
ବେଲଗୁଣ୍ଠା ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ଖଣ୍ଡା ଦେଖାଇ ଦାଦାବଟି ମାଗିବା ଅଭିଯୋଗରେ, ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗାଙ୍ଗପୁର ଥାନା ଅନ୍ତର୍ଗତ ବୋରି – ବିଞ୍ଜଗିରି ରାସ୍ତା ନିର୍ମାଣ ଚାଲିଥିବା ବେଳେ, ରାସ୍ତା କାର୍ଯ୍ୟ ବୁଝାସୁଝା କରୁଥିବା ସଂପୃକ୍ତ ବ୍ୟକ୍ତି ଶୁଶାନ୍ତ କୁମାର ସାହୁ, ଏନେଇ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଠାରୁ ନଗଦ ୫ ହଜାର ଟଙ୍କା ଝାମ୍ପି ନେଇଥିଲେ, ବାଇକ୍ ରେ ଆସିଥିବା ଦୁଇ ଜଣ ଦୁର୍ବୃତ୍ତ । ସେମାନେ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ବାରଟା ଗ୍ରାମର କାହ୍ନା ସ୍ବାଇଁ ଓରଫ୍ ଆତଙ୍କ ଏବଂ ପାଲକଷଣ୍ଢା ଗ୍ରାମର ରାଜା ଜେନା । ଅଭିଯୋଗ ଆଧାରରେ ଗାଙ୍ଗପୁର ଥାନା ପୋଲିସ ୩୦୭/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ତଦନ୍ତକାରୀ ଅଧିକାରୀ ତଥା ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ । ଏହି ଘଟଣାରେ ଅଭିଯୁକ୍ତ କାହ୍ନାକୁ ଗିରଫ କରିବା ସହ ତାଠାରୁ ନଗଦ ୪୨୦୦ ଟଙ୍କା ଏବଂ ଗୋଟିଏ ଖଣ୍ଡା ଜବତ କରାଯାଇଥିବା ନେଇ, ଥାନାଧିକାରୀଣୀ ଶ୍ରୀମତୀ ପୂଜାରୀ ସୂଚନା ଦେଇଛନ୍ତି ।