
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): କନ୍ଧମାଳ ରୁ ଭଞ୍ଜନଗର ଭାୟା ଭୁବନେଶ୍ୱର ଦେଇ ବସ୍ ଯୋଗେ କୋଲକାତାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଗୁରୁବାର ଭଞ୍ଜନଗର ପୁଲିସ ନିଧିଆପଲ୍ଲୀ ଛକରୁ ୨୬.୫୬୦ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଭଞ୍ଜନଗର ପୁଲିସ ଏକ ଘରୋଇ ବସ୍ ର କଣ୍ଡକ୍ଟର ଙ୍କ ସମେତ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ପଶ୍ଚିମବଙ୍ଗର ଉତରପଦା ଥାନା ଇଲାକାର ରାଜୁ ଶଙ୍କର,ଉତ୍ତମ କୁମାର ସିଂ,ସମିର କୁମାର ଦୁବେ ଓ ମା ଲଷ୍ମୀ ବସ୍ ର କଣ୍ଡକ୍ଟର ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପଞ୍ଚୁଭୂତିର ଧର୍ମେନ୍ଦ୍ର ପଟ୍ଟନାୟକ। ଏହା ସହ ସେମାନଙ୍କ ନିକଟରୁ ୩ ହଜାର ୪୦୦ ଟଙ୍କା ଜବତ କରାଯାଇଥିବା ଥାନା ଅଧିକାରୀ ଜିବନାନନ୍ଦ ଜେନା ସୁଚନା ଦେଇଛନ୍ତି।ସୂଚନା ମୁତାବକ, ଗୁରୁବାର ସକାଳୁ ଭଞ୍ଜନଗର ଥାନା ପକ୍ଷରୁ ଏସଆଇ ଲକ୍ଷ୍ମୀଧର ମହାନ୍ତିଙ୍କ ନେତୃତ୍ବରେ ଭଞ୍ଜନଗର ଫୁଲବାଣୀ ରାସ୍ତାର ମୁଜାଗଡ ନିକଟରେ ପେଟ୍ରୋଲିଂ କରାଯାଉଥିଲା। ସେହି ସମୟରେ ନିଧିଆପଲ୍ଲୀ ଛକରେ ଥିବା ଯାତ୍ରୀନିବାସ ଠାରେ ତିନି ଜଣ ବ୍ୟକ୍ତି ସନ୍ଦିଗ୍ଧ ଅବସ୍ଥା ଥିବା ସହ ଜରି ବସ୍ତାରେ କିଛି ସାମଗ୍ରୀ ଥିବା ଦେଖି ପୁଲିସର ସନ୍ଦେହ ହୋଇଥିଲା। ପରେ ପୁଲିସ ସେମାନଙ୍କୁ ପଚରା ଉଚରା କରିବା ସହ ଜରି ଅଖା ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଜରି ଅଖାରୁ ଗଞ୍ଜେଇ ମିଳିଥିଲା। ଏହି ଗଞ୍ଜେଇ କୁ ସେମାନେ କନ୍ଧମାଳ ରୁ ଆଣି ଭଞ୍ଜନଗର ଭାୟା ଭୁବନେଶ୍ୱର ଦେଇ କୋଲକାତା ନେଉଥିବା ପଚରାଉଚରା ବେଳେ ଜଣା ପଡିଥିଲା।ଏହା ସହ ମା ଲଷ୍ମୀ ବସ୍ ର କଣ୍ଡକ୍ଟର ଏ ଦିଗରେ ସେମାନଙ୍କୁ ସହଯୋଗ କରୁଥିବା ସେମାନେ କହିଥିଲେ। ଭଞ୍ଜନଗର ଭାରପ୍ରାପ୍ତ ତହସିଲଦାର ଅବିନାଶ ମହାରଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇ ର ଓଜନ କରା ଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।