ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖସିପଡ଼ିଲା ଡ୍ରୋନ୍‌: ସାମନାକୁ ଆସିଲା ବଡ଼ଧରଣର ସୁରକ୍ଷା ତ୍ରୁଟି

ଝାରସୁଗୁଡ଼ା: ୨ ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଝାରସୁଗୁଡ଼ା ଗସ୍ତ କରିଥିଲେ। ତେବେ ତାଙ୍କ ଗସ୍ତ ସମୟରେ ହୋଇଥିବା ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ଧରଣର ତ୍ରୁଟି ସାମନାକୁ ଆସିଛି। ଯାହାର ଭିଡିଓ ଆଜି ଭାଇରାଲ୍‌ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଝାଡ଼େଶ୍ବର ମନ୍ଦିରକୁ ପ୍ରବେଶ କରିବା ଲାଗି ଯାଉଥିବା ସମୟରେ ଏକ ଅଚିହ୍ନା ଡ୍ରୋନ୍‌ ତାଙ୍କ ପାଖରେ ଖସିପଡ଼ିଥିଲା। କଡ଼ା ସୁରକ୍ଷା ବଳୟ ଭିତରେ ଡ୍ରୋନ୍‌ଟି ଅତର୍କିତ ଭାବେ ଖସି ପଡ଼ିବାରୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବି ହଡ଼ବଡ଼େଇ ଯିବା ସହ ଚମକି ପଡ଼ିଥିଲେ। ଯାହାର ଦୃଶ୍ୟ ଉକ୍ତ ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ତେବେ ପିଏସ୍‌ଓ ଓ ଉପସ୍ଥିତ ପୁଲିସ୍‌ ଉକ୍ତ ଡ୍ରୋନ୍‌କୁ ପାଦରେ ଏଡ଼ାଇ ଦେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ବାଭାବିକ ଢଙ୍ଗରେ ଚାଲିଥିଲା। କୌଣସି ବ୍ୟକ୍ତି ଫଟୋ ଉଠାଇବା ଉଦ୍ଦେଶ୍ୟରେ ଏହି ଡ୍ରୋନ୍‌ ଉଡ଼ାଇଥିବା ଜଣାପଡ଼ିଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଉପରେ ଏଭଳି ଡ୍ରୋନ୍‌ ଉଡ଼ାଇବାକୁ କିଏ ଅନୁମତି ଦେଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *