ଦେଶ ବିଦେଶରେ ଓଡ଼ିଆମାନେ ନୂଆଁଖାଇ ପାଳନ କରିବା ଖୁସିର ବିଷୟ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଗଣପର୍ବ ‘ନୂଆଁଖାଇ’ ଏବେ ସାରା ଦେଶରେ ଓଡ଼ିଶାର ନୂଆ ପରିଚୟ ତିଆରି କରିଛି। ଗାଁରୁ ସହର, ରାଜ୍ୟରୁ ଦେଶ ତଥା ବିଦେଶରେ ମଧ୍ୟ ଓଡ଼ିଆମାନେ ଉତ୍ସାହ ଉଦ୍ଦୀପନାରେ ସହ ଏହି ପର୍ବ ସହ ଯୋଡ଼ିହେବା ଖୁସିର ବିଷୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।ନୂଆଦିଲ୍ଲୀରେ ‘ଜୁହାର୍ ନୂଆଁଖାଇ ପରବ୍-୨୦୨୪’ର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦିଲ୍ଲୀରେ ରହୁଥିବା ଆମର ଓଡ଼ିଆ ଭାଇ ଭଉଣୀମାନେ ଉତ୍ସାହର ସହ ନୂଆଁଖାଇ ପାଳି ବେଶ୍ ଆନନ୍ଦ ଅନୁଭବ କରିଛନ୍ତି ।

ନୂଆଁଖାଇ ଆଉ ରାଜ୍ୟ ଭିତରେ ସୀମିତ ହୋଇ ନାହିଁ। ଦେଶରୁ ବିଦେଶ ପର୍ଯ୍ୟନ୍ତ ବ୍ୟାପିଲାଣି। ସମ୍ବଲପୁର ଲୋକସଭାର ପ୍ରତିନିଧି ଭାବେ ଦାୟିତ୍ୱ ନେବା ପରେ ଦିଲ୍ଲୀରେ ଏହି ପର୍ବରେ ସାମିଲ ହେବା ମୋ ପାଇଁ ସୌଭାଗ୍ୟର ବିଷୟ। ରାଷ୍ଟ୍ରୀୟ ରାଜଧାନୀରେ ସମସ୍ତେ ଏକାଠି ହୋଇ ନୂଆଁଖାଇ ପାଳନ କରିବା ଏକ ଅପୂର୍ବ ଅବସର।ଆମର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ପାଳନ କରିବା ସହ ନୂଆଦିଲ୍ଲୀରେ ଓଡ଼ିଶାର ଭ୍ରମ ସୃଷ୍ଟି କରିପାରିଥିବାରୁ ଜୁହାର୍ ପରିବାରର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ। ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର ଦିଗରେ ଜୁହାର୍ ପରିବାରର ଉଦ୍ୟମ ସଫଳ ହେବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ।

Leave a Reply

Your email address will not be published. Required fields are marked *