
ବୁଗୁଡ଼ା (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଗତ ଏପ୍ରିଲ ୨୫ ତାରିଖରୁ ଶୁଭାରମ୍ଭ ହୋଇଥିବା ସପ୍ତଦଶ ଦିବସୀୟ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ୧୧ ତାରିଖ ରେ ଉଦଯାପିତ ହୋଇଯାଇଛି । ଶ୍ରଦ୍ଧାଳୁଙ୍କ ଠାରୁ ମେଲାଣି ନେଇ ମା ବ୍ଯାଘ୍ରଦେବୀ, ମା ମାଉଁଦେଈ, ମା ମାଳିଝୋଳା, ମା ବୁଢୀଠାକୁରଣୀ, ମା ନାରାୟଣୀ ଆଦି ପଞ୍ଚ ଠାକୁରାଣୀ ସ୍ବ ସ୍ବ ମନ୍ଦିରକୁ ପ୍ରତ୍ଯାବର୍ତ୍ତନ କରିଥିବା ବେଳେ ଅନ୍ତିମ ନଗର ଭ୍ରମଣି କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମା’ଙ୍କ ଭ୍ରମଣି ଶୋଭାଯାତ୍ରା କାଳରେ ବୀରଧନଞ୍ଜୟପୁରସ୍ଥ ବାଲୁଙ୍କେଶ୍ଵର ଘଣ୍ଟତାଳ, ଚାଙ୍ଗୁ ବାଦ୍ୟ, ଦେବଦାସୀ ନୃତ୍ୟ, ରେକର୍ଡ ତ୍ଯାନ୍ସ୍ , କୃଷ୍ଣ-ବଳରାମ ବେଶ,କାଳୀ-ଗଣେଶ-ନୃସିଂହନାଥ-ଚଣ୍ଡି ବେଶ ପଟୁଆର ସାଙ୍ଗକୁ ଆତସବାଜିର ଶବ୍ଦରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। ହାଇସ୍କୁଲ ଛକ ଓ ମେଡିକାଲ ଛକରେ ଭଜନ କାର୍ଯ୍ୟକ୍ରମ ଏବଂ ପୁରୁଣା ବସଷ୍ଟାଣ୍ଡରେ ପ୍ରଜ୍ଞା ନୃତ୍ଯାୟନର ଶିଶୁ କଳାକାରଙ୍କ ଦ୍ଵାରା ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମକୁ ଲୋକେ ମନ ଭରି ଉପଭୋଗ କରିଥିଲେ। ବୁଦ୍ଧଖୋଲ ରୋଡସ୍ଥିତ “ଶ୍ରୀ ଜଗନ୍ନାଥ” ମେଢ ନିକଟରେ ଲୋକଙ୍କ ଭିଡ ଜମିଥିଲା। ଏଥି ସହ ଶେଷ ଦିନ ହୋଇଥିବାରୁ ମୀନାବଜାର ଏବଂ ବିଭିନ୍ନ ପ୍ରକାର ଦୋଳି ଖେଳିରେ ଅସମ୍ଭାଳ ଭିଡ ଜମିଥିଲା।ଫଳରେ ସାରା ସହର ଲୋକାରଣ୍ୟ ପାଲଟି ଯାଇଥିଲା ।
ରବିବାର ଶେଷ ଯାତ୍ରା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ପୂର୍ବାହ୍ନରେ ସ୍ଥାନୀୟ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତି ପ୍ରକାରେ ମା’ଙ୍କ ପୂଜାର୍ଚ୍ଚନା ଓ ହୋମ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏଥିରେ ପୁରୋହିତ ଭାବେ ନାରାୟଣ ଦାଶ , ବିଭୁତି ଭୂଷଣ ତ୍ରିପାଠୀ , ମନୋଜ କୁମାର ଦାଶ , ଦିଲ୍ଲୀପ କୁମାର ଦେବତା, ପିତାମ୍ବର ହୋତା ଓ ପ୍ରଦୀପ କୁମାର ମିଶ୍ର ନିୟୋଜିତ ରହିଥିଲା ବେଳେ ବୁଗୁଡା ନଗର ବିଜେପି ସଭାପତି କେଦାର ନାଥ ମହାରଣା ସସ୍ତ୍ରୀକ କର୍ତ୍ତା ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ସନ୍ଧ୍ୟାରେ ୧୦୮ ଆଳତି , ପୂର୍ଣ୍ଣାହୁତି , ସଙ୍କୁଡି ଭୋଗ ଏବଂ ପୁଷ୍ପାଞ୍ଜଳି ପରେ ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ସହ ମାନସିକଧାରୀ ମହିଳା ସଙ୍ଗିତା ପୋଲେଇ, ଲକ୍ଷ୍ମୀ ପରିଡ଼ା, ବାସନ୍ତୀ ସାହୁ, ନମିତା ସାହୁ, ବାସନ୍ତୀ ରେଡି ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ବଳଦେବ ମନ୍ଦିର , ଥାନା ରୋଡ , ହାଇସ୍କୁଲ ଛକ , ମଦନ ମୋହନ ଛକ , ପୋଲସରା ରୋଡ , ନୂଆଁ ସାହି ଆଦି ପରିକ୍ରମା ପରେ ଠାରେ ନେଳିଆ ବନ୍ଧ ତୁଠରେ ପହଞ୍ଚିଥିଲେ । ସେଠାରେ ଯଥା ବିଧି ପ୍ରକାରେ ପୂଜାର୍ଚ୍ଚନା ପରେ ପଞ୍ଚ ଠାକୁରାଣୀ ନିଜ ନିଜର ପୀଠକୁ ପ୍ରତ୍ଯାବର୍ତ୍ତନ କରିଥିଲେ । ତେବେ ଦୀର୍ଘ ୧୭ ଦିନ ଧରି ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ଚାଲିଆସିଥିବା ପଞ୍ଚ ଠାକୁରାଣୀ ଯାତ୍ରାର ପରିସମାପ୍ତି ଘଟିଥିବା ବେଳେ ଭଗବାନ ନାୟକ ଓ ବି.କ୍ରିଷ୍ଣା ପାତ୍ର ମା’ଙ୍କ ସେବା କାର୍ଯ୍ୟରେ ନିୟୋଜିତ ରହିଥିଲେ। ଏହି ଠାକୁରାଣୀ ଯାତ୍ରା ପରିଚାଳନାରେ ବୁଗୁଡା ସହରବାସୀଙ୍କ ସହଯୋଗ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ନିୟୋଜିତ ଥିବା ଦେଖିବାକୁ ମିଳିଥିଲା ।