ମହାକୁମ୍ଭ ମେଳା: ୨୫ ହଜାର କୋଟିର ବଜାର, ମେଳା ବଜେଟ୍‌ ୬୩୮୨ କୋଟି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ୨୦୨୫ ଜାନୁଆରି ୧୩ରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ଆୟୋଜିତ ହେବ ବିଶ୍ବର ସର୍ବବୃହତ୍‌ ଧାର୍ମିକ ଜନ ସମାଗମ କାର୍ଯ୍ୟକ୍ରମ ‘ମହାକୁମ୍ଭ ମେଳା’। ହିନ୍ଦୁ ଧର୍ମରେ ଏହି ମେଳାର ବେଶ୍ ମହତ୍ତ୍ବ ରହିଛି। ଏହା ହେଉଛି ଦୁନିଆର ସବୁଠୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ। ଯଦିଓ ଏହା ଏକ ଧାର୍ମିକ କାର୍ଯ୍ୟକ୍ରମ, କିନ୍ତୁ ଦେଶର ଅର୍ଥନୀତି ପ୍ରତି ଏହାର ରହିଛି ବଡ଼ ଯୋଗଦାନ। ୨୦୨୫ରେ ହେବାକୁ ଥିବା କୁମ୍ଭମେଳା ଏକ ୨୫ ହଜାର କୋଟି ଟଙ୍କାର ବଜାର ହେବ ବୋଲି ଆକଳନ କରାଯାଇଛି। ୨୦୨୫ କୁମ୍ଭ ମେଳାରେ ୪୦-୪୫ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି। ଏଥର ମେଳା ଆୟୋଜନରେ ୬୩୮୨ କୋଟି ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ରହିଛି। କୁମ୍ଭ ମେଳା ଦ୍ବାରା ଉତ୍ତରପ୍ରଦେଶ ବିଶେଷ ଭାବେ ଉପକୃତ ହେଉଛି। ଏହା ‌ଉଭୟ ରାଜସ୍ବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଯଥା ଭିତ୍ତିଭୂମି ବିକାଶ, ପର୍ଯ୍ୟଟନ, ବ୍ରାଣ୍ଡ୍‌ ପ୍ରଚାର, ଆତିଥେୟତା, ବିମାନ ଚଳାଚଳ, ପରିବହନ, ଟୁର୍ ଅପରେଟର ଓ ଚିକିତ୍ସା ସେବା ଦ୍ବାରା ଏକ ବିଶାଳ ବଜାର ସୃଷ୍ଟି ହେଉଛି। ଏହି ମେଳାକୁ ଦୃଷ୍ଟିରେ ରଖି ବିମାନବନ୍ଦର ଓ ହୋଟେଲ୍‌ଗୁଡ଼ିକରେ ବିପୁଳ ନିବେଶ କରାଯାଉଛି। କୁମ୍ଭ ମେଳାରେ ଭାରତର ବିଭିନ୍ନ ସ୍ଥାନରୁ ଅନେକ ଶ୍ରଦ୍ଧାଳୁ ଯୋଗଦେଉଥିବା ବେଳେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ମରିସସ୍, ସିଙ୍ଗାପୁର, ବ୍ରିଟେନ୍ ଓ ଶ୍ରୀଲଙ୍କାରୁ ମଧ୍ୟ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେଉଛି ।

ସେମାନଙ୍କ ଜରିଆରେ ଦେଶକୁ ବୈଦେଶିକ ମୁଦ୍ରା ଆସୁଛି।ମେଳା ବଜେଟ୍‌ ୬୩୮୨ କୋଟି୫,୮୫,୦୦୦ ନିଯୁକ୍ତି ସୃଷ୍ଟି ହେବହଜାର ହଜାର ଲୋକଙ୍କ ସହ ନିଜ ବ୍ରାଣ୍ଡ୍‌ ଓ କମ୍ପାନିକୁ ପରିଚିତ କରିବା ଲାଗି କମ୍ପାନିଗୁଡ଼ିକ ଖୁବ୍‌ ପ୍ରଚାରପ୍ରସାର କରୁଛନ୍ତି। ସେମାନେ ବିଜ୍ଞାପନ ଓ ମାର୍କେଟିଂରେ ନିବେଶ କରିବାକୁ ପଛାଉନାହାନ୍ତି। କୁମ୍ଭ ମେଳା ପ୍ରଭାବରେ କେବଳ ଆତିଥେୟତା କ୍ଷେତ୍ରରେ ୨,୫୦,୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା ରହିଛି। ବିମାନଚଳାଚଳ ଓ ବିମାନବନ୍ଦରରେ ୧,୫୦,୦୦୦ ପାଖାପାଖି ଲୋକ ନିୟୋଜିତ ହୋଇଥାନ୍ତି। ଟୁର୍‌ ଅପରେଟରଙ୍କ ଦ୍ବାରା ୪୫ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯାଏ। ଚିକିତ୍ସା ସେବା ଓ ଇକୋ-ଟୁରିଜିମ୍ ବ୍ୟବସ୍ଥାରୁ ୮୫ ହଜାର ଲୋକ ଜୀବିକା ପାଊଛନ୍ତି। ଏସବୁ ବ୍ୟତୀତ ଟାକ୍ସି ଡ୍ରାଇଭର୍‌, ଟୁର୍‌ ଗାଇଡ୍‌, ବ୍ୟାଖ୍ୟାନକାରୀ ଓ ସ୍ବେଚ୍ଛସେବୀ ଭାବେ ପ୍ରାୟ ୫୫ ହଜାର ଲୋକଙ୍କୁ ନିଯୁକ୍ତି ମିଳୁଛି। କେବଳ ପ୍ରୟାଗରାଜ ନୁହେଁ, ଏହାର ଆଖପାଖ ସହର ଯଥା ବାରାଣସୀ, ଅଯୋଧ୍ୟା, ମଥୁରା ଓ ବିନ୍ଧ୍ୟବାସିନୀ ଧାମ ମଧ୍ୟ ଉପକୃତ ହୋଇଥାଏ। କାରଣ ମେଳା ବୁଲିବାକୁ ଆସୁଥିବା ଲୋକମାନେ ଏହି ସମସ୍ତ ସହରରେ ଥିବା ବିଭିନ୍ନ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳ ପରିଦର୍ଶନ କରିଥାନ୍ତି ।

Leave a Reply

Your email address will not be published. Required fields are marked *