କଳାହାଣ୍ଡି : ଜେଲ୍ ଗଲେ ଆଇଏଏସ୍ ଧୀମାନ୍ ଚକମା

(କଳାହାଣ୍ଡି ଜିଲ୍ଲା ପ୍ରତିନିଧି ପର୍ଶୁରାମ ସିନ୍ଦୂର ଙ୍କ ରିପୋର୍ଟ, ଓଡ଼ିଶା ଟୁଡେ): ୨୦୨୧ ବ୍ୟାଚ୍‌ର ଆଇଏଏସ୍ ଅଫିସର,ଚାକିରି ଜୀବନକୁ ମାତ୍ର ଚାରି ବର୍ଷ । ଉପଜିଲ୍ଲାପାଳ ଭଳି ଗୁରୁତ୍ବପୂର୍ଣ ପଦବିର ଅପବ୍ୟବହାର କଲେ । ଦୁର୍ନୀତିରେ ପାଦ ବୁଡ଼ାଇଲେ। ଆଉ ଲାଞ୍ଚ ନେଇ ଧରାପଡ଼ିଲେ । ଚାକିରି ଜୀବନ ଆରମ୍ଭରୁ ମୁଣ୍ଡାଇଲେ ଅପବାଦ। ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିବା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକ୍‌ମା ସୋମବାର ଜେଲ ଯାଇଛନ୍ତି ।କାର୍ଯ୍ୟାନୁଷ୍ଠାନ ଧମକ ଦେଇ ଜୟପାଟଣା ଅଞ୍ଚଳର ଜଣେ କ୍ରସର ବ୍ୟବସ ବ୍ୟବସାୟୀଙ୍କଠାରୁ ରବିବାର ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ଉପଜିଲ୍ଲାପାଳ ଶ୍ରୀ ଚକମା। ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ମାଡ଼ି ବସିଥିଲା ଭିଜିଲାନ୍ସ। ଯାଞ୍ଚ ବେଳେ ତାଙ୍କ ବାସଭବନରୁ ଆହୁରି ୪୭ ଲକ୍ଷ ୪୭ହଜାର ୬୦୦ ଟଙ୍କା ଜବତ କରାଯାଇଥିଲା। ରବିବାର ରାତିରେ ତାଙ୍କୁ ଭିଜିଲାନ୍ସ ଟିମ୍ ସାଙ୍ଗରେ ନେଇ ଯାଇଥିଲା।ମେଡିକାଲ ପରୀକ୍ଷା ପରେ ସୋମବାର ଶ୍ରୀ ଚକ୍ରମାଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଟକ ଡିଭିଜନ ଭିଜିଲାନ୍ସ ସେଲ୍ ଏସ୍‌ପି ଏମ. ରାଧାକ୍ରିଷ୍ଣ ସୂଚନା ଦେଇଛନ୍ତି। ଅନ୍ୟପଟେ ତିନିଜଣିଆ ଭିଜିଲାନ୍ସ ଟିମ୍ ଉପଜିଲ୍ଲାପାଳଙ୍କ ଅଫିସ୍‌ରେ ତନ୍ନତନ୍ନ କରି ଯାଞ୍ଚ କରିବା ପରେ ବହୁ ଗୁରୁତ୍ବପୂର୍ଣ କାଗଜପତ୍ର ଜବତ କରି ନେଇଛନ୍ତି। ଅଧିକାରୀଙ୍କ ଦୁର୍ନୀତିର ଚିଠା ଖୋଲିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଏହା ସାର୍ବଜନୀନ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *