ମେଜର ଓ ବାନ୍ଧବୀଙ୍କୁ ରାସ୍ତାରେ ଆକ୍ରମଣ ମାମଲା: ସକ‌ାଳେ ଗିରଫ ୭ ଇଂଜିନିୟରିଂ ଛାତ୍ରଙ୍କୁ ଜାମିନ

ଭୁବନେଶ୍ବର: ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ପଥରଗାଡ଼ିଆ ରାସ୍ତାରେ ଆକ୍ରମଣ କରିଥିବା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ୭ ଇଂଜିନିୟରିଂ ଛାତ୍ରଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସେମାନେ ହେଲେ ରାଉରକେଲା ଅଞ୍ଚଳର ରାକେଶ ନାୟକ(୨୨), ‌ଅଭିଳାଷ ସାମନ୍ତ(୨୧), କେନ୍ଦ୍ରାପଡ଼ା ମାର୍ଶାଘା‌ଇର ଅମନ କୁମାର(୨୧), ଭଦ୍ରକ ଅଞ୍ଚଳର ଆଦିତ୍ୟ ରଞ୍ଜନ ବେହେରା(୨୧), ରାଉରକେଲାର ଆକାଶ ପଢ଼ିଆରୀ(୨୨), ହରିଶ ମହନ୍ତ(୨୧), ବାଲୁଗାଁ ଚିଲିକା ଅଞ୍ଚଳର ସମୀର ଆଶିଷ କୁମାର ସ୍ବାଇଁ(୨୨)। ଗତକାଲିଠାରୁ ଚନ୍ଦକା ଥାନା ପୁଲିସ ଏମାନଙ୍କୁ ଅଟକ ରଖିଥିଲା।

ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଭୁବନେଶ୍ବର ଜେଏମ୍‌ଏଫ୍‌ସି କୋର୍ଟ ଜାମିନ ଆବେଦନର ଶୁଣାଣି କରିଥିଲେ। ଯେଉଁ ଦଫାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି, ସେଥିରେ ସେମାନଙ୍କୁ ଥାନାରୁ ନୋଟିସ୍ ଦେଇ ଛାଡ଼ିବା କଥା। ଏଭଳି ଦଫାର ମାମଲା କୋର୍ଟକୁ ଆସିବା ଯୋଗ୍ୟ ନୁହେଁ ବୋଲି ବିଚାରପତି କହିଛନ୍ତି। ୧୪ ତାରିଖ ରାତି ପ୍ରାୟ ୨ଟା‌ ବେଳେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ ପଟିଆ ଅଞ୍ଚଳରୁ ଚନ୍ଦକାସ୍ଥିତ ଘରକୁ ଫେରୁଥିଲେ। ଚନ୍ଦକା-ପଥରଗାଡ଼ିଆ ରାସ୍ତାରେ ସୁନ୍ଦରପୁର ଛକ ନିକଟରେ ଅଭିଯୁକ୍ତମାନଙ୍କ ସହ ସେମାନଙ୍କ ବିବାଦର ସୂତ୍ରପାତ ହୋଇଥିଲା। ପଟିଆ ଅଞ୍ଚଳରୁ ଫେରୁଥିବା ଅଭିଯୁକ୍ତ ଇଂଜିନିୟରିଂ ଛାତ୍ରମା‌ନେ ମେଜର ଓ ବାନ୍ଧବୀଙ୍କ କାର୍‌କୁ ଅଟକାଇ ଅଶ୍ଳୀଳ ଭାଷ‌ାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଡିଜିପିଙ୍କ ନିର୍ଦ୍ଦେଶରେ ଏନେଇ ଚନ୍ଦକା ଥାନାରେ ମାମଲା ରୁଜୁ ହୋଇଥିଲା। ଚନ୍ଦକା ଥାନା ପୁଲିସ ସିସିଟିଭି ଫୁଟେଜ୍‌ ଆଧାରରେ ମାମଲାର ତଦନ୍ତ କରି ଖଣ୍ଡଗିରିରେ ରହି ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା

ଏହି ଛାତ୍ରମାନଙ୍କୁ ଚିହ୍ନଟ କରିଥିଲା। ଗତକାଲି ରାତିରେ ସେମାନଙ୍କୁ ଥାନାକୁ ଅଣାଯାଇ ପଚରାଉଚରା କରାଯାଇଥିଲା। ଆଜି ଅଭିଯୁକ୍ତ ଛାତ୍ରମାନଙ୍କୁ କୋର୍ଟ ଚାଲାଣ କରାଯାଉଥିବା ବେଳେ ଗଣମାଧ୍ୟମର ପ୍ରତିନିଧିମାନେ ସେମାନଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ। ଭ୍ୟାନ୍‌ ଭିତରୁ ସେମାନେ କହିଥ‌ିଲେ ଯେ ସେମାନଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଛି। ସେମାନେ କହିଥିଲେ ଯେ ରାସ୍ତାରେ ଯାହା ଯାହା ଘଟିଛି, ସବୁର ଭିଡିଓ କ୍ଲିପ୍‌ ରହିଛି। ସେମାନେ ମହିଳାଙ୍କୁ ମାଡ଼ ମାରିନାହାନ୍ତି। ବରଂ ମହିଳାଜଣକ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ ଏବଂ ମେଜର ସେମାନଙ୍କୁ ଧମକ ଦେଇଥିଲେ।

Leave a Reply

Your email address will not be published. Required fields are marked *