
ଭୁବନେଶ୍ବର (ଓଡ଼ିଶା ଟୁଡେ) : ଲଘୁଚାପ ଜନିତ ଲଗାଣ ବର୍ଷାରେ ଜମିରେ ଧାନ, ରବି ଫସଲ ଏବଂ ପନିପରିବା ବହୁଳ ମାତ୍ରାରେ ନଷ୍ଟ ହୋଇଛି। ଧାର କରଜ କରି ଜମି ଚାଷ କରିଥିବା ଚାଷୀ ଉଜୁଡ଼ା କ୍ଷେତ ଦେଖି ହତାଶ ହୋଇପଡିଛନ୍ତି। ଋଣ ପରିଶୋଧ କରି ନ ପାରିବାର ଚିନ୍ତାରେ ରାଜ୍ୟରେ 10 ଜଣ ଚାଷୀ ଅକାଳରେ ମୃତ୍ୟ ବରଣ କରିବା ନିଶ୍ଚୟ ଏକ ଗଭୀର ଉଦବେଗର ବିଷୟ।ଏଭଳି ପରିସ୍ଥିତିରେ ସରକାରୀ ସ୍ତରରେ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ ହୋଇ ନ ପାରିବା ଚାଷୀକୂଳକୁ ଆହୁରି ସଙ୍କଟମୟ ପରିସ୍ଥିତିକୁ ଠେଲିଦେଇଛି।କଟା ହୋଇ ବିଲରେ ପଡ଼ିଥିବା ଧାନ ଅଦିନିଆ ବର୍ଷାରେ ନଷ୍ଟ ହେଲେ ତାହାର କେବଳ କ୍ଷତି ପୂରଣ ଦିଆଯିବ ବୋଲି ବୀମା କମ୍ପାନୀ ସର୍ତ୍ତ ରଖିଥିବାରୁ ଯେଉଁ ଧାନକୁ ଚାଷୀ କ୍ଷେତରୁ ଅନ୍ୟ ସ୍ଥାନକୁ ବୋହି ନେଇଛନ୍ତି ଅବା ପାଣିରୁ ଛାଣି ଉଚ୍ଚା ସ୍ଥାନରେ ରଖିଛନ୍ତି ସେମାନଙ୍କୁ କ୍ଷତି ପୂରଣ ମିଳିବା ନେଇ ବିରାଟ ଆଶଙ୍କା ସୃଷ୍ଟି ହୋଇଛି। ଏପରିକି ପାଚିଲା ଧାନ ଗଜା ହୋଇ ପାଣିରେ ବୁଡି ରହିଥିଲେ ତାହାର କ୍ଷତି ପୂରଣ ଦିଆଯିବନି ବୋଲି ବୀମା କମ୍ପାନୀ ଅଦ୍ଭୁତ ଯୁକ୍ତି ବାଢ଼ୁଛନ୍ତି। ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବାରେ ସରକାରଙ୍କ ଉଦାସୀନତା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷତି ଭରଣାରେ ଭାଗଚାଷୀଙ୍କ ପାଇଁ କୌଣସି ଆଇନ୍ ନାହିଁ ବୋଲି ରାଜସ୍ବ ମନ୍ତ୍ରୀ ବିବୃତି ଦେଇ ଚାଷୀକୂଳଙ୍କ ପ୍ରତି ସରକାର ଅସମ୍ୱେଦନଶୀଳତାର ପ୍ରମାଣ ଦେଇଛନ୍ତି। ସାହୁକାର ପାଖରୁ ମୋଟା ସୁଧିଆରେ ଋଣ ଆଣି ଭାଗଚାଷୀ ସରକାରୀ ସହାୟତାରୁ ବଞ୍ଚିତ ହୋଇ ଅସହ୍ୟ ଦୁଃସ୍ଥିତି ଭିତରକୁ ଠେଲି ହୋଇଯିବା ସରକାରୀ କଳର ଦାୟିତ୍ୱହୀନତାକୁ ସ୍ପଷ୍ଟ କରୁଛି। ଏଭଳି ଦୁର୍ଦ୍ଦିନରେ ଆମ୍ ଆଦମୀ ପାର୍ଟି ଚାଷୀ ଭାଇମାନଙ୍କ ସହ ଦୃଢତାର ସହ ଛିଡ଼ାହୋଇ ରହିବା ସହିତ ସରକାରଙ୍କୁ ନିମ୍ନ ଲିଖିତ ବିନ୍ଦୁ ଗୁଡ଼ିକୁ ଅବିଳମ୍ବେ ପୂରଣ କରିବାକୁ ଦାବୀ ଜଣାଉଛି ।
