
ଭୁବନେଶ୍ୱର: ରାଜ୍ୟରେ ହ୍ୟୁମାନ ମେଟାପ୍ନୁମୋଭାଇରସ୍ (ଏଚ୍ଏମ୍ପିଭି)ର କୌଣସି ସମ୍ଭାବ୍ୟ ମାମଲା ପାଇଁ ପ୍ରସ୍ତୁତି ଆକଳନ କରିବା ଲାଗି ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି.। କମିସନର-କମ୍-ସଚିବ ଅଶ୍ୱତୀ ଏସ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କୁହାଯାଉଛି ଯେ, ଭୟ ଅବା ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ।ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ, ଏପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଏଚ୍ଏମ୍ପିଭି ମାମଲା ଚିହ୍ନଟ ହୋଇନାହିଁ। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ସଜାଗ ରହିଛନ୍ତି ।
ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭିଲାନ୍ସ ପ୍ରୋଗ୍ରାମ (ଆଇଡିଏସ୍ପି), ନ୍ୟାସନାଲ ସେଣ୍ଟର ଫର ଡିଜେଜ୍ କଣ୍ଟ୍ରୋଲ୍ (ଏନସିଡିସି), ଓଡିଶାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ, ଏମ୍ସ ଭୁବନେଶ୍ୱର, ଆରଏମଆରସି ଭୁବନେଶ୍ୱର ଏବଂ ଆଇଏଲ୍ଏସ୍ ଭୁବନେଶ୍ୱର ଭଳି ପ୍ରମୁଖ ଅନୁଷ୍ଠାନକୁ ନେଇ ଏକ ସର୍ବେକ୍ଷଣ ନେଟୱାର୍କ ପ୍ରତିଷ୍ଠା କରାଯାଇଛି।କୌଣସି ସମ୍ଭାବ୍ୟ ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ପ୍ରାଥମିକ ପଦକ୍ଷେପ ଭାବେ ପରିବାର କଲ୍ୟାଣ ବିଭାଗ ଜନସାଧାରଣ ସଚେତନତା ଏବଂ ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଏହି ବୈଠକରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର, ଡିଏମଏଟି ଡାକ୍ତର ସନ୍ତୋଷ କୁମାର ମିଶ୍ର, ବିଶ୍ବସ୍ବାସ୍ଥ୍ୟ ସଂଗଠନ ଟିମ୍ ଲିଡର ଡାକ୍ତର ନିହାର ରୟ ଏବଂ ପ୍ରମୁଖ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧୀମାନେ ଯୋଗ ଦେଇଥିଲେ। ଓଡିଶାରେଯେକୌଣସି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଆଶ୍ୱାସନା ଦିଆଯାଇଛି ।