ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ପରେ ସ୍ଥିତି ସୁଧାରିବା ନେଇ ପ୍ରତିଶ୍ରୁତି ଦେଲେ ବିଧାୟକ ନୀଳମଣି ବିଷୋୟୀ

ବେଲଗୁଣ୍ଠା (ଓଡ଼ିଶା ଟୁଡେ ): ଅଭିଭାବକଙ୍କ ବାରମ୍ବାର ନିବେଦନ ପରେ ବେଲଗୁଣ୍ଠା ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ସ୍ଥିତିରେ ସୁଧାର ଆଣିବା ପାଇଁ ଅଭିଭାବକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ । ଶୁକ୍ରବାର ଦିନ ବିଧାୟକ ଶ୍ରୀ ବିଷୋୟୀ ଏକ ଜରୁରୀ କାର୍ଯ୍ୟରେ ବେଲଗୁଣ୍ଠା ଆସିଥିବା ବେଳେ କିଛି ଅବିଭାବକ ବିଧାୟକଙ୍କୁ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ କହିବା ସହ ବିଦ୍ୟାଳୟକୁ ପରିଦର୍ଶନ କରିବା ପାଇଁ ଅନୁରୋଧ କରିଥିଲେ । ବିଧାୟକ ଅଭିଭାବକଙ୍କ କଥାକୁ ରଖି ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ସ୍କୁଲରେ ପହଞ୍ଚି ଅଭିଭାବକ, ବୁଦ୍ଧିଜୀବୀ ଓ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ପ୍ରଥମେ ଏକ ବୈଠକରେ ଆଲୋଚନା କରିଥିଲେ । ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଓ ଡେପୁଟେସନରେ ଅନ୍ୟ ଜଣେ ଶିକ୍ଷୟିତ୍ରୀ ଥିବା ବେଳେ ବିଦ୍ୟାଳୟର ଶିକ୍ଷାଦାନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ଜାଣିବାକୁ ପାଇଥିଲେ । ଏତଦବ୍ୟତୀତ ବିଦ୍ୟାଳୟର ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ ମଧ୍ୟ ବିଧାୟକ ତଥ୍ୟ ସଂଗ୍ରହ କରିଥିଲେ । ପରେ ଏ ସମ୍ପର୍କରେ ସ୍ଥାନୀୟ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରସନ୍ନ ବେହେରା ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ଆବଶ୍ୟକ ତଥ୍ୟ ସଂଗ୍ରହ ପରେ ବିଦ୍ୟାଳୟର ସ୍ଥିତି ସୁଧରିବା ପାଇଁ ଉଭୟ ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । କିଛି ସମୟ ପରେ ବିଧାୟକ ନିଜେ ଆଗ୍ରହ ପ୍ରକାଶ କରି ଏକ ଶ୍ରେଣୀ କକ୍ଷ ପରିଦର୍ଶନ କରିଥିଲେ । ତେବେ ଗୋଟିଏ ଶ୍ରେଣୀ କକ୍ଷରେ ତିନୋଟି ଶ୍ରେଣୀର ଛାତ୍ରୀ ମାନେ ବସିଥିବା ଜାଣି ବିଧାୟକ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେବା ସହ  “କେବେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି” ନିଜକୁ ନିଜେ ପ୍ରଶ୍ନ ପଚାରି ଥିଲେ । ପରେ ବିଧାୟକ ୫-ଟିର ଲକ୍ଷ ଲକ୍ଷ ଟଙ୍କା ଅନୁଦାନରେ ନିର୍ମିତ ସ୍ମାର୍ଟ କ୍ଲାସ ରୁମ ଦେଖିବାକୁ ଯିବା ବେଳେ କାନ୍ଥ ଓ ଝରକା ନିକଟରେ ଲାଗିଥିବା ଗ୍ଲେଜିଙ୍ଗ ଟାଇଲ ଆପେ ଆପେ କିଭଳି ଖସି ପଡ଼ିଛି ଦେଖି ଚକିତ ହୋଇ ପଡ଼ି ଥିଲେ । ସ୍ମାର୍ଟ କ୍ଲାସ ରୁମ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା କିଛି ଅଭିଭାବକ କହିଥିଲେ । ବିଧାୟକ ନବମ ଓ ଦଶମ ଶ୍ରେଣୀର ଶ୍ରେଣୀ କକ୍ଷକୁ ଯାଇ ଛାତ୍ରୀ ମାନଙ୍କ ଠାରୁ ସେମାନେ କିଭଳି ଅଧ୍ୟୟନ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ , ଶିକ୍ଷକଙ୍କ ଅଭାବ ଯୋଗୁଁ ଶ୍ରେଣୀରେ ଆବଶ୍ୟକ ଶିକ୍ଷାଦାନ ହୋଇ ପାରୁ ନ ଥିବା ଯୋଗୁଁ ସେମାନେ ଘରୋଇ ଟ୍ୟୁସନ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ଅଧ୍ୟୟନ କରୁଥିବା କହିଥିଲେ । ତେବେ ଖୁବ ଶୀଘ୍ର ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ , ଶିକ୍ଷୟିତ୍ରୀଙ୍କ ନିଯୁକ୍ତି ପାଇଁ ସେ ଚେଷ୍ଟା କରିବେ ବିଧାୟକ ଶ୍ରେଣୀ କକ୍ଷରେ ଉପସ୍ଥିତ ବିଦ୍ୟାର୍ଥୀଙ୍କୁ କହିଥିଲେ । ବିଧାୟକ ନିଜ ଗାଡ଼ିରେ ଫେରୁଥିବା ବେଳେ କିଛି ଛାତ୍ରୀ ବିଧାୟକଙ୍କ ସହ ସ୍କୁଲର ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ କହିବା ସହ ବିଧାୟକଙ୍କ ଠାରୁ ଏହାର ପ୍ରତିକାର ଆଶା କରିଥିଲେ । ବିଧାୟକ ସୁଲର ଆବଶ୍ୟକ ସୁଧାର ପାଇଁ ଚେଷ୍ଟା କରିବେ ବୋଲି ଛାତ୍ରୀଙ୍କୁ ପ୍ରତିଶୃତି ଦେଇଥିଲେ । ବିଧାୟକଙ୍କ ବିଦ୍ୟାଳୟ ପରିଦର୍ଶନ ସମୟରେ ବିଧାୟକଙ୍କ ସହ ବିଜେପି ଜିଲ୍ଲା ଉପସଭାପତି ରଞ୍ଜନ କୁମାର ରାଉତ, ପୂର୍ବତନ କାଉନସିଲର ଯତୀନ କୁମାର ପାତ୍ର, ପୂର୍ବତନ କାଉନସିଲର ଚିନଂ.ଲିଙ୍ଗରାଜ ପାତ୍ର, ସୋରଡ଼ା ଯୁବ ସଙ୍ଗଠକ ରଜନୀକାନ୍ତ ମହାପାତ୍ର ,ବରିଷ୍ଠ ନେତା ନିଳାଞ୍ଚଳ ମହାପାତ୍ର, ବିଜେପି ଉପସଭାପତି ଏଲ .ସଞ୍ଜୀବ ରେଡ୍ଡୀ, ଖଦାଳ ପୋଲାଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *