
ଭଞ୍ଜନଗର (ଓଡ଼ିଶା ଟୁଡେ): ଯାନବାହାନ ସଂଖ୍ୟା ବୃଦ୍ଧି, ମଦ୍ୟାପାନ କରି ଗାଡି ଚଳାଇବା, ଦ୍ରୁତଗତିରେ ଗାଡି ଚଳାଇବା, ଆବଶ୍ୟକତା ଠାରୁ ଅଧିକ ଜଣ ବସି ଗାଡି ଚଲାଇବା, ଖାମ ଖିଆଲି ମନୋଭାବ ରଖି ଟ୍ରାଫିକ୍ ନିୟମକୁ ନମାନିବା ଦ୍ବାରା ପ୍ରତିଦିନ ଘଟୁଥିବା ଦୁର୍ଘଟଣାର ପ୍ରମୁଖ କାରଣ ସାଜିଥିବା ବେଳେ ସଚେତନତାକୁ ବ୍ୟପକ କରିବା ପାଇଁ ଆଜି ଭଞ୍ଜନଗର ପରିବହନ ବିଭାଗ ପକ୍ଷରୁ ପଥୋତ୍ସବ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।
ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏକ ଶୋଭାଯାତ୍ରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ମୁଖ୍ୟ ସଡକରେ ଟାଉନ ହଲ ନିକଟରେ ପହଞ୍ଚିଥିଲା। ସେଠାରେ ବିଧାୟକଙ୍କ ସମେତ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ବ ରଞ୍ଜନ କର, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ, ନଗରପାଳ ଗୋପବନ୍ଧୁ ମହାପାତ୍ର, ଥାନା ଅଧିକାରୀ କୁମର ମୁଦୁଲି, ଏନ୍ଏସି ଇଓ ମୂରଲୀକୃଷ୍ଣ ପଣ୍ଡା, ଅବକାରୀ ଅଧିକାରୀ ଅଲିଭା ମାଝୀ, ରୋଟାରୀ କ୍ଳବ ସଭାପତି ରଞ୍ଜିତ ବାରିକ, ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ଗୋବିନ୍ଦ ରାଓ, ବିପ୍ରଚରଣ ବାରିକ, ଏମଭିଆଇ ଶର୍ମିଳା ମହାରଣା ପ୍ରମୁଖ ଟ୍ରାଫିକ ନିୟମ ପାଳନ କରିବା, ମଦ୍ୟପାନ କରି ଗାଡି ନଚଳାଇବା, ଦୁର୍ଘଟଣା ଦ୍ବାରା ପରିବାରର କ୍ଷତି ସଂର୍ପକରେ ସଚେତନ କରିଥିଲେ। ଏଥିସହ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସଂର୍ପକରେ କହିଥିଲେ। ଏହାକୁ ବିପଦର ବନ୍ଧୁ ଅନୁଷ୍ଠାନର ଅରକ୍ଷିତ ପରିଚ୍ଛା ସଂଯୋଜନା କରିଥିଲେ। ଏହି ଅବସରରେ ବିଭିନ୍ନ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଦ୍ବାରା ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏଥିସହ ରଙ୍ଗୋଲି, ବଡ କୋଦଣ୍ଡାର ପ୍ରସିଦ୍ଧ କଣ୍ଢେଇ ନାଚ, ସେଲ୍ଫି ପଏଣ୍ଟ୍, ଉଦ୍ଧାର ଶୌଳୀ,ଦସ୍ତଖତ ଅଭିଯାନ, ଦାସକାଠିଆ, ନାଟକ ଆଦି ମାଧ୍ୟମରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।
ଭଞ୍ଜନଗରରୁ ଅରକ୍ଷିତ ପରିଚ୍ଛାଙ୍କ ରିପୋର୍ଟ।