ଭଞ୍ଜନଗର : ମା’ ପୁଅଙ୍କୁ ହତ୍ୟା ଉଦ୍ୟମ ମାମଲା :ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଝୋଲାରୀ ଗ୍ରାମର ମା’, ପୁଅ ହତ୍ୟା ଉଦ୍ୟମ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଭଞ୍ଜନଗର ଆସିଷ୍ଟାଣ୍ଡ ସେସନସ ଜଜ ଦେବାଶିଷ ବିଷୋୟୀ ମାମଲାର ବିଚାରଣ କରି ଅଭିଯୁକ୍ତ ରୂପ ନାରାୟଣ ଦଳବେହେରାଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହ ୨୦ ହଜାର ଟଙ୍କା ଜରିମାନା ପକାଇଛନ୍ତି। ଜରିମାନା ଅର୍ଥ ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବେ ଅଭିଯୁକ୍ତ। ଜରିମାନା ଅର୍ଥ ଆଦାୟ ହେଲେ ପୀଡ଼ିତାଙ୍କୁ ଉକ୍ତ ଅର୍ଥ ପ୍ରଦାନ କରାଯିବ ବୋଲି ସରକାରୀ ଓକିଲ ଦିବାକର ନାୟକ ଏଠାରେ ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ପେଣ୍ଡୁରାପଲ୍ଲୀର ରୂପ ନାରାୟଣ ତାଳଚେରରେ ଏକ କମ୍ପାନୀରେ ଚାକିରୀ କରୁଥିଲେ। ଏତଲାକାରି ଅନିଲଙ୍କ ଭାଇ ମଧ୍ୟ ସେଠି ଚାକିରି କରୁଥିଲେ। ତେଣୁ ଉଭୟଙ୍କ ମଧ୍ୟରେ ପରିଚୟ ଥିଲା।୨୦୨୦ ମସିହା ଅକ୍ଟୋବର ମାସ ୫ ତାରିଖରେ ରୁପ ନାରାୟଣ ବୁଗୁଡ଼ା ଥାନା ଅନ୍ତର୍ଗତ ଝୋଲାରି ଗ୍ରାମର ଅନିଲ ବିଷୋଇଙ୍କ ଘରେ ପଶି ତାଙ୍କ ଭାଉଜ ଓ ନାବାଳକ ପୁତୁରାକୁ ଏକ ଧାରୁଆ ଅସ୍ତ୍ରରେ ବେକକୁ କୌଣସି କାରଣରୁଆକ୍ରମଣ କରିଥିଲେ। ଫଳରେ ମା’ ଓ ପୁଅ ଗୁରୁତର ଭାବେ ଆହତ ହୋଇ ପାଟି କରିଥିଲେ। ଏହାପରେ ଅନିଲ ଏନେଇ ଗ୍ରାମବାସୀଙ୍କୁ କହିବା ପରେ ଗ୍ରାମବାସୀ ଏକାଠି ହୋଇ ଅଭିଯୁକ୍ତ ରୂପ ନାରାୟଣଙ୍କୁ କାବୁ କରି ପୋଲିସରେ ଜିମା ଦେଇଥିଲେ। ଏଥିସହ ଆହତ ମା’ ଏବଂ ପୁଅଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅନୀଲଙ୍କ ଏତଲା ପ୍ରକାରେ ପୋଲିସ ରୂପ ନାରାୟଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ରୂପ ନାରାୟଣ ଜେଲରେ କିଛିଦିନ ବନ୍ଧୀ ଜୀନ ବିତାଇବା ପରେ ଇତିମଧ୍ୟରେ ଜାମିନ ରେ ଆସିଥିଲେ। ଆଜି ମାମଲାର ବିଚାରଣ ପରେ ତାଙ୍କୁ ପୁଣି ଜେଲ ହାଜତକୁ ପଠାଇ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଦିବାକର ନାୟକ ଏବଂ ମୁଦଲାଙ୍କ ପକ୍ଷରୁ ଲଡୁ କିଶୋର ଆଳତିଆ ମାମଲା ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *