ନବ ଦାସ ହତ୍ୟା ମାମଲାରେ ନୂଆ ମୋଡ଼: ସିବିଆଇ ତଦନ୍ତ ଦାବି କଲେ ବିଶାଳ, ଦୀପାଳି

ଝାରସୁଗୁଡ଼ା: ଦିବଙ୍ଗତ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀର ଦୁଇ ସପ୍ତାହ ପୂର୍ବରୁ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁଅ ବିଶାଳ ଦାସ ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି। ନବ ଦାସ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିଥିବା ବେଳେ ଅଭିଯୁକ୍ତ ଗୋପାଳ ଦାସକୁ କେବଳ ଗିରଫ କରି କାମ ସାରିଦେଇଥିଲା। କିନ୍ତୁ ତାଙ୍କ ବାପାଙ୍କୁ ଗୋପାଳ ଜରିଆରେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରି ସପ୍ତାହକ ତଳେ ଦୀପାଳି ଏହି ପ୍ରସଙ୍ଗକୁ ପୁଣିଥରେ ଉଠାଇଥିଲେ। ଏବେ ବିଶାଳ ଦାସଙ୍କ ସିବିଆଇ ତଦନ୍ତ ଦାବି ପ୍ରସଙ୍ଗ ପୁଣି ସାମ୍ନାକୁ ଆସିଛି। ବିଶାଳ କହିଛନ୍ତି,ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିବୁ ଆମ ବାପାଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ହେଉ।’ ବିଶାଳ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ ଆହୁରି କହିଛନ୍ତି ଯେ ଏହି ଦାବି ତାଙ୍କର ବ୍ୟକ୍ତିଗତ ନୁହେଁ, ପରିବାର ସଦସ୍ୟଙ୍କର। ପରିବାରର ମୁରବି ଚାଲିଯିବା ପରେ ସେହି ଦୁଃଖରୁ ବାହାରିବା ଏତେ ସହଜ ନ ଥିଲା। ତେଣୁ ପରିବାର ସଦସ୍ୟଙ୍କ ସହ ବିସ୍ତୃତ ଆଲୋଚନା କରିବାରେ ସମୟ ଲାଗିଥିଲା ।

ବିଶାଳଙ୍କ ଏହି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେପି ନେତାମାନେ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ଦାବି କରିଥିଲେ ମଧ୍ୟ ନବ ଦାସଙ୍କ ପରିବାର କାହିଁକି ଚୁପ୍‌ ରହିଥିଲେ? ରାଜନୈତିକ ଚାପରେ ରହି ଏହି ପ୍ରସଙ୍ଗ ଉଠାଉ ନ ଥିଲେ ନା ଆଉ କିଛି କଥା ପାଟି ବନ୍ଦ ପାଇଁ ବାଧ୍ୟ କରିଥିଲା। ସ୍ମରଣଯୋଗ୍ୟ, ୨୦୨୩ ଜାନୁଆରି ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀଛକ ନିକଟରେ ନବ ଦାସଙ୍କୁ ତତ୍କାଳୀନ ଗାନ୍ଧୀଛକ ଫାଣ୍ଡିରେ କାର୍ଯ୍ୟରତ ଏଏସ୍‌ଆଇ ଗୋପାଳଦାସ ଗୁଳି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେହି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ସ୍ବର୍ଗତ ନବ ଦାସଙ୍କର ଅନେକ ଶତ୍ରୁ ଥିଲେ ବୋଲି ପରିବାର ଲୋକେ ବୟାନ ଦେଇଥିଲେ। ମାତ୍ର ସେତେବେଳେ କ୍ରାଇମ୍‌ବ୍ରାଞ୍ଚ ଷଡ୍‌ଯନ୍ତ୍ର ଦିଗରେ କୌଣସି ତଦନ୍ତ କରିନଥିବା ବେଳେ କେବଳ ଗୋପାଳ ଦାସଙ୍କୁ ଗିରଫ କରି କାମ ଶେଷ କରିଦେଇଥିଲା। ଏହି ହତ୍ୟାକାଣ୍ଡ ପଛର କାରଣ ଏବେ ବି ରହସ୍ୟାବୃତ ହୋଇ ରହିଛି l

Leave a Reply

Your email address will not be published. Required fields are marked *