ଭଞ୍ଜନଗର : କେନ୍ଦ୍ର ଗ୍ରାମ୍ୟ ଉର୍ଣ୍ଣୟନ ମନ୍ତ୍ରୀଙ୍କୁ ଚିଠି

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା ନୂଆଗଡ ଭାୟା ବିରିପୁର ଡେଙ୍ଗାପଦର ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ହେଉଛି। ତେବେ ହେଉଥିବା ଏହି ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ କରି ଏନେଇ ଗୋବରା ସମିତିସଭ୍ୟ ବିଭୂପାଦ ଜେନା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ନଚେତ୍‌ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।ସୂଚନାଯୋଗ୍ୟ, ଉକ୍ତ ରାସ୍ତା କାମ ୨୦୨୨ ଜୁନ ମାସରେ ଆରମ୍ଭ ହୋଇଥିବା ବୋର୍ଡରେ ଦର୍ଶାଯାଇଛି। କାମ ସରିବାର ୫ ବର୍ଷ ପର୍ଯ୍ୟନ୍ତ ତାହାର ମରାମତି ଦାୟିତ୍ୱ ଠିକାଦାର କରିବେ। ମାତ୍ର କାମ ନିମ୍ନମାନର ହୋଇଥିବାରୁ ଏହି ରାସ୍ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହା ପୂର୍ବରୁ ଏହି ବିଭାଗ ଅଧୀନରେ ହେଉଥିବା ନୂଆଗଡ ଜାଲଖାଇ ରାସ୍ତାର ବଡନଦୀ ସେତୁ କାମ ସମୟରେ ବିସ୍ଫୋରଣ ଘଟି ଜଣେ ଶ୍ରମିକଙ୍କ ଗତ ୧୫ ତାରିଖରେ ମୃତ୍ୟୁ ଘଟିଥିଲା। ପଥର ଖୋଲିବା ପାଇଁ ବେନିୟମ ଭାବେ ଡିନାମାଇଟ ବ୍ୟବହାର କରାଯାଇଥିବାରୁ ଏପରି ଦୁର୍ଘଟଣା ଘଟିଲା। ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ଅଧୀକ୍ଷଣଯନ୍ତ୍ରୀଙ୍କ ମତାମତ ନେବାକୁ ତାଙ୍କ ସରକାରୀ ମୋବାଇଲ ଫୋନ ନମ୍ବର୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ସୁଇଚଅଫ ଥିବାରୁ ମତାମତ ନେବା ସମ୍ଭବ ହୋଇ ନ ଥିଲା ।

Leave a Reply

Your email address will not be published. Required fields are marked *