୨୬ରେ ସରିବ ମହାକୁମ୍ଭ: ଶିବରାତ୍ରୀ ଥିବାରୁ ଶେଷ ସପ୍ତାହରେ ସାଙ୍ଘାତିକ ଭିଡ଼

ପ୍ରୟାଗରାଜ: ସରି ଆସୁଛି ସମୟ, ବଢିବାରେ ଲାଗିଛି ଭିଡ । ମହାକୁମ୍ଭ ସରିସରି ଆସୁଥିବା ବେଳେ ପ୍ରୟାଗରାଜରେ ଦିନକୁ ଦିନ ଭିଡ ଅସମ୍ଭାଳ ହେଉଛି । ଆଗରୁ ଶିବରାତ୍ରୀ ଥିବାରୁ ଭିଡ ଆହୁରି ସାଙ୍ଘାତିକ ହେବା ନେଇ ଆଶଙ୍କା କରାଯାଉଛି । କାରଣ ମହାକୁମ୍ଭ ସରିବାକୁ ଆଉ ହାତରେ ମାତ୍ର ୫ ଦିନ ରହିଛି । ଫେବୃୟାରୀ ୨୬ ତାରିଖରେ ଶେଷ ହେବ ପବିତ୍ର ମହାକୁମ୍ଭ । ତେଣୁ ଶେଷ ସପ୍ତାହରେ ସଙ୍ଗମରେ ବୁଡ ସହ ପବିତ୍ର ସ୍ନାନ ପାଇଁ ଭିଡ ଲଗାଉଛନ୍ତି ଲକ୍ଷ ଲକ୍ଷ ଭକ୍ତ ।ଆଜି ମହାକୁମ୍ଭର ୪୦ ଦିନ । ଜାନୁୟାରୀ ୧୩ରୁ ଆରମ୍ଭ ହୋଇଥିବା ଏହି କୁମ୍ଭମେଳା ଫେବୃୟାରୀ ୨୬ ତାରିଖରେ ଶେଷ ହେବ ଆଉ ୟାରି ଭିତରେ ପ୍ରାୟ ୫୮ କୋଟି ଶ୍ରଦ୍ଧାଳୁ ପବିତ୍ର ସଙ୍ଗମରେ ବୁଡ ପକାଇଲେଣି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ କୁମ୍ଭମେଳା ସରିବାକୁ ଏହା ଶେଷ ସପ୍ତାହ ହୋଇଥିବାରୁ କୁମ୍ଭମେଳା ସରିବା ବେଳକୁ ଅର୍ଥାତ ଫେବୃୟାରୀ ୨୬ ତାରିଖ ସୁଦ୍ଧା ବୁଡ ପକାଇଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୬୫ କୋଟି ପାର୍ କରିଯିବ ବୋଲି ଅନୁମାନ କରାଯାଉଛି ।ସେପଟେ ଶେଷ ସପ୍ତାହରେ ରାସ୍ତାରେ ଭିଡ ଭୟଙ୍କର ଦେଖିବାକୁ ମିଳିଛି । ପ୍ରୟାଗରାଜରେ ଲକ୍ଷାଧିକ ଶ୍ରଦ୍ଧାଳୁ ପହଞ୍ଚୁଥିବାରୁ ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ଆଜିଠୁ ୨୬ ତାରିଖ ଯାଏଁ ପୂରା ପ୍ରୟାଗରାଜକୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖାଯିବ ସହ କୌଣସି ପ୍ରକାର ଅଘଟ ଯେପରି ନଘଟେ ସେନେଇ ଧ୍ୟାନ ଦିଆଯାଇଛି ।ଜିଲ୍ଲାବାହାରୁ ଆସୁଥିବା ଗାଡିକୁ ସୀମିତ ରଖାଯାଇଛି । ଭିଡକୁ ନିୟନ୍ତ୍ରଣ ପାଇଁ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ସେପଟେ ଦଳାଚକଟା ଯେପରି ନଘଟେ ସେନେଇ ଘାଟ ଉପରେ କଡ଼ା ନଜର ରଖାଯାଇଛି । ଶିବରାତ୍ରୀ ଥିବାରୁ ଟ୍ରାଫିକ ବ୍ୟବସ୍ଥା ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛି । ତେଣୁ ଗାଡି ଗୁଡିକୁ ଡାଇଭର୍ଟ କରାଯିବା ଏବେ ୟୁପି ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି ।

Leave a Reply

Your email address will not be published. Required fields are marked *