
ସୋରଡ଼ା (ରଜନୀକାନ୍ତ ମହାପାତ୍ର, ଓଡ଼ିଶା ଟୁଡେ) ୧୫/୦୪/୨୪: ଗଞ୍ଜାମ ଜିଲ୍ଲାର ପ୍ରମୁଖ ପର୍ବ ଦଣ୍ଡଯାତ୍ରା ପାଇଁ ଜିଲ୍ଲା ବେଶ୍ ଉଚ୍ଛବ ମୁଖର ହୋଇଉଠିଥିଲା । ଜିଲ୍ଲା ର କୋଣ ଅନୁକୋଣ ରେ ଦଣ୍ଡଯାତ୍ରା ଦେଖିବାକୁ ମିଳିଥିଲା । ଏପରିକି ଗୋଟିଏ ଗୋଟିଏ ଗ୍ରାମ ରେ ଦୁଇ ରୁ ତିନୋଟି କାମ୍ୟ ଦଣ୍ଡ ରହିଛି । ଗଞ୍ଜାମ ଜିଲ୍ଲା ର ସୋରଡା ରେ ମଧ୍ୟ ତିନୋଟି କାମ୍ୟ ଦଣ୍ଡ ରହିଥିବା ବେଳେ ଏହି ବ୍ଲକ ଅଧୀନ ରେ ପାଖାପାଖି ୨୦ ଉର୍ଦ୍ଧ କାମ୍ୟ ଦଣ୍ଡ ରହିଛି। ଗଞ୍ଜାମ ଜିଲ୍ଲା ରେ ପ୍ରାୟ ସବୁ ସ୍ଥାନରେ ଧୂଳିଦଣ୍ଡ ଦେଖିବାକୁ ମିଳୁଥିବା ବେଳେ ସୋରଡା ରେ କେବଳ ଅଗ୍ନିଦଣ୍ଡ ର ପରମ୍ପରା ରହିଛି । କେଉଁଠି ୨୧ ଦିନିଆ ଦଣ୍ଡ ଯାତ୍ରା, ଆଉ କେଉଁଠି ୧୩ ଦିନିଆ ଦଣ୍ଡ ଯାତ୍ରା, ଆଉ କେଉଁଠି ମାସନ୍ତ ମେରୁ, ଆଉ କେଉଁଠି ସଂକ୍ରାନ୍ତି ମେରୁ । ଏହିପରି ଭିନ୍ନ ଭିନ୍ନ ପରମ୍ପରା କୁ ନେଇ ଗଞ୍ଜାମ ଜିଲ୍ଲା ରେ ଦଣ୍ଡଯାତ୍ରା ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ସୋରଡା ରେ ପବିତ୍ର ମେରୁ ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି ରେ ଦଣ୍ଡଯାତ୍ରା ସମାପନ ହୋଇଛି । ସୋରଡା ର ଶ୍ରୀ ଶ୍ରୀ ପଞ୍ଚାନନ କାମ୍ୟ ଦଣ୍ଡ(ବଡପୁଞ୍ଜା), ଦେଶବାସୀ ପୁଞ୍ଜା (ପଞ୍ଚାନନ କାମ୍ୟ ଦଣ୍ଡ), ଓ ବରାଡି ପୁଞ୍ଜା (ବୃଦ୍ଧଲିଙ୍ଗେଶ୍ଵର କାମ୍ୟ ଦଣ୍ଡ) ର ମେରୁ ପୂଜା ସରିଛି । ସଙ୍କ୍ରାନ୍ତି ରେ ମେରୁ ପୂଜା ପରେ ଦଣ୍ଡ ଭୋକ୍ତା ମାନେ ସଂକଳ୍ପ ପଇତା ବାହାର କରିଛନ୍ତି । ୧୩ ଦିନ ଧରି ନିଷ୍ଠାପର ସହ ବ୍ରତ ପାଳିବା ପରେ ସବୁ ଦଣ୍ଡୁଆ ଏବେ ଘର ବାହୁଡା ହୋଇଛନ୍ତି । ସେହିପରି ବିଭିନ୍ନ ମନ୍ଦିର ରୁ ବରଣ କରି ଆଣିଥିବା ମହାଦେବ ଙ୍କୁ ମଧ୍ୟ ନିଜ ନିଜ ଅଞ୍ଚଳ ର ମନ୍ଦିର ରେ ନେଇ ପୁନଃ ସ୍ଥାପନ କରିଛନ୍ତି । ସେହିପରି ମାଁ କାଳୀ ଙ୍କୁ ପୂଜାର୍ଚନା କରି ମନ୍ଦିର ରେ ପୁନଃ ସ୍ଥାପନ କରିଛନ୍ତି । ଗଞ୍ଜାମ ଜିଲ୍ଲା ର ଗଣପର୍ବ ଭାବେ ପରିଚିତ ଦଣ୍ଡନାଚ ର ସମାପ୍ତି ଘଟିଛି । ଗଞ୍ଜାମ ଜିଲ୍ଲାରେ ଢୋଲ ମହୁରି ରେ ଯେଉଁ କୋଳାହଳ ଶବ୍ଦ ରେ ଭକ୍ତିମୟ ପରିବେଶ ର ମାହୋଲ ଦେଖିବାକୁ ମିଳିଥିଲା ତାହା ଏବେ ଆଉ ଦେଖିବାକୁ ମିଳିବନି । ଦେବାଧିଦେବ ମହାଦେବ ଓ ମାଁ କାଳୀ ଙ୍କ ଏହି ଅପୂର୍ବ ଯାତ୍ରା ଦେଖିବାକୁ ପୁଣିଥରେ ଆର ବରଷ କୁ ଅପେକ୍ଷା ।