ଭଞ୍ଜନଗର : ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ଅଧିବେଶନରେ ଯୋଗ ଦେବେ ବିଭିନ୍ନ ଐତିହାସିକ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ଅଧିବେଶନ ଆସନ୍ତା ୨୯ ତାରିଖରେ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ। ତେଣୁ ଏନେଇ ଗୁରୁବାର ଘୁମୁସର ଗବେଷଣା ପ୍ରତିଷ୍ଠାନର ନିଜସ୍ବ କାର୍ଯ୍ୟାଳୟରେ ଉତ୍ସବ କିଭଳି ପାଳନ ହେବ ସେନେଇ ପରିଚାଳନା କମିଟିର ଏକ ବୈଠକ ବସିଥିଲା। ଏଥିରେ ସଭାପତି ଡ ସନ୍ତୋଷ କୁମାର ଆପଟ, ସମ୍ପାଦକ ତପନ କୁମାର ମିଶ୍ର, କୋଷାଧ୍ୟକ୍ଷ ଡ ଦାମୋଦର ଷଡ଼ଙ୍ଗୀ, ଡ ଶିରିଶ କୁମାର ଷଡ଼ଙ୍ଗୀ, ଅଜୟ ବିଶ୍ବାଳ, ମାଧବ ଦଳେଇ, ନେତାଜୀ ବିଷୋୟୀ, ସନ୍ତୋଷ ଜେନା, ବାବୁଲା ପ୍ରଧାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ବାର୍ଷିକ ଅଧିବେଶନକୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବେ। ଏଥିସହ ଦକ୍ଷିଣ ଓଡ଼ିଶାର ସାମାଜିକ, ରାଜନୈତିକ ଏବଂ ସାଂସ୍କୃତିକ ଇତିହାସ ଶୀର୍ଷକ ପୁସ୍ତକ ଉନ୍ମୋଚିତ ହେବ। ସମ୍ମିଳନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ଗବେଷକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଦିନ ତମାମ ଦୁଇଟି ଅଧିବେଶନ ଅନୁଷ୍ଠିତ ହେବ।ଏଥିରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସମେତ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱରର ଅବସରପ୍ରାପ୍ତ ନିର୍ଦ୍ଦେଶକ ଡ. ଶାନ୍ତନୁ କୁମାର ରଥ, ତାମିଲନାଡୁ କେନ୍ଦ୍ରୀୟ ବିଶବିଦ୍ୟାଳୟ ତିରୁଭାରୁର ଅବସରପ୍ରାପ୍ତ ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଡ ଭଗବାନ ସାହୁ, ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଡ. ବିଜୟ କୁମାର ସାହୁ, ଓଡ଼ିଶା ଇତିହାସ କଂଗ୍ରେସର ଉପସଭାପତି ଡ. ସୁଶାନ୍ତ ଦାସ, ଦକ୍ଷିଣ ଓଡ଼ିଶା ଇତିହାସ ସମାଜର ସମ୍ପାଦକ ଡ. ଶିବ ପ୍ରସାଦ ଦାସ, ଚାନ୍ଦିପୁଟ ଆଇଏମ୍‌ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, କେଶପୂର ସ୍ନାତକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ ବିନୋଦ ବିହାରୀ ପଟ୍ଟନାୟକ, କରଞ୍ଜିଆ ସ୍ବୟଂଶାସିତ ମହାବିଦ୍ୟାଳୟ ଇତିହାସ ବିଭାଗ ଅଧ୍ୟାପକ ଡ. ରବୀନ୍ଦ୍ର କୁମାର ଦାସ, ଧରାକୋଟ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ସୁଜିତ କୁମାର ପଣ୍ଡା ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆବାହକ ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ. ଶ୍ୟାମାପ୍ରସାଦ ମିଶ୍ର ଏଠାରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *