ମା’ ତାରିଣୀଙ୍କୁ ସୁନା ମୁକୁଟ ଦାନ: ଓଜନ ୪୪୫ ଗ୍ରାମ, ମୂଲ୍ୟ ୫୦ ଲକ୍ଷ

ଘଟଗାଁ: ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ବାସୁକିନାଥ ଗ୍ରୁପ୍‌ର ମାଲିକ ବଜରଙ୍ଗ ଅଗ୍ରୱାଲ ମା’ ତାରିଣୀଙ୍କୁ ସୁନା ମୁକୁଟ ଦାନ କରିଛନ୍ତି। ୪୪୫ ଗ୍ରାମ୍‌ ୪୭୦ ମିଲିଗ୍ରାମ ଓଜନ ବିଶିଷ୍ଟ ଏହି ସୁନା ମୁକୁଟର ମୂଲ୍ୟ ୫୦ ଲକ୍ଷ ଟଙ୍କା। କଟକର କାରିଗରମାନେ ଏହାକୁ ୨୫ ଦିନରେ ପ୍ରସ୍ତୁତ କରିଛନ୍ତି। ଶ୍ରୀ ଅଗ୍ରୱାଲ ମା’ ତାରିଣୀଙ୍କ ନିକଟରେ ମାନସିକ କରିଥିଲେ। ମାନସିକ ପୂରଣ ‌ହେବାରୁ ଆଜି ଚୈତ୍ର ମଙ୍ଗଳବାରରେ ପରିବାର ସହ ମା’ଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ।ମା’ଙ୍କୁ ସୁନା ମୁକୁଟ, ଆଖି, ଆଖିପତା, ନାକଗୁଣା, ମଥାବିନ୍ଦି, ଅଙ୍ଗବସ୍ତ୍ର ପ୍ରଦାନ କରିଥିବାବେଳେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର ଓ ଭରତ କିଶୋର ପଲେଇ ଉପସ୍ଥିତ ରହି ଏହାକୁ ଗ୍ରହଣ କରିଥିଲେ। ମନ୍ଦିରର ସମସ୍ତ ପୂଜକଙ୍କୁ ବସ୍ତ୍ର ଏବଂ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରିଥିଲେ। ପୂର୍ବରୁ ମା’ଙ୍କୁ ଲାଗି କରାଯାଉଥିବା ସୁନା ମୁକୁଟଠାରୁ ଏହା ଦୁଇଇଞ୍ଚ ବଡ଼। ଦାନ ସ୍ବରୂପ ମିଳିଥିବା ସୁନା ମୁକୁଟ ଓ ଅନ୍ୟାନ୍ୟ ଅଳଙ୍କାରକୁ ଚଇତି ପର୍ବର ପ୍ରଥମ ଦିନରେ ମା’ଙ୍କୁ ଲାଗି କରାଯିବ ବୋଲି ମା’ ତାରିଣୀ ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *