ମାଟ୍ରିକ୍ ପରୀକ୍ଷା ଫଳ-୨୦୨୫: ଚମକିଲେ ଝିଅ, ପଛରେ ପଡ଼ିଲେ ପୁଅ

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା-୨୦୨୫ର ଫଳ ଶୁକ୍ରବାର ପ୍ରକାଶିତ ହୋଇଛି। ବହୁ ପ୍ରତୀକ୍ଷିତ ଏହି ପରୀକ୍ଷାରେ ପୁଅମାନଙ୍କ ତୁଳନାରେ ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ଜାରି କରି ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି, ମାଟ୍ରିକ୍ ପରୀକ୍ଷା-୨୦୨୫ ପାଇଁ ୫,୧୦,୭୮୯ ଜଣ ଛାତ୍ରଛାତ୍ରୀ ଫର୍ମଫିଲପ୍ କରଥିଲେ। ଏଥିରୁ ୫,୦୨,୪୧୭ ଜଣ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୪,୮୪,୮୬୩ ଜଣ ପାସ୍ କରିଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ଚଳିତ ବର୍ଷ ମାଟ୍ରିକ୍‌ରେ ପାସ ପ୍ରତିଶତ ହେଲା ୯୪. ୯୩ ରହିଛି। ଚଳିତ ବର୍ଷ ୨,୪୦,୨୫୧ (୯୪%) ଜଣ ପୁଅ ପାସ୍ କରିଥିବା ବେଳେ ୨,୪୪,୬୧୨ (୯୬%) ଜଣ ଝିଅ ପାସ୍ କରିଛନ୍ତି। ମୋଟ ୧୭,୩୮୪ ଜଣ ପିଲା ଫେଲ୍ ହୋଇଛନ୍ତି। ଏ-୧ ଗ୍ରେଡ୍‌ରେ ୧୮୧୨, ଏ-୨ ଗ୍ରେଡ୍‌ରେ ୧୨,୨୦୦, ବି-୧ ଗ୍ରେଡ୍‌ରେ ୩୮,୮୩୧, ବି-୨ ଗ୍ରେଡରେ ୮୪,୯୭୧, ସି-ଗ୍ରେଡ୍‌ରେ ୧,୩୩,୮୮୨, ଡି ଗ୍ରେଡ୍‌ରେ ୧,୪୬,୧୫୪ ଓ ଇ ଗ୍ରେଡ୍‌ରେ ୬୭,୦୧୩ ଜଣ ପିଲା ପାସ୍ କରିଛନ୍ତି। ସବୁ ସ୍କୁଲରେ ପିଲାମାନେ ପାସ କରିଛନ୍ତି। ୩୨୭୩ ସ୍କୁଲରେ ଫଳାଫଳ ୧୦୦ ପ୍ରତିଶତ ରହିଛି। ଗଜପତି ଜିଲ୍ଲାରେ ପାସ ହାର ସର୍ବାଧିକ ୯୯.୩୫ ପ୍ରତିଶତ ଥିବା ବେଳେ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ୯୨.୮୩ ପ୍ରତିଶତ ରହିଛି। ସେହିପରି ମଧ୍ୟମାରେ ୩୩୪୩ ଫର୍ମଫିଲପ କରିଥିବା ବେଳେ ୨୯୧୭ ପରୀକ୍ଷା ଦେଇଥିଲେ। ଏଥିରୁ ୨୮୬୮ ଜଣ ପାସ କରିଛନ୍ତି, ଯାହା ୮୫.୭୯ ପ୍ରତିଶତ। ଓପନ ସ୍କୁଲିଂ ପାଇଁ ୫୬୦୬ ଜଣ ଫର୍ମ ଫିଲପ୍ କରିଥିଲେ। ସେଥିରୁ ୫୫୯୧ ଜଣ ପରୀକ୍ଷା ଦେଇଥିଲେ। କିନ୍ତୁ ୪୧୮୧ ଜଣ ପାସ କରିଛନ୍ତି, ଯାହାକି ୭୬.୭୮ ପ୍ରତିଶତ ବୋଲି ମନ୍ତ୍ରୀ କହିଛନ୍ତି। ବହୁ ପ୍ରୀତିକ୍ଷିତ ମାଟ୍ରିକ୍ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ମରେ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି। ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ ଏହି ରେଜଲ୍ଟ ସନ୍ଧ୍ୟା ୬ଟା ପରେ ୱେବ୍‌ସାଇଟ୍‌ http://bseodisha.ac.inରେ ଦେଖିପାରିବେ। ସୂଚନାଯୋଗ୍ୟ, ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସ୍ ପ୍ରତିଶତ କମ ରହିଛି। ଗତବର୍ଷ ପାସ୍‌ହାରି ୯୬.୨୭ ପ୍ରତିଶତ ଥିଲା ।

ମାଟ୍ରିକ ପରୀକ୍ଷା-୨୦୨୫ ଗତ ଫେବ୍ରୁଆରି ୨୧ ତାରଖ ଠାରୁ ଆରମ୍ଭ ହୋଇଥିଲା। ପ୍ରାୟ ୫ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷା ମାର୍ଚ୍ଚ ୬ ତାରିଖରେ ‌ଶେଷ ହୋଇଥିଲା। ସେହିପରି ମଧ୍ୟମା, ଓପନ୍ ସ୍କୁଲ ପରୀକ୍ଷା ଖାତା ମୂଲ୍ୟାୟନ ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇଥିଲା। ରାଜ୍ୟରେ ୫୧ଟି କେନ୍ଦ୍ରରେ ମୂଲ୍ୟାୟନ ଚାଲିଥିଲା ବେଳେ ‌ଏଥିରେ ପାଖାପାଖି ୧୨ହଜାର ଶିକ୍ଷକ ନିୟୋଜିତ ହୋଇଥିଲେ। ସେହିପରି ମାଟ୍ରିକ୍‌ର ସଂକ୍ଷିପ୍ତ ଉତ୍ତରମୂଳକର ଓଏମ୍‌ଆର୍ ଉତ୍ତରଫର୍ଦ୍ଦ ରାଜ୍ୟ ବାହା‌ରେ ମୂଲ୍ୟାୟନ ହୋଇଥିଲା ।

Leave a Reply

Your email address will not be published. Required fields are marked *