
ନୂଆଦିଲ୍ଲୀ: ରନ୍ଧନ ଗ୍ୟାସ (ଏଲ୍ପିଜି)ର ସିଲିଣ୍ଡର ପିଛା ମୂଲ୍ୟରେ ଆଜି (ବୁଧବାର) ୧୪୪ ଟଙ୍କା ୫୦ ପଇସାର ବୃଦ୍ଧି ଘଟାଇଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ୧୪.୨ କିଲୋ ଓଜନ ବିଶିଷ୍ଟ ଏଲପିଜି ସିଲିଣ୍ଡରର ପିଛା ମୂଲ୍ୟ ୭୧୪ ଟଙ୍କା ଥିବା ବେଳେ ଏବେ ମୂଲ୍ୟବୃଦ୍ଧି ପରେ ମୂଲ୍ୟ ୮୫୮ଟଙ୍କା ୫୦ ପଇସାରେ ଆସି ପହଞ୍ଚିଛି। ଚଳିତ ବର୍ଷ ଜାନୁଆରିରୁ ଏଲପିଜି ସିଲିଣ୍ଡରର ମୂଲ୍ୟରେ ବୃଦ୍ଧି ଘଟି ନଥିବା ବେଳେ ଏହା ଚଳିତ ବର୍ଷର ପ୍ରଥମ ମୂଲ୍ୟବୃଦ୍ଧି ଥିବା ଜଣାପଡ଼ିଛି।
୨୦୧୪ ଜାନୁଆରି ପରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କ୍ଷେତ୍ରରେ ଏହା ସର୍ବାଧିକ ରହିଥିବା ଜାଣିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ୨୦୧୪ ଜାନୁଆରିରେ କେନ୍ଦ୍ର ସରକାର ଏଲପିଜି ସିଲିଣ୍ଡରର ପିଛା ମୂଲ୍ୟରେ ୨୨୦ ଟଙ୍କା ବୃଦ୍ଧି ଘଟାଇଥିଲେ। ଯାହାକି ଏଲପିଜି ସିଲିଣ୍ଡରର ପିଛା ମୂଲ୍ୟରେ ସର୍ବାଧିକ ବୃଦ୍ଧି ଥିଲା। ଅନ୍ତର୍ଜାତିକ ସ୍ତରରେ ଘଟିଥିବା ମୂଲ୍ୟ ବୃଦ୍ଧି ଯୋଗୁଁ ଭାରତରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିବା ପାଇଁ ସରକାର ବାଧ୍ୟ ହୋଇଥିବା କୁହାଯାଉଛି।