
ଶ୍ରୀମନ୍ଦିରରେ ଆଜି ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପୌଷପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କଲେ ଭକ୍ତ ପାପମୁକ୍ତ ହୋଇ ବୈକୁଣ୍ଠପ୍ରାପ୍ତି ହୋଇଥାନ୍ତି ବୋଲି ନୀଳାଦ୍ରି ମହୋଦୟରେ ଉଲ୍ଲେଖ ରହିଛି। ପ୍ରଭୁ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ପରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ପୌଷପୂର୍ଣ୍ଣିମା ତିଥିରେ ରାଜ ସିଂହାସନରେ ଅଧିଷ୍ଠିତ ହୋଇଥିଲେ। ଏହି ସ୍ମୃତିରେ ପୌଷପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଭିଷେକ ଉତ୍ସବ ପାରମ୍ପରିକ ରୀତି ଅନୁଯାୟୀ ପାଳିତ ହୋଇଆସୁଛି। ଏଥିପାଇଁ ସୋମବାର ମହାପ୍ରଭୁଙ୍କ ସ୍ବତନ୍ତ୍ର ପୁଷ୍ପବେଶ ଅନୁଷ୍ଠିତ ହୋଇଥିଲା। ସୁବର୍ଣ୍ଣ ଅଳଙ୍କାର ସହ ପ୍ରଭୁ ରାମଚନ୍ଦ୍ରଙ୍କ ପରି ମହାପ୍ରଭୁ ଶ୍ରୀଜଗନ୍ନାଥ ବାଉଁଶ ପାତିଆ, କୁନ୍ଦ, ରଜନୀଗନ୍ଧା ଫୁଲରେ ତିଆରି ପୁଷ୍ପଧନୁ ଓ ପୁଷ୍ପତୀର ଆୟୁଧ ଧାରଣ କରିଥିଲେ। ଏଥିସହ ବିଭିନ୍ନ ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଇଥିଲା ।
ବିଧି ଅନୁଯାୟୀ, ସକାଳ ଧୂପ ସମୟରେ ପୁରୋହିତ ଓ ବ୍ରାହ୍ମଣମାନେ ହୋମକାର୍ଯ୍ୟ ସଂପାଦନ କରିଥିଲେ। ଶ୍ରୀମନ୍ଦିର ଭିତରେ ପାଣି ପଡ଼ି ମହାପ୍ରଭୁଙ୍କ ମହାସ୍ନାନ ନୀତି ହୋଇଥିଲା। ଗତକାଲି ଅଧିବାସ ହୋଇ ରହିଥିବା ଘିଅ, ଶୀତଳଭୋଗ ଆଦି ଆସିବା ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶୁଦ୍ଧ ସୁଆର ସେବକ, ପଢ଼ିଆରୀ ସେବକ, ପୂଜାପଣ୍ଡା, ଦେଉଳ ପୁରୋହିତ ପ୍ରମୁଖ ପୂଜାକାର୍ଯ୍ୟ, ଭୋଗଲାଗି ନୀତି ସଂପନ୍ନ କରିଥିଲେ। ଘଷା ବିଡ଼ିଆ ଦହି ମଣୋହି କରାଯାଇଥିଲା। ପଶୁପାଳକ (ପୁଷ୍ପାଳକ) ସେବକମାନେ ମଇଲମ କରି ମହାପ୍ରଭୁଙ୍କୁ ନୂଆ ଲୁଗା ଲାଗି କରିବା ପରେ ପୂଜାପଣ୍ଡା ପତି, ମୁଦିରସ୍ତ ସେବକମାନେ ଚନ୍ଦନ ସର୍ବାଙ୍ଗ ନୀତି ସଂପାଦନ କରିଥିଲେ। ମହାପ୍ରଭୁଙ୍କ ଆଜ୍ଞାମାଳ ମିଳିବା ପରେ ମହାଜନ ସେବକମାନେ ମହାଲକ୍ଷ୍ମୀଙ୍କୁ ସାତପାହାଚଠାରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ। ବିମାନବଡ଼ୁ ସେବକମାନେ ମହାଲକ୍ଷ୍ମୀ ବିଜେ ହୋଇଥିବା ବିମାନକୁ ଜଗମୋହନକୁ ନେବା ପରେ ମହାଲକ୍ଷ୍ମୀଙ୍କୁ ଜଗମୋହନ ଖଟ ଉପରେ ବିଜେ କରାଇଥିଲେ। ପରେ ମାଜଣା ହୋଇ ବନକଲାଗି ଓ ମହାପ୍ରଭୁଙ୍କ ଅଭିଷେକ ନୀତି ପରେ ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଇଥିଲା। ପୁଷ୍ୟାଭିଷେକ ନୀତି ଶେଷ ପରେ ମହାଲକ୍ଷ୍ମୀ ପାଲିଙ୍କିରେ ବାହୁଡ଼ା ବିଜେ କରିଥିଲେ। ମହାଲକ୍ଷ୍ମୀଙ୍କ ବାହୁଡ଼ା ବିଜେ ପରେ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେଇଥିଲେ ।
ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ନବାଙ୍କ ବେଶ ଅନୁଷ୍ଠିତ ହୋଇଥିବାବେଳେ ସେପଟେ ମାସେ ଧରି ଚାଲିଥିବା ପହିଲି ଭୋଗ ନୀତି ଶେଷ ହୋଇଛି। ପହିଲି ଭୋଗର ଶେଷ ଦିନରେ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନବାଙ୍କ ବେଶ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିଥିଲେ। ଅନ୍ୟପଟେ ଆସନ୍ତାକାଲି (ମଙ୍ଗଳବାର) ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ନୀତି ଥିବାରୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ମକର ମାଳ ଓ ମକର ତାଡ଼ ଆଜି ଶ୍ରୀମନ୍ଦିରକୁ ନିଆଯାଇଛି ।