ବିଧାନସଭାରେ ପଶିଯିବୁ: ଛାତ୍ର କଂଗ୍ରେସ

ଭୁବନେଶ୍ବର (ଓଡ଼ିଶା ଟୁଡେ) : ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର କଂଗ୍ରେସ ପକ୍ଷରୁ ଆଜି କ୍ୟାମ୍ପସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଛାତ୍ରମାନେ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ଟାୟାର ଜାଳି ପ୍ରତିବାଦ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ଓଡ଼ିଶାରେ ସରକାର ପରିବର୍ତ୍ତନ ପରେ ଛାତ୍ର ସଂସଦ ନିର୍ବାଚନ ହେବବୋଲି ଛାତ୍ରମାନଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଥିଲା। ତେବେ ରାଜ୍ୟ ସରକାରଙ୍କ ମାନସିକତା ଛାତ୍ରବିରୋଧୀ ବୋଲି ଆଇନମନ୍ତ୍ରୀଙ୍କ କଥାରୁ ସ୍ପଷ୍ଟ ଜଣାପଡ଼ୁଛି। ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ଉଚ୍ଚଶିକ୍ଷାମନ୍ତ୍ରୀ କହିବା କଥା। ଆଇନମନ୍ତ୍ରୀ ଏ ବିଷୟରେ କହିବାକୁ କିଏ? କ୍ୟାମ୍ପସରେ ଏବିଭିପି ଭଲ ସ୍ଥିତିରେ ନ ଥିବାରୁ ରାଜ୍ୟରେ ଶାସନାଧୀନ ବିଜେପି ସରକାର ନିର୍ବାଚନକୁ ଡରିଗଲେ। ନିର୍ବାଚନ ସମୟରେ ବିଜେପି କହିଥିଲା ଯେ କ୍ଷମତାକୁ ଆସିଲେ ଛାତ୍ର ନିର୍ବାଚନ କରିବ। ହେଲେ ଏବେ ଅସୁବିଧା କେଉଁଠି? କିଛି ପଞ୍ଚାୟତ, ପୌରାଞ୍ଚଳରେ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ଛାତ୍ର ସଂସଦ ନିର୍ବାଚନ କାହିଁକି ନୁହେଁ? ନୂଆ ଛାତ୍ରନେତା ନବାହାରନ୍ତୁ ବୋଲି ଏ ସରକାର ଚାହୁଛନ୍ତି କି? ବିଜେଡି ରାସ୍ତାରେ ଏବେ ବିଜେପି ଯାଉଛି। ଯଦି ଏଥର ନିର୍ବାଚନ ନ ହୁଏ ତା’ହେଲେ ଆଗକୁ ଭୟଙ୍କର ପରିସ୍ଥିତି ଉପୁଜିବ। ଛାତ୍ର ଅଧିକାର ଛଡ଼ାଇ ନେଲେ ସେମାନେ ବିଧାନସଭାରେ ପଶିଯିବେ ବୋଲି ବିକ୍ଷୋଭକାରୀ ଛାତ୍ରନେତାମା‌ନେ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *