ନବମ ଥର ପାଇଁ ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ନବୀନ ପଟ୍ଟନାୟକ ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତିଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏନେଇ ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଘୋଷଣା କରିଛନ୍ତି। ଆଜି ଶଙ୍ଖ ଭବନରେ ଦଳୀୟ ନେତାମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।ନବୀନ ପଟ୍ଟନାୟକ ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ପଦ ଲାଗି ଶଙ୍ଖ ଭବନରେ ନାମାଙ୍କନପତ୍ର ଦାଖଲ କରିଥିଲେ। ଆଉ କେହି ନାମାଙ୍କନ କରି ନଥିବାରୁ ନବୀନ ହିଁ ପୁଣି ନିର୍ଦ୍ବନ୍ଦ୍ବରେ ସଭାପତି ହେ‌ବା ଏକପ୍ରକାର ନିଶ୍ଚିତ ହୋଇଥିଲା। ୧୭ ତାରିଖରେ ଶଙ୍ଖ ଭବନରେ ବିଜେଡି ରାଜ୍ୟ ସଭାପତି ପଦବି ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଧାର୍ଯ୍ୟ ହୋଇଥିଲା। ପୂର୍ବାହ୍ଣ ୧୧ଟା ବେଳେ ନବୀନ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ପୂରଣ କରିବା ପରେ ଦଳର ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କୁ ପ୍ରଦାନ କରିଥିଲେ ।

ଅପରାହ୍ଣ ୧ଟା ପର୍ଯ୍ୟନ୍ତ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଅବଧି ଥିବାବେଳେ ଆଉ କେହି ନାମାଙ୍କନ ପତ୍ର ଦାଖଲ କରିନଥିଲେ। ତେଣୁ ନବୀନଙ୍କର କେହି ପ୍ରତିଦ୍ବନ୍ଦ୍ବୀ ନାହାନ୍ତି। ୧୮ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯାଇଥିଲା। ୧୯ତାରିଖରେ ନବୀନ ପଟ୍ଟନାୟକ ବିଜେଡିର ସଭାପତି ହେଲେ ବୋଲି ବିଧିବଦ୍ଧ ଭାବେ ଘୋଷଣା କରାଗଲା। ଏହାପରେ ବାକି ଥିବା ୧୫ଟି ସାଙ୍ଗଠନିକ ଜିଲ୍ଲା ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ କମିଟି, ବ୍ଲକ ଓ ନଗର ସଭାପତି, ବିଭିନ୍ନ ଛାମୁଆ ସଂଗଠନର ସଭାପତି, ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା ହେବ ।

Leave a Reply

Your email address will not be published. Required fields are marked *