1– ସରକାର ରିଲିଫ୍ କୋଡ୍ ସଂଶୋଧନ କରନ୍ତୁ ଓ ଭାଗଚାଷୀଙ୍କୁ ଚାଷୀ ମାନ୍ୟତା ଦେଇ ସହାୟତା ପ୍ରଦାନ କରନ୍ତୁ ।
2– କ୍ଷତି ପୂରଣ ନିମନ୍ତେ ଅନ୍ ଲାଇନରେ ଆବେଦନ ଚାଷୀଙ୍କ ପକ୍ଷେ ସହଜ ପ୍ରକ୍ରିୟା ହେଉ ନଥିବାରୁ ଅଫ୍ ଲାଇନରେ ମଧ୍ୟ ସେମାନଙ୍କ ଆବେଦନ ଗ୍ରହଣ କରାଯାଉ ।
3– ଏଫେକ୍ୟୁ ମାନ କୋହଳ କରି ସମସ୍ତ ଧାନକୁ କ୍ରୟ କରିବାକୁ ସରକାର ନିର୍ଦ୍ଦେଶ ଦିଅନ୍ତୁ ।
4– ରବି ଫସଲ କରିବା ପାଇଁ ଚିନାବାଦାମ, ରାଶି, କୋଳଥ ଏବଂ ପନିପରିବା ବିହନ ଓ ଜୈବିକ ସାର ଔଷଧ ରିହାତି ଦରରେ ଯୋଗାଇ ଦିଆଯାଉ ।
5– ଟାଟା କମ୍ପାନୀ ଜୋର ଜୁଲମ ଭାବେ ଉଠା ଜଳସେଚନ ନିମନ୍ତେ ଚାଷୀଙ୍କ ଠାରୁ ଆଦାୟ କରୁଥିବା ବିଦ୍ୟୁତ୍ ଶୁଳ୍କ ଛାଡ କରୁ ।
6– ରବି ଫସଲ ନିମନ୍ତେ ସମସ୍ତ ଉଠା ଜଳସେଚନ ପ୍ରକଳ୍ପକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରିବାକୁ ସରକାର ନିର୍ଦ୍ଦେଶ ଦିଅନ୍ତୁ ।
7– ଅଦିନିଆ ବର୍ଷା ଜନିତ କ୍ଷତି ସହି ନପାରି ମୃତ୍ୟୁ ବରଣ କରିଥିବା ପ୍ରତ୍ୟେକ କୃଷକ ପରିବାରକୁ 10 ଲକ୍ଷ ଟଙ୍କାର ତୁରନ୍ତ କ୍ଷତିପୂରଣ ଦେବାର ବନ୍ଦୋବସ୍ତ କରାଯାଉ ।
ଏଭଳି ଦାରୁଣ ଦୁଃସ୍ଥିତି ସମୟରେ ଏକ ଦାୟିତ୍ଵପୂର୍ଣ୍ଣ ଦଳ ଭାବେ ଆମ୍ ଆଦମୀ ପାର୍ଟି ଅତି ଶାଣିତ ଢଙ୍ଗରେ ଉପରୋକ୍ତ ଦାବି ଗୁଡ଼ିକୁ ଅବିଳମ୍ବେ ପୂରଣ କରି ଚାଷୀକୂଳ ପ୍ରତି ସମ୍ମାନ ଜଣାଇବାକୁ ସରକାରଙ୍କୁ ଅନୁରୋଧ କରୁଛି। ଯଦି ସରକାର ଏହା ପ୍ରତି ଚିରାଚରିତ ଢଙ୍ଗରେ ଉଦାସୀନତା ପ୍ରତିପୋଷଣ କରନ୍ତି ତେବେ ଆମ୍ ଆଦମୀ ପାର୍ଟି ଚାଷୀ ଭାଇଙ୍କ ସ୍ବାର୍ଥ ନିମନ୍ତେ ରାଜରାସ୍ତାରେ ଲଢେଇ ଜାରି ରଖିବ।ଆଜିର ପ୍ରେସମିଟରେ ଯାଜପୁର ଜିଲ୍ଲା ସଭାପତି ମନୋଜ ମହାନ୍ତି, କୃଷକ ନେତା ଲୋକନାଥ ପଲେଇ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଜୟସୂର୍ଯ୍ୟ କାନୁନଗୋ, ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ, ରାଜ୍ୟ ମିଡ଼ିଆ ସଂଯୋଜକ ଶ୍ରୀ ଲଲିତ ମୋହନ ଦାସାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।