଂପାଦକ ନୀଳମାଧବ ପାତ୍ରଙ୍କ ସମେତ ବିଭିନ୍ନ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *