କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ: ୟୁଜିସିର କମିଟି ଗଠନ, ସରକାରଙ୍କୁ ଏନ୍‌ଏଚ୍‌ଆରସି ନୋଟିସ୍‌

ଭୁବନେଶ୍ବର: କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲାକୁ ଜାତୀୟ ମାନବାଧିକାର କମିସନ୍ (ଏନ୍‌ଏଚ୍‌ଆରସି) ଗମ୍ଭୀରତାର ସହିତ ନେଇଛନ୍ତି। ଏନ୍‌ଏଚ୍‌ଆରସି ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ୍‌ ଜାରି କରିଛନ୍ତି। ତୁରନ୍ତ ତଦନ୍ତ ସାରି ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୯ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଗଣମାଧ୍ୟମକୁ କମିସନ୍ ସଦସ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି ଘଟଣାର ନିଶ୍ଚୟ ତଦନ୍ତ ହେବ। ଏଥିସହ ଛାତ୍ରଛାତ୍ରୀଙ୍କ ନିରାପତ୍ତା ପାଇଁ କିଟରେ ଥିବା ବ୍ୟବସ୍ଥା ଯେ ଠିକ୍ ଭାବେ କାମ କରୁ ନଥିଲା ତାହା ପୂର୍ବ ତଦନ୍ତରୁ ଜଣାପଡ଼ିଥିଲା। ସେ କହିଛନ୍ତି ଯେ, ଅଢ଼େଇ ମାସ ଅନ୍ତରରେ କିଟ୍ କ୍ୟାମ୍ପସରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଛାତ୍ରୀଙ୍କ ପାଇଁ କିଟ୍ କ୍ୟାମ୍ପସ କାହିଁକି ଅସୁରକ୍ଷିତ ହେଉଛି? ପୂର୍ବ ଭୁଲରୁ କିଟ୍ କର୍ତ୍ତୃପକ୍ଷ ଶିଖିପାରିଲେନି କାହିଁକି? ସେହିପରି ଏହି ମାମଲା ନେଇ ୟୁନିଭରସିଟି ଗ୍ରାଣ୍ଟ କମିସନ୍‌ (ୟୁଜିସି) ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛି। ‘ଇଗ୍ନୋ’ର ପୂର୍ବତନ ଭିସି ନାଗେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି ।

କମିଟିରେ ୩ ଜଣ ସଦସ୍ୟ ଅଛନ୍ତି। ନେପାଳର ବୀରଗୁଂଜର ବାସିନ୍ଦା ଛାତ୍ରୀ ପ୍ରୀଶା ଶାହ କିଟ୍‌ରେ ଇଂଜିନିୟରିଂ ପଢୁଥିଲେ। ସେ କମ୍ପ୍ୟୁଟର ସାଇନ୍ସ ବିଷୟରେ ପ୍ରଥମ ବର୍ଷର ଛାତ୍ରୀ ଥିଲେ ଏବଂ ଛାତ୍ରାବାସରେ ରହୁଥିଲେ। କ୍ୟାମ୍ପସ୍‌ରେ ଛାତ୍ରୀ ଜଣକ ଜୀବନ ହାରିଛନ୍ତି। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ଏଯାଏଁ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ଇନ୍‌ଫୋସିଟି ଥାନା ପୁଲିସ ତଦନ୍ତ ଜାରି ରଖିଛି। ପୁଲିସ କମିସନର, ଡିସିପି ଓ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପ୍ରୀଶାଙ୍କ ବାପା-ମା’ ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଗଣମାଧ୍ୟମକୁ ସେମାନେ କହିଛନ୍ତି, ଘଟଣା ଦିନ ଆମେ ଝିଅ ସହ କଥା ହୋଇଥିଲୁ। ଆମ ଝିଅର ସେମିତି କୌଣସି ସମସ୍ୟା ନଥିବ ବୋଲି ସେମାନେ କହିଛନ୍ତି। ମୃତଦେହ ଏବେ ଏମ୍‌ସରେ ଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ।

Leave a Reply

Your email address will not be published. Required fields are marked *