ପୁରୀ: ଜାତୀୟ ରାଜପଥରେ ଲୁଟ୍; ୮ ଦିନ ପରେ ବି ମାମଲା କରୁନି ପୁଲିସ

ପୁରୀ (ବଳରାମ ତ୍ରିପାଠୀ, ଓଡିଶା ଟୁଡେ) : ଭୁବନେଶ୍ୱର ଜାତୀୟ ରାଜପଥରେ ଲୁଟ୍ ହୋଇଛି। ବାଟୋଇଙ୍କ ହାତରୁ ୨ ଜଣ ଲୁଟେରା ମୋବାଇଲ୍ ଝିଙ୍କି ନେଇଛତି। ଲୁଟ୍ର ଶିକାର ବ୍ୟକ୍ତି ସତ୍ୟବାଦୀ ଥାନାରେ ଏତଲା ଦେଇଛନ୍ତି। ଏତଲା କପି ପାଇଁ ସବୁଦିନ ଦୌଡ଼ୁଥିଲେ ବି ସହଯୋଗ କରୁନି ପୁଲିସ। ଘଟଣାକୁ ୮ ଦିନ ବିତିଥିଲେ ବି ପୁଲିସ ମାମଲା ରୁଜୁ କରୁନି। ଶେଷରେ ମୋବାଇଲ୍ ମିଳିଲେ ଆମେ ଫୋନ୍ କରିବୁ କହି ଏତଲାକାରୀଙ୍କୁ ଥାନାରୁ ବିଦା କରିଛନ୍ତି ପୁଲିସ ବାବୁ । ଲୁଟ୍ର ଶିକାର ବ୍ୟକ୍ତି ପିପିଲି ଥାନା ଅଧୀନ ଚଉଦମାଣ ଗ୍ରାମର ଚିନ୍ତାମଣି ପରମାଣିକ ନିରାଶ ହୋଇ ଥାନାରୁ ଫେରିଛନ୍ତି। ଖବର ଅନୁସାରେ ଗତ ୬ ତାରିଖରେ ପଟ୍ଟନାୟିକିଆ ଛକରୁ ସାକ୍ଷୀଗୋପାଳ ଆଡ଼କୁ ବାଇକ୍ ଯେଗେ ଯାଉଥିଲେ ଚିନ୍ତାମଣି। କାଦୁଆ ନିକଟରେ ଏକ କଲ୍ ଆସିଥିଲା। ରାସ୍ତା ପାର୍ଶ୍ଵରେ ବାଇକ୍ ଅଟକାଇ ସେ ମୋବାଇଲ୍ରେ କଥା ହେଉଥିଲେ। ଏତିକିବେଳେ ଏକ ବାଇକ୍ରେ ପଛପଟୁ ୨ ଜଣ ବ୍ୟକ୍ତି ଆସି ତାଙ୍କ ହାତରୁ ମୋବାଇଲ୍ ଝିଙ୍କି ନେଇ ଦ୍ରୁତଗତିରେ ପଳାଇଥିଲେ। ଉଭୟଙ୍କୁ ପିଛା କରି ବି ପାଇନଥିଲେ ଚିନ୍ତାମଣି। ଏନେଇ ସେ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ସେହିଦିନ ଥାନାରେ ଏତଲା ଦେଇଥିଲେ। ଘଟଣା ଦିନ ଡିସିଓ ଥିବା ଅଧୂକାରୀ ଥାନାରୁ ବଦଳି ହୋଇଯାଇଥିବା ବେଳେ ସେ ଏହି ଏତଲା ସମ୍ପର୍କରେ ଆଇଆଇସିଙ୍କୁ ଜଣାଇନଥିବା ସେ କହିଛନ୍ତି। ଏହାପରେ ବି ଚିନ୍ତାମଣିଙ୍କୁ ଥାନାରେ କୌଣସି ପୁଲିସ ଅଧୁକାରୀ ଓ କର୍ମଚାରୀ ସହଯୋଗ କରୁନାହାନ୍ତି। ସେ ଫାଇନାନ୍ସରେ ମୋବାଇଲ୍ କିଣିଥିଲେ । ୪ ମାସ କିସ୍ତି ଦେଇଥିବା ବେଳେ ଆଉ ୫ ମାସ ଋଣ ଶୁଝିବାକୁ ଥିବା କହିଛନ୍ତି। ଏନେଇ ଆଇଆଇସି ବିଜୟ କେତନ ବେହେରା କହିଛନ୍ତି, ଥାନାରେ ସହଯୋଗ ନ ମିଳିଲେ ମୋ ନଜରକୁ ଆଣିବା କଥା। ଏତଲାକାରୀ ତାଙ୍କୁ ଭେଟିଲେ ସେ ନିଶ୍ଚିତ ନ୍ୟାୟ ଦେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *