ଟସ୍ ହାରି ମାଷ୍ଟର ପ୍ଲାନ୍ ସମ୍ପର୍କରେ ସୂଚନା ଦେଲେ ରୋହିତ

ଚେନ୍ନାଇ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ଟିକିଆ ଟେଷ୍ଟ ମ୍ୟାଚ୍ କ୍ରିକେଟ୍ ସିରିଜ୍ ଆରମ୍ଭ ହୋଇଛି। ଚେନ୍ନାଇର ଚେପାକ୍ ଗ୍ରାଉଣ୍ଡରେ ଉଭୟ ଦଳ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଏବଂ ଭାରତୀୟ କ୍ରିକେଟ୍ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି। ମ୍ୟାଚ୍‌ରେ ଟସ୍ ହାରିବା ପରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ତାଙ୍କ ମାଷ୍ଟରପ୍ଲାନ ବିଷୟରେ କହିଛନ୍ତି।

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ମ୍ୟାଚ୍‌ର ଟସ୍‌ ହାରିବା ପରେ କହିଛନ୍ତି ଯେ ସେ ମଧ୍ୟ ଟସ୍ ଜିତିଥିଲେ ପ୍ରଥମେ ବୋଲିଂ କରିଥାନ୍ତେ। ପିଚରେ ଆର୍ଦ୍ରତା ଅଛି, ଯାହା ବ୍ୟାଟିଂ ସ୍ଥିତିକୁ ଚ୍ୟାଲେଞ୍ଜ କରିବ। ତଥାପି, ଆମେ ଭଲ ପ୍ରସ୍ତୁତି କରିଛୁ। ଦଳର ଦକ୍ଷତା ଉପରେ ମୋର ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ରହିଛି।

ଆମେ କିପରି ଖେଳିବୁ ତାହା ଆମକୁ ଜଣା। ରୋହିତ ଶର୍ମା ତାଙ୍କ ମାଷ୍ଟରପ୍ଲାନ ବିଷୟରେ ଆହୁରି ପ୍ରକାଶ କରି କହିଛନ୍ତି ଯେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଭାରତକୁ ୧୦ଟି ମ୍ୟାଚ ଖେଳିବାକୁ ପଡିବ। ପ୍ରତ୍ୟେକ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆମ ସାମ୍ନାରେ କଣ ଅଛି ତାହା ଉପରେ ଧ୍ୟାନ ଦେବାକୁ ପଡିବ ।

ଆମ ଦଳ ଏକ ସପ୍ତାହ ପୂର୍ବରୁ ଏଠାରେ ପହଞ୍ଚିଥିଲେ। ଆମ ଦଳ ଏହି ଗ୍ରାଉଣ୍ଡରେ ଭଲ ପ୍ରସ୍ତୁତ କରିଛି ଏବଂ ଖେଳାଳିମାନେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଅଛନ୍ତି। ଏଥିରୁ ଦଳ ଉପକୃତ ହେବ ।

ବାଂଲାଦେଶ କ୍ରିକେଟ୍ ଦଳର ଅଧିନାୟକ ନଜମୁଲ ହୁସେନ୍ ଶାନ୍ତୋ ଟସ୍ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ କହିଛନ୍ତି ଯେ ସେ ପ୍ରଥମେ ବୋଲିଂ କରିବାକୁ ଚାହୁଁଛନ୍ତି କାରଣ ୱିକେଟ୍‌ରେ ଆର୍ଦ୍ରତା ଅଛି ଏବଂ ସେ ଏହାର ଫାଇଦା ନେବାକୁ ଚାହୁଁଛନ୍ତି ।

ପ୍ରଥମ ଇନିଂସରେ ବୋଲରମାନେ ମଧ୍ୟ ଭଲ ସୁବିଧା ପାଇବେ। ପାକିସ୍ତାନ ବିପକ୍ଷ ଶେଷ ଟେଷ୍ଟ ସିରିଜପରେ ଏହି ମ୍ୟାଚ୍ ପାଇଁ ସେ ଆତ୍ମବିଶ୍ୱାସୀଥିବା କହିଛନ୍ତି। ତେବେ ଏହା ଏକ ନୂଆ ସିରିଜ୍‌ ଏବଂ ଏଥିରେ ଏକ ନୂଆ ପ୍ରକାର କ୍ରିକେଟ୍ ଖେଳିବାକୁ ପଡ଼ିବ। ଦଳରେ ଅଭିଜ୍ଞ ଏବଂ ଯୁବ ଖେଳାଳିଙ୍କ ମିଶ୍ରଣ ଅଛି, ଯାହା ଲାଭଦାୟକ ହେବ ।

ଟିମ୍ ଇଣ୍ଡିଆ ସ୍କ୍ବାଡ୍: ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସ୍ବାଲ, ଶୁବମନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ଋଷଭ ପନ୍ତ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଜସପ୍ରୀତ ବୁମ୍ରା, ଆକାଶ ଦୀପ ଏବଂ ମହମ୍ମଦ ସିରାଜ ।

ବାଂଲାଦେଶ ସ୍କ୍ବାଡ୍: ଶାଦମାନ ଇସଲାମ, ଜାକିର ହାସନ, ନାଜମୁଲ ହୁସେନ ଶାନ୍ତୋ (ଅଧିନାୟକ), ମୋମିନୁଲ ହକ, ମୁଶଫିକୁର ରହୀମ, ଶାକିବ ଅଲ ହାସନ, ଲିଟନ ଦାସ (ୱିକେଟ୍ କିପର), ମେହେନ୍ଦି ହାସନ ମିରାଜ, ତସ୍କିନ୍ ଅହମ୍ମଦ, ହାସନ ମହମୁଦ ଏବଂ ନାହିଦ ରାଣା ।

Leave a Reply

Your email address will not be published. Required fields are marked *