ମୁମ୍ବାଇରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଞ୍ଚାୟତ ଅନ୍ତର୍ଗତ ସନ୍ଧିମୁଣ୍ଡା ଗ୍ରାମର ତ୍ରିନାଥ ନାଗ (୨୩) ନାମକ ଜଣେ ଯୁବକ ମହାରାଷ୍ଟ୍ରର ମୁମ୍ବାଇକୁ ଦାଦନ ଖଟିବାକୁ ଯାଇ ସେଠାରେ ମୃତ୍ୟୁବରଣ କରିଥିବା ନେଇ ମୃତକ ଦାଦନ ଶ୍ରମିକଙ୍କର ଭାଇ ରିଙ୍କୁ ନାଗ ପ୍ରକାଶ କରିଛନ୍ତି। ଶ୍ରମ ନିରୀକ୍ଷକ ମାନସ ରଞ୍ଜନ ଖୋସଲା ସନ୍ଧିମୁଣ୍ଡା ଗ୍ରାମ ଗସ୍ତ କରି ମୃତକ ଦାଦନ ଶ୍ରମିକ ବାବଦ ରେ ସବିଶେ ତଥ୍ୟ ସଂଗ୍ରହ କରି ଥିଲେ। ମୃତଦେହ ୩ ଦିନ ହୋଇ ଥିବାରୁ ଏହା ପଚିଯିବା ଆଶଙ୍କା ଥିବା ସହ ଗରିବ ଅସହାୟ ପରିବାର ପାଖରେ ଅର୍ଥ ନ ଥିବାରୁ ମୃତଦେହର ଅନ୍ତିମ ସଂସ୍କାର ମୁମ୍ବାଇରେ କରି ଦେବା ପାଇଁ ମୃତ ଶ୍ରମିକଙ୍କର ଭାଇ ରିଙ୍କୁ ନାଗ ଶ୍ରମ ଅଧିକାରୀଙ୍କୁ ଲିଖିତ ଆକାରରେ ଅନୁରୋଧ କରିଥିବା ନେଇ ଶ୍ରମ ଅଧିକାରୀ ପ୍ରକାଶ କରିଛନ୍ତି।ମୃତକ ତ୍ରିନାଥ ସାନଭାଇ ରିଙ୍କୁର ସାହା ଭରସା ଥିଲେ। ଭାଇ ଚାଲି ଯିବା ପରେ ସେ ସମ୍ପୂର୍ଣ ଅସହାୟ ହୋଇ ପଡିଛନ୍ତି। ସୂଚନା ମୁତାବିକ ସନ୍ଧିମୁଣ୍ଡା ଗ୍ରାମର ତ୍ରିନାଥ ନାଗ ୧୭ ବର୍ଷ ବୟସର ନାବାଳକ ଥିବାବେଳେ ବାପା ସନ୍ତୋଷ ନାଗ ଏବଂ ମା’ ଚିତ୍ରି ନାଗଙ୍କ ମୁତ୍ୟୁ ହୋଇଥିଲା। ଏହା ପରେ ନିଜର ୭ବର୍ଷର ଭାଇ ରିଙ୍କୁ ନାଗର ମୁହଁରେ ଦାନା ଦେବା ପାଇଁ ୧୦ବର୍ଷ ତଳେ ମହାରାଷ୍ଟ୍ରର ମୁମ୍ବାଇକୁ କିଛି ଯୁବକ ସହ ଦାଦନ ଖଟିବାକୁ ଚାଲି ଯାଇ ଥିଲେ। ମୁମ୍ବାଇର କୋମଥାର ଇନିତାଜ଼ ନାମକ ଜଣେ ସ୍ଥାନୀୟ ଠିକାଦାର ପାଖରେ ସ୍ଥାନୀୟ ନିର୍ମାଣ କାମରେ ଶ୍ରମିକ ଭାବରେ କାମ କରି ମଝିରେ ମଝିରେ ଗାଁ କୁ ଆସି ସାନ ଭାଇ ରିଙ୍କୁ ନାଗର ଦେଖାଶୁଣା କରୁ ଥିଲେ। ଗତ ଡିସେମ୍ବର ୨୩ ତାରିଖ ଦିନ ସେ ଅସୁସ୍ଥ ହୋଇ ପଡିଥିଲେ। ଡିସେମ୍ବର ୨୬ତାରିଖ ଦିନ ଅବସ୍ଥା ଗୁରତର ହେବାରୁ ସାଥୀ ଦାଦନ ଶ୍ରମିକମାନେ ଚିକିତ୍ସା ପାଇଁ ତାଙ୍କୁ ଏମକେଜି କାମାଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଗତ ୨୮ ତାରିଖ ଦିନ ଚିକିତ୍ସାଧିନ ଅବସ୍ଥାରେ ତ୍ରିନାଥ ମୁତ୍ୟୁ ବରଣ କରିଥିଲେ ।

ଗ୍ରାମକୁ ତ୍ରିନାଥର ମୁତ୍ୟୁ ଖବର ଆସିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଥିଲା। ତାଙ୍କର ସାନ ଭାଇ ରିଙ୍କୁ ନାଗ ବର୍ତ୍ତମାନ ଅସହାୟ ହୋଇ ପଡିବା ସହ ତାଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ମଧ୍ୟ ନାହିଁ। ସରକାରୀ ସହାୟତା ମାସିକ ମାତ୍ର ୫ କେଜି ଚାଉଳ। ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସହାୟତାର ହାତ ବଢ଼ାଇବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *