
ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ସିଆରପିଏଫ୍ ଯବାନଙ୍କ ଉପରେ ଆଜି ଗ୍ରେନେଡ ଆକ୍ରମଣ କରାଯାଇଛି। ଘଟଣାଟି ଘଟିଛି ଶ୍ରୀନଗରରେ ଥିବା ଲାଲ୍ ଚୌକର ପ୍ରତାପ ପାର୍କରେ। ତେବେ, ଏହି ଆକ୍ରମଣ ଘଟଣାରେ ୨ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଆକ୍ରମଣ ପଛରେ କାହାର ହାତ ରହିଛି, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ଏହି ଆକ୍ରମଣରେ ୨ଯବାନଙ୍କ ସମେତ ୨ଜଣ ସ୍ଥାନୀୟ ଲୋକ ମଧ୍ୟ ଆହତ ହୋଇଛନ୍ତି। ଘଟଣା ପରେ ଆହତମାନଙ୍କୁ ଚିକିିତ୍ସା ପାଇଁ ପଠାଯିବା ସହ ଆକ୍ରମଣ ପଛର ମାଷ୍ଟର ମାଇଣ୍ଡକୁ ଖୋଜୁଛି ପୁଲିସ।
ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଅନେକ ଥର ଆତଙ୍କବାଦୀମାନଙ୍କ ପକ୍ଷରୁ ଯବାନମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରାଯାଇଛି। ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଜମ୍ମୁ-କଶ୍ମୀର ପୁଲିସକୁ ଏକ ବଡ଼ ସଫଳତା ମିଳିଥିଲା। ଲସ୍କର-ଇ-ତୋଇବାର ଏକ ଦୁର୍ଦ୍ଦାନ୍ତ ଆତଙ୍କବାଦୀକୁ ଜୀବନ୍ତ କାବୁ କରିଥିଲା ପୁଲିସ। ଅଭିଯୁକ୍ତର ନାଁ ଶାଜିଦ୍ ଫାରୁଖ୍ ଡାର ବୋଲି ଚିହ୍ନଟ କରାଯାଇଥିବା ବେଳେ ତାକୁ ବାରାମୁଲାରୁ ଗିରଫ କରାଯାଇଥିଲା। ଯେଉଁ ଦିନଠାରୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ଉଚ୍ଛେଦ ହୋଇଛି, ସେହିଦିନଠାରୁ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଅନେକ ଯୋଜନା କରିବା ଆରମ୍ଭ କରିଛନ୍ତି। କିଛି ଯୋଜନାକୁ ଭାରତୀୟ ଯବାନ ପଣ୍ଡ କରିଥିବା ବେଳେ କିଛି ଆକ୍ରମଣରେ ଭାରତୀୟ ଯବାନ ସହିଦ୍ ହୋଇଛନ୍ତି।