ଭଞ୍ଜନଗର : ଚୋରୀ ଟ୍ରକ ଉଦ୍ଧାର: ଡ୍ରାଇଭର,ହେଲ ପରଙ୍କ ପତା ମିଳୁନି, ବଢୁଛି ସନ୍ଦେହ।

ଭଞ୍ଜନଗର( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ରାତିରେ ଚୋରି ହୋଇଯାଇଥିବା ଏକ ଟ୍ରକକୁ ଉଦ୍ଧାର କରିଛି। କିନ୍ତୁ ଗାଡ଼ିର ଡ୍ରାଇଭର ଏବଂ ହେଲପରଙ୍କ ପତ୍ତା ମିଳୁନାହିଁ। ତେଣୁ ସେମାନଙ୍କ ଭୂମିକାକୁ ନେଇ ପୋଲିସର ସନ୍ଦେହ ହୋଇଛି। ଉଭୟଙ୍କ ଫୋନ ସୁଇଚ୍‌ ଅଫ୍‌ ଥିବା ଜଣାପଡିଛି।ଘଟଣାରୁ ପ୍ରକାଶ ଯେ ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜଣେ ଡ୍ରାଇଭର ଓ ଜଣେ ହେଲପର୍‌ ଭୁବନେଶ୍ୱର ବାଳକାଟିର ଅନଙ୍ଗ ମୋହନ ଦାସଙ୍କ ଟ୍ରକରେ ୩ ମାସ ହେବ କାମ କରୁଥିଲେ। ଗତ ମଙ୍ଗଳବାର ଡ୍ରାଇଭର ଓ ହେଲପର୍‌ ଗାଡ଼ି ଧରି ବିନିକା ତସୁ ଆଣିବା ପାଇଁ ଯାଇଥିଲେ। ସେଠାରେ ଚାଉଳରୁ ବାହାରୁଥିବା ତସୁ ଧରି କଟକ ଜଗତପୁର ଅଭିମୁଖେ ବାହାରିଥିଲେ। ଏହାପରେ ଗାଡ଼ିର ଚାଳକ ଏବଂ ହେଲପରଙ୍କ ଫୋନ ଲାଗି ନ ଥିଲା। ଏଥିସହ ଗାଡିରେ ଲାଗିଥିବା ଜିପିଏସ ମଧ୍ୟ ଭାଙ୍ଗି ଦିଆଯାଇଥିବା ଯୋଗୁ ତାହା ମଧ୍ୟ ଲାଗି ନ ଥିଲା । ତେଣୁ ଗାଡି ମାଲିକ ବିନିକା ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଏଥିସହ ଗାଡି ମାଲିକ ନିଜେ ଗାଡ଼ିକୁ ଖୋଜୁଥିଲେ। କିନ୍ତୁ ଗାଡ଼ିର ସୂଚନା ପାଉ ନ ଥିଲେ। ଏହିଭଳି ପରିସ୍ଥିତିରେ ରବିବାର ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ସାନକୋଦଣ୍ଡାର ଏକ ଆମ୍ବ ତୋଟାରେ ଏକ ଗାଡି ପରିତ୍ୟକ୍ତ ଅବସ୍ଥାରେ ଥିବା ଜାଣିବାକୁ ପାଇଥିଲେ। ଏହାପରେ ଗାଡ଼ିର ଇଞ୍ଜିନ ନମ୍ବରରୁ ଗାଡି ମାଲିକଙ୍କ ଠିକଣା ବାହାର କରି ଆଇଆଇସି ଗାଡ଼ିମାଲିକଙ୍କୁ ସୂଚନା ଦେଇଥିଲେ। ଏହାପରେ ଅନଙ୍ଗ ଭଞ୍ଜନଗର ଥାନାରେ ପହଞ୍ଚି ଗାଡ଼ିକୁ ଚିହ୍ନଟ କରିଥିଲେ। ଏହି ସମୟରେ ଗାଡିର ବ୍ୟାଟେରୀ, ତେଲ, ଲକ୍ଷାଧିକ ଟଙ୍କାର ତସୁ ନ ଥିବା ଜାଣିବାକୁ ପାଇଥିଲେ। ଗାଡ଼ିର ହେଲପର, ଡ୍ରାଇଭରଙ୍କୁ ଖୋଜା ଯାଉଥିବା ବେଳେ ସେମାନେ ଧରାପଡ଼ିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।

Leave a Reply

Your email address will not be published. Required fields are marked *