
ଭଞ୍ଜନଗର (ଓଡ଼ିଶା ଟୁଡେ): ପରାଧୀନ ଭାରତରେ ଯେଉଁ ସ୍ଵାଧୀନତା ସଂଗ୍ରାମୀ ମାନେ ବ୍ରିଟିଶ୍ ଶାସନକୁ ପ୍ରତିହତ କରିବା ପାଇଁ ଅଦମ୍ୟ ସାହସ ଦେଖାଇ ଥିଲେ ଏବଂ ନିଜ ଜୀବନକୁ ଦେଶ ସେବା ପାଇଁ ଉତ୍ସର୍ଗ କରିଦେଇଥିଲେ ସେମାନଙ୍କ ମଧ୍ୟରେ ଘୁମୁସର ବିପ୍ଳବର ସୂତ୍ରଧାର ଚକରା ବିଷୋୟୀ ଏବଂ ଦୋହରା ବିଷୋୟୀ ଙ୍କ ଅବଦାନ ସମ୍ପର୍କରେ କେହି ଅଜଣା ନାହାନ୍ତି । ଚକରା ବିଷୋୟୀଙ୍କ ବୀରତ୍ୱର ଗାଥା କେବଳ ଘୁମୁସର ନୁହେଁ ବରଂ ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା । ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଜର ବୀରତ୍ୱର ପରାକାଷ୍ଠା ଦେଖାଇ ସେ ଦେଶ ପ୍ରେମର ସଂଜ୍ଞା ସାରା ଦେଶକୁ ଜଣାଇଥିଲେ । ସିପାହୀ ବିଦ୍ରୋହର ଯଥେଷ୍ଟ ପୂର୍ବରୁ ଘୁମୁସର ମାଟିକୁ ବ୍ରିଟିଶ୍ ଶାସନରୁ ମୁକ୍ତ ରଖିବା ପାଇଁ ଅଦମ୍ୟ ସାହସ ଦେଖାଇ କେବଳ ଧନୁ ତୀର ମାଧ୍ୟମରେ ଯୁଦ୍ଧ କରି ଇଂରେଜ ମାନଙ୍କ ନିଦ ହଜାଇ ଦେଇଥିବା ଘୁମୁସରର ବରପୁତ୍ର ଚକରା ବିଷୋୟୀଙ୍କ ୨୦୨ତମ ଜୟନ୍ତୀ ରାଜ୍ୟ ସ୍ତରୀୟ ସମାରୋହରେ ପାଳନ କରୁଛି ଓଡିଶା ପ୍ରଦେଶ ।
ଆଜି ପୂର୍ବାହ୍ନ ୯.୩୦ ସମୟରେ ଭଞ୍ଜନଗର ଚକରା ବିଷୋୟୀ ଛକ ଠାରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ସୂଚନା ଓ ଲୋକସଂପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ-ନିର୍ଦ୍ଦେଶକ ଶ୍ରୀ ରବି ନାରାୟଣ ବେହେରା, ବାହାଡ଼ାପଦର ଚକରା ବିଷୋୟୀ କଲଚରାଲ ଏକାଡେମୀ ସଭାପତି ଜଗବନ୍ଧୁ ଜେନା, ସମ୍ପାଦକ ନେତାଜୀ ବିଷୋୟୀ, ସୁସାହିତ୍ୟିକ ତଥା ଭଞ୍ଜ ଗଡ଼ ଐତିହ୍ୟ ପୁସ୍ତକର ଲେଖକ ତଥା ଗବେଷକ ଡ଼. ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରି ମହାନ୍ ବୀର ଚକରା ବିଷୋୟୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟ ପ୍ରମୁଖ ଅତିଥି ମଧ୍ୟରେ ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା, ବିପ୍ରଚରଣ ବାରିକ, ଶୂଳପାଣି ଶତପଥୀ ଉପସ୍ଥିତ ରହି ମହାନ୍ ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ସୂଚନା ଓ ଲୋକସଂପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ-ନିର୍ଦ୍ଦେଶକ ଶ୍ରୀ ରବି ନାରାୟଣ ବେହେରା ଚକରା ବିଷୋୟୀଙ୍କ ଜନ୍ମ ସ୍ଥାନ ବିଞ୍ଜିଗିରି ଠାରେ ପହଞ୍ଚି ଜନସାଧାରଣ ମାନଙ୍କୁ ଭେଟିଥିଲେ ଏବଂ ଚକରା ବିଷୋୟୀଙ୍କ ଜନ୍ମସ୍ଥାନ କୁ ଲୋକଲୋଚନକୁ ଆଣିବା ତଥା ଅଞ୍ଚଳର ବିକାଶ ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ଦେବା ପାଇଁ ପ୍ରତିଶ୍ରୁତି ଦେଲେ । ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ ନାୟକ ଚକରା ବିଷୋୟୀଙ୍କ ସାଧନା ସ୍ଥଳ ସୁଦୂର ଚକ୍ର ଘାଟି ଯାଇ ସେଠାରେ ଚକରା ବିଷୋୟୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ସନ୍ଧ୍ୟାରେ ଭଞ୍ଜନଗର ମୁଖ୍ୟ ରାସ୍ତାରେ ଥିବା ଟାଉନ ହଲ ଠାରେ ମହାନ୍ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ୨୦୨ ତମ ଜୟନ୍ତୀ ରାଜ୍ୟ ସ୍ତରୀୟ ସମାରୋହ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଗଞ୍ଜାମ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ମାନିତ ଅତିଥି ଭାବରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ, ବାହାଡ଼ାପଦର ଚକରା ବିଷୋୟୀ କଲଚରାଲ ଏକାଡେମୀ ସଭାପତି ଜଗବନ୍ଧୁ ଜେନା, ସମ୍ପାଦକ ନେତାଜୀ ବିଷୋୟୀ ଯୋଗ ଦେଇଥିଲେ । ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସୁସାହିତ୍ୟିକ ତଥା ଭଞ୍ଜ ଗବେଷକ ଡ଼. ପ୍ରଦୀପ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସଂପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ-ନିର୍ଦ୍ଦେଶକ ଶ୍ରୀ ରବି ନାରାୟଣ ବେହେରା ଓ ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
ଅତିଥି ଶ୍ରୀ ନେତାଜୀ ବିଷୋୟୀ ଓ ଶ୍ରୀ ଜଗବନ୍ଧୁ ଜେନା ଚକରା ବିଷୋୟୀଙ୍କ ଅଦମ୍ୟ ସାହସ ଓ ବୀରତ୍ବର ପରାକାଷ୍ଠା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ସଭାପତି ଅନୀଲ କୁମାର ସେଠୀ ବୀର ଚକରା ବିଷୋୟୀଙ୍କ ସ୍ଵାଧୀନତା ସଂଗ୍ରାମର ଇତିହାସ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ । ଭଞ୍ଜ ଗବେଷକ ଡ଼. ପ୍ରଦୀପ କୁମାର ପଟ୍ଟନାୟକ ଚକରା ବିଷୋୟୀଙ୍କ ସମ୍ପର୍କରେ ଲୋକଲୋଚନକୁ ଆସିନଥିବା ତଥ୍ୟ ସବୁ ଯାହା ସେ ଭଞ୍ଜ ଗଡର ଇତିହାସ ଗବେଷଣା ସମୟରେ ସଂଗ୍ରହ କରିଛନ୍ତି ତାହା ଉପସ୍ଥାପନ କରିଥିଲେ । ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ସୂଚନା ଓ ଲୋକସଂପର୍କ ବିଭାଗ କୁ ପରାମର୍ଶ ଦେଇଥିଲେ । ପରିଶେଷରେ ଭଞ୍ଜନଗର ବିଧାୟକ ଭଞ୍ଜନଗର ଅଞ୍ଚଳର ବିକାଶକୁ ଆହୁରି ବଳିଷ୍ଠ କରିବାକୁ ଏବଂ ମହାନ୍ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ବୀରତ୍ବର ପରାକାଷ୍ଠାକୁ ବିଶ୍ଵ ସ୍ତରୀୟ କରିବା ପାଇଁ ସୁଦୀର୍ଘ ଅଭିଭାଷଣ ରଖିଥିଲେ ।
କାର୍ଯ୍ୟକ୍ରମ ଶେଷରେ ମହାନ୍ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ଜୀବନୀ ଉପରେ ହୋଇଥିବା ବକ୍ତୃତା ଏବଂ ପ୍ରବନ୍ଧ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।