
ନୂଆଦିଲ୍ଲୀ: ଷାହୀନବାଗ ବିକ୍ଷୋଭକାରୀଙ୍କୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସ ଭବନକୁ ଯାଇ ଭେଟିବାକୁ ଅନୁମତି ଦେଲାନି କି ଦିଲ୍ଲୀ ପୁଲିସ। ପ୍ରାୟ ୫ ହଜାର ବିକ୍ଷୋଭକାରୀ ପାଦରେ ଚାଲି ଚାଲି ଅମିତ ଶାହଙ୍କ ସରକାରୀ ବାସଭବନକୁ ଯାଇ ତାଙ୍କୁ ଭେଟିବାକୁ ଚାହୁଁଥିଲେ। କିନ୍ତୁ ଏତେମାତ୍ରାରେ ବିକ୍ଷୋଭାକାରୀଙ୍କୁ ଦିଲ୍ଲୀ ପୁଲିସ୍ ଅନୁମିତି ଦେଇନଥିବା ଶୁଣିବାକୁ ମିଳୁଛି।
ଦିଲ୍ଲୀ ପୁଲିସ କହିବା ଅନୁସାରେ, ଶନିବାର ଅପରାହ୍ଣ ୩ଟା ବେଳେ ଶାହୀନବାଗର ବିକ୍ଷୋଭାକାରୀଙ୍କ ଏକ ଦରଖାସ୍ତ ଦିଲ୍ଲୀ ପୁଲିସ୍ ମୁଖ୍ୟାଳୟକୁ ଆସିଥିଲା। ଦରଖାସ୍ତରେ ରବିବାର ୫ ହଜାର ବିକ୍ଷୋଭକାରୀ ଖାଲି ପାଦରେ ଚାଲି ଚାଲି ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସବଭନକୁ ଏକ ଶୋଭାଯାତ୍ରାରେ କରିବାକୁ ଅନୁମତି ମଗାଯାଇଥିଲା। ପ୍ରଥମେ ଏହା ନ୍ୟୁଦିଲ୍ଲୀ ଜିଲ୍ଲାକୁ ପଠା ଯାଇଥିଲା। ପୁଣି ସେଠାରୁ ଦରଖାସ୍ତକୁ ପୁଲିସ୍ ମୁଖ୍ୟାଳୟକୁ ପଠାଇଯାଇଥିଲା। ତେବେ ବିକ୍ଷୋଭକାରୀଙ୍କ ଆବେଦନକୁ ଦିଲ୍ଲୀ ପୁଲିସ୍ ଖାରଜ କରିଦେଇଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି।
ତେବେ ଦରଖାସ୍ତରେ ଥିବା ବିକ୍ଷୋଭକାରୀଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ଜଣାପଡ଼ିଛି। ଯେଉଁମାନେ ସିଏଏ ଓ ଅନ୍ଆର୍ସି ଓ ଏନ୍ପିଆର୍କୁ ନେଇ ଦୁଇ ମାସ୍ ହେବ ବିକ୍ଷୋଭ ପ୍ରଦର୍ଶନ କରି ଆସୁଛନ୍ତି।
ଶନିବାର ସାହୀନବାଗର କିଛି ବିକ୍ଷୋଭକାରୀ ଏହି ଆଇନ୍ ବିଷୟରେ ଅମିତ ଶାହଙ୍କ ସହିତ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ଥିବା କହିଥିଲେ। ଏ ବିଷୟରେ ଆମ ସହିତ କଥାବାର୍ତ୍ତା କରିବା ସରକାରଙ୍କର କର୍ତ୍ତବ୍ୟ ବୋଲି କହିଥିଲେ ବିକ୍ଷୋଭକାରୀ। ଗୃହମନ୍ତ୍ରୀ କାହାକୁ ବି ଡାକି ଏ ବିଷୟରେ ପରାମର୍ଶ କରିପାରନ୍ତି ବୋଲି ବିକ୍ଷୋଭକାରୀମାନେ କହିଥିଲେ।
ଶାହ କହିଥିଲେ ଯଦି ଏହି ଆଇନ୍କୁ ନେଇ କାହାର କୌଣସି ସମସ୍ୟା ଅଛି, ତେବେ ତାଙ୍କ ପାଖକୁ ଯିବାକୁ। ଶାହୀନ ବାଗକୁ ଏହି ଆଇନ୍ରେ ସମସ୍ୟା ଅଛି। ତେଣୁ ଆମେ ସମସ୍ତେ ଏ ବିଷୟରେ ଶାହଙ୍କୁ ଭେଟିବାକୁ ରବିବାର ତାଙ୍କ ବାସ ଭବନକୁ ଯିବୁ ବୋଲି ବିକ୍ଷୋଭକାରୀ ଗଣମାଧ୍ୟମକୁ କହିଥିଲେ। ଆଉ ଏ ନେଇ ଦିଲ୍ଲୀ ପୁଲିସ୍ ପାଖକୁ ଏକ ଦରଖାସ୍ତ ମଧ୍ୟ ପଠାଇଯାଇ ଅନୁମତି ଲୋଡ଼ାଯାଇଥିଲା। ଯାହା ଖାରଜ୍ ହୋଇଯାଇଥିବା ଶୁଣିବାକୁ ମିଳୁଛି।