
ଭୁବନେଶ୍ୱର : ରଙ୍ଗରୁଟ୍ରେ ଯାଉଛନ୍ତି କି? ତା’ହେଲେ ସୁଧୁରି ଯାଆନ୍ତୁ । କାରଣ ରଙ୍ଗରୁଟ୍ ଚାଳକଙ୍କ ପାଇଁ କମିଶନରେଟ୍ ପୁଲିସ୍ ରାସ୍ତାରେ ବିଛାଇବ ‘ଟାୟାର କିଲର୍’ । ଅର୍ଥାତ୍ ରଙ୍ଗରୁଟକୁ ବୁଲାଇବା ମାତ୍ରେ ଟାୟାର ଢୋ’ କରି ଫାଟିବ । ଏଥିପାଇଁ ଟ୍ୱିନ୍ ସିଟିରେ ଜାଗା ଚିହ୍ନଟ ସରିଛି । ଚଳିତ ମାସ ଶେଷ ଆଡ଼କୁ ପ୍ରଥମ ପର୍ଯ୍ୟାୟରେ କିଛି ପ୍ରମୁଖ ସ୍ଥାନରେ ଏହି ଟାୟାର କିଲର୍ ରାସ୍ତାରେ ଲାଗିିବ ବୋଲି ଜଣାପଡ଼ିଛି ।
ରଙ୍ଗରୁଟ୍ ଡ୍ରାଇଭ୍ ପାଇଁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଏଥିରେ କାହାର ଜୀବନ ଯାଉଛି ତ’ ଆଉ କିଏ ପଙ୍ଗୁ ହେଉଛି । ଖାଲି ସେତିକି ନୁହେଁ ରଙ୍ଗ୍ରୁଟ୍ ଡ୍ରାଇଭ୍ ପାଇଁ ଟ୍ରାଫିକ୍ ଜାମ୍ ମଧ୍ୟ ହେଉଛି । ଏହାକୁ ଆଖି ଆଗରେ ରଖି କମିଶନରେଟ୍ ପୁଲିସ୍ ରାସ୍ତାରେ ଟାୟାର କିଲର୍ ଲଗାଇବାକୁ ଯୋଜନା କରିଛି । କଟକ-ଭୁବନେଶ୍ୱରରେ ୨୪୨ଟି ରଙ୍ଗରୁଟ୍ ସ୍ଥାନ ଚିହ୍ନଟ କରିଛି ପୁଲିସ୍ । ସେଥିମଧ୍ୟରୁ ୩୨ଟି ଅତି ସମ୍ବେଦନଶୀଳ । ପ୍ରଥମେ ଏଠି ଟାୟାର କିଲର ଲଗାଯିବ । ଏହାପରେ ଟ୍ରାଫିକ୍ ସମସ୍ୟା ଓ ଦୁର୍ଘଟଣା କମିବ ବୋଲି କମିଶନର ଡ. ସୁଧଂଶୁ ଷଡଙ୍ଗୀ ଆଶା ରଖିଛନ୍ତି ।
ଟାୟାର କିଲର୍ କ’ଣ?
ଦୁର୍ଘଟଣା କମାଇବା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବଭିନ୍ନ ଦେଶରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ଆମ ଦେଶରେ ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ମୁମ୍ବାଇ ଭଳି ମେଟ୍ରୋ ସିଟିରେ ଲାଗିଛି । ଟାୟର କିଲର ଦେଖିବାକୁ ହମ୍ପସ୍ ଭଳି । ଏହାକୁ ସ୍ପିଟ୍ ବ୍ୟାରିୟର ମଧ୍ୟ କୁହାଯାଏ । ଏହା ଦେଖିବାକୁ ସିନା ହମ୍ପସ୍ ଭଳି, ହେଲେ କାର୍ଯ୍ୟ ପୂରା ଅଲଗା । ରାସ୍ତାର ଏପାଖରୁ ସେପାଖ ଚଉଡ଼ାରେ ପଡ଼ିବ ଏହି ଟାୟାର କିଲର୍ । ଏଥିରେ କଣ୍ଟା ଭଳି ମୁନିଆ ମଜବୁତ ଲୁହାର ପ୍ଲେଟ୍ ଲାଗିଥାଏ । ଏହା ସାମାନ୍ୟ ଉପରକୁ ବଙ୍କା ହୋଇ ରହିବ । ପ୍ରତି ଲୁହା ପ୍ଲେଟ୍ରେ ସ୍ପ୍ରିଙ୍ଗ୍ ରହିଛି । ଯଦି ଆପଣ ଠିକ୍ ରୁଟ୍ରେ ଯାଉଛନ୍ତି ତା’ହେଲେ ଗାଡ଼ି ଚକା ଟାୟାର କିଲର୍ର ଲୁହା ପ୍ଲେଟ୍କୁ ଛୁଇଁବା ମାତ୍ରେ ତାହା ତଳକୁ ଦବିଯିବ । ଫଳରେ ଗାଡ଼ି ସହଜରେ ଯାଇପାରିବ । ବିପରିତ ଦିଗ ବା ରଙ୍ଗରୁଟ୍ରେ ଗାଡ଼ି ନେଲେ ଉକ୍ତ ଲୁହା ପ୍ଲେଟ୍ରେ ଲାଗିଥିବା ସ୍ପ୍ରିଙ୍ଗ୍ ତଳକୁ ନ ଦବି ସିଧା ଟାୟାରକୁ ଫଟାଇ ଦେବ । ଗାଡ଼ିର ଟାୟାର ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ।