୮ ମାସର ଶିଶୁ ପୁତ୍ର ପରେ ଏବେ ୩ ମାସର ଶିଶୁ କନ୍ୟା ଏଚ୍ଏମ୍‌ପିଭି ଚିହ୍ନଟ

ବେଙ୍ଗାଲୁରୁ: ଚୀନ୍‌ରେ ଶ୍ୱାସକ୍ରିୟାଜନିତ ରୋଗ ବୃଦ୍ଧି ପାଉଥିବା ବେଳେ ହ୍ୟୁମାନ ମେଟାନ୍ୟୁମୋଭାଇରସ୍ (ଏଚ୍ଏମ୍‌ପିଭି) ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି। ଏବେ ବେଙ୍ଗାଲୁରୁରେ ୨ ଜଣ ଶିଶୁଙ୍କ ଶରୀରରେ ଏହି ଭାଇରସ୍‌ ଚିହ୍ନଟ ହୋଇଛି। ତେବେ ଯେଉଁ ୨ ଶିଶୁ ଭାଇରସ୍‌ର ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କର କୌଣସି ଅନ୍ତର୍ଜାତୀୟ ଯାତ୍ରା ଇତିହାସ ନାହିଁ। ହସ୍ପିଟାଲ୍‌ରେ ଜଣେ ଆଠ ମାସର ଶିଶୁ ପୁତ୍ର ଓ ଜଣେ ୩ ମାସର ଶିଶୁ କନ୍ୟାଙ୍କ ଶରୀରରେ ଏଚ୍ଏମ୍‌ପିଭି ଭାଇରସ୍‌ ଚିହ୍ନଟ ‌ହୋଇଛି। ଏନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଏଚ୍ଏମ୍‌ପିଭି ଭାରତ ସମେତ ପୂରା ବିଶ୍ବରେ ବ୍ୟାପୀ ଚାଲିଛି। ଏହି ଭାଇରସ୍‌ ସାଧାରଣତଃ ୧ ବର୍ଷରୁ ୧୧ ବର୍ଷର ଶିଶୁଙ୍କ ଶରୀରରେ ଦେଖା ଯାଉଥିବା ବେଳେ ଆଠ ମାସ ଓ ତିନି ମାସର ଶିଶୁ ଏହା ଦ୍ବାରା ଆକ୍ରାନ୍ତ ହେବା ଏକ ବିରଳ କଥା।ସହରର ଉତ୍ତର ଭାଗରେ ଥିବା ଲୋକପ୍ରିୟ ବାପ୍ଟିଷ୍ଟ ହସ୍ପିଟାଲରେ ଏହି ମାମଲା ଚିହ୍ନଟ କରାଯାଇଛି। ଏହି ଭାଇରସ୍‌ ପାଇଁ ଚୀନ୍‌ରେ ଅତି ଉଦ୍‌ବେଗଜନକ ସ୍ଥିତି ଉପୁଜିଥିବା ଖବର ପ୍ରକାଶ ପାଇବା ପରେ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ତେବେ ରହସ୍ୟମୟ ଭୂତାଣୁ ସହ ସଂଘର୍ଷ ନେଇ ଚୀନ୍‌ ନିଜର ପ୍ରସ୍ତୁତି ଓ ମୁକାବିଲା ସଂକ୍ରାନ୍ତ ତଥ୍ୟ ସାର୍ବଜନୀନ କରୁନାହିଁ। ସମ୍ଭାବ୍ୟ ଜରୁରିକାଳୀନ ପରିସ୍ଥିତି ବିଷୟରେ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଆନୁଷ୍ଠାନିକ ବିବୃତି ନାହିଁ। ହ୍ୟୁମାନ ମେଟାନ୍ୟୁମୋଭାଇରସ୍ ପାଇଁ ଚୀନ୍‌ରେ ଏଭଳି ସ୍ଥିତି ଉପୁଜିଛି ବୋଲି କୁହାଯାଉଥିବା ବେଳେ ଏଥି ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା କିମ୍ବା ଟିକା ଉପଲବ୍ଧ ନ ଥିବାରୁ, ଭୂତାଣୁ ବିଷୟରେ ସଚେତନତା, ସତର୍କତା ଓ ପ୍ରତିରୋଧ ଜରୁରୀ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